ଗଣପତି-ଆଚ୍ଛା, ସେ କଥା ପଛେ ହେବ । ଆଉ କଥା ହେଉ ଅଜା, ଏହି କାନ୍ଥବାଡ଼ରେ କି ଚିତ୍ର ? କଣ ଲେଖା ହୋଇଛି ?
ଅଜା-ଆରେ ଏତିକି ବୁଝି ପାରୁ ନାହୁଁ ? ତୋ ଆଈ ଗେରୁ, ହରତାଳ, କଳାରଙ୍ଗ, ନଡ଼ିଆ ସଢ଼େଇରେ ଗୋଳେଇ କନାତୂଳିରେ ଏ ସବୁ ଚିତ୍ର କରିଛି । ସେ ଖୁବ୍ ଚିତ୍ର କରି ଜାଣେ । ଏଇ ଦେଖ, ଏଇଟା ହେଲା କଦମ୍ବଗଛ, ଫୁଲ ଫୁଟିଛି, ତା ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳ ମୂର୍ତ୍ତି ଛିଡ଼ା ହୋଇଛନ୍ତି । ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି ।
ଗଣପତି-କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ ?
ଅଜା-ହୋଃ ହୋଃ ହୋଃ ! ତୁ କିମିତିକା ଓଲା ଟୋକାଟା ରେ ! ହବ ନାହିଁ କ୍ୟାଁ ? ମ୍ଲେଛ ପାଠ ପଢ଼ି ତୁମମାନଙ୍କ ବୁଦ୍ଧି ବିଗିଡ଼ି ଯାଇଛି ! ଆରେ ଏ କଣ ସତକୁ ସତ ଶ୍ରୀକୃଷ୍ଣ ବ ଇଁଶୀ ବଜାଉଛନ୍ତି ? ଇଏ ହେଲା ଛବି ।
ଗଣପତି-ତେବେ ଏ ସତ କୃଷ୍ଣ ନୁହେଁ, ମିଛ କୃଷ୍ଣ କହ ।
ଅଜା-(ଟିକିଏ ଖପା ହୋଇ ତେଜରେ) ରାମ ! ରାମ ! ରାମ ! ମିଛ କୃଷ୍ଣ କଣ ରେ ? ଏ ହେଲା କୃଷ୍ଣଙ୍କ ଚିତ୍ର ।
ଗଣପତି-ତେବେ ଅଜା ଶୁଣନ୍ତୁ । କଥା କଣ କି, ଚିତ୍ର ବିଦ୍ୟା ଗୋଟିଏ ଲଳିତ କଳା । ସେ ଦୁଇ ରକମ-ଗୋଟିଏ ଚିତ୍ର ବାହାରର ଜଡ଼ ଦେହର, ଆଉ ଗୋଟିଏ ମାନସିକ କ୍ରିୟାର । ଆଚ୍ଛା, ଆପଣଙ୍କ ବୁଝିବା ପାଇଁ ମୁଁ ଗୋଟାଏ କଥାରେ କହେଁ-ଗୋଟିଏ ଆଧିଭୌତିକ ଚିତ୍ର, ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର । ଚିତ୍ରକର ଯେ, ସେ ତୂଳି ଗୋଟାଏ ଧରି ମନୁଷ୍ୟ ଶରୀର ଚିତ୍ର କରେ; କବି କଣ କରେ କି, ମନୁଷ୍ୟ ମନର ଦତି, କାର୍ଯ୍ୟପ୍ରଣାଳୀ, କ୍ରିୟା ଇତ୍ୟାଦି କଲମରେ ଲେଖେ । ଏଇଟାକୁ ମାନସିକ ଚିତ୍ର ବୋଲାଯାଇ ପାରେ । ଲୋକଶିକ୍ଷା ପାଇଁ କିମ୍ବା ଲୋକନେତ୍ର ରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥାଆନ୍ତି ।
ଅଜା-ଆଚ୍ଛା, ଆମ ପୂର୍ବ ପୂର୍ବ ମହର୍ଷିମାନେ ଲୋକଶିକ୍ଷାପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛ କଥା ଲେଖି ନାହାନ୍ତି । ଜ୍ଞାନ ପାଇଁ ସେ ସବୁକୁ ପଢ଼ । ଏପରି ମିଛ କଥାଗୁଡ଼ାକ କ୍ୟାଁ ପଢ଼ିବ ?
ଗଣପତି-ଆଚ୍ଛା ଅଜା, ମୁଁ ଯାହା କହୁଛି, ଧୀର ହୋଇ ଶୁଣନ୍ତୁ । ଖପା ହୋଇ ଯିବେ ନାହିଁଟି ? ଆପଣ ତ ମହାଭାରତ ବନପର୍ବରେ ପଢ଼ିଥିବେ, ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଣ୍ଟ କରି ଧଇଲା । ଭୀମ ଭାରି ବଳୁଆ କି ନା ! ପଳେଇ ଯିବାପାଇଁ ଖୁବ୍ ଗୁଡ଼ାଏ ଟଣାଓଟରା କଲେ; ସାପ ତ ନ ଛାଡ଼େ । ତା ବାଦ ଭୀମ ଢ଼େର ରକମ କଥା କହି ନେହୁରା ହେଲେ । ଅଜଗରକୁ ଦାତାରାମ । ଏତେଦିନ ଭୋକିଲା ପଡ଼ିଥିଲା, ଆଜି ମୋଟା ମଣିଷଟାଏ ପାଇଛି, ସେ କି ଛାଡ଼େ ? ଏତିକିବେଳେ ଯୁଧିଷ୍ଠିର ପହଞ୍ଚିଗଲେ । ଅଜଗର ଯୁଧିଷ୍ଠିର ଭିତରେ ଢ଼େର କଥା-ଭାଷା ଚଳିଲା । ଆଚ୍ଛା ଅଜା, ଅଜଗର ସାପ କଣ କଥା କହୁଥିଲା ?
ଅଜା-ହୋଃ ହୋଃ ହୋଃ ! ଆରେ ତୁମେ ପିଲାଗୁଡ଼ାକ ତ ଧର୍ମଗ୍ରନ୍ଥ ପୁରାଣ ଆଦି ପଢ଼ିଲ ନାହିଁ, ତୁଚ୍ଛା ମିଛ ଗେଜେଟଗୁଡ଼ାକ ପଢ଼ିବ, ମୂଳଜ୍ଞାନ କଥା କାହୁଁ ଜାଣିବ ? ଆରେ ଜାଣୁ, ଏ ହେଲା ଦ୍ୱାପରଯୁଗର ପୁରାଣ କଥା । ଇଏ କଣ ଆଜିକାଲିକାର କଥା ? ତୁ ତ ଜ୍ଞାନଶାସ୍ତ୍ର ପଢ଼ି ନାହୁଁ, ଜାଣିବୁ