ହେବା ସଙ୍ଗେ ସଙ୍ଗେ ବରଷା ଘାତରେ ତାଙ୍କ ଦେହ ଦଣ୍ଡକେ ସଫା ହୋଇଗଲା । ସେ ଗଛମୂଳକୁ ଯାଇ ଯାହା ଦେଖିଲେ ତାଙ୍କ ପ୍ରାଣ କାନ୍ଦି ଉଠିଲା । ଯେଉଁ ଗଛମୂଳ ଖାତ ପାଖରେ ସେ ଏତେବେଳ ପଡ଼ି ହରି ହରି ହେଉଥିଲେ ତାର ଠିକ୍ ବିପରୀତ ପାଖରେ ଗଛର କରୋଡ଼ ଭିତରେ ଦେଖିଲେ କିଏ ଗୋଟେ ପିଲା ତୁନି ହୋଇ ଗଛକୁ ଆଉଜି ଠିଆ ହୋଇଚି । ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖି ସାରି କାଳେ କିଛି ନ କହିଲେ ପିଲାଟିର ଭୟ ହେବ; ଏଥିପାଇଁ ସେ ଧୀରେ ଧୀରେ କହିଲେ- "କିଏରେ ପିଲା ! କିଛି ଡର ନାଁ- ମୁଁ ମଣିଷ । ବରଷାରେ ବାଟବଣା ହେଇଚି, ଆମେ ଦିହେଁ ଏଠି ରହିଯିବା ।"
ପିଲାଟି କିଛି କହିପାରିଲା ନାହିଁ । ବଡ଼ କଷ୍ଟରେ ଅତି କ୍ଷୀଣ କଣ୍ଠରେ 'ହଉ' କହିବାର ଶୁଭିଲା ମାତ୍ର ।
ଡିପୋଟି ବାବୁ କରୋଡ଼ ଭିତରେ ପଶି ପିଲାଟିକୁ ହାତରେ ଆଉଁଶି ଆଉଁଶି ଦେଖିଲେ ତା ମୁଣ୍ଡରେ ପୂରା ବାଳ ଅଛି; ତେଣୁ ତାକୁ ବାଳିକା ବୋଲି ଆଗ ଠିକ୍ କଲେ । ତାପରେ ତାର ଉଚ୍ଚତା ଅନୁଭବ କରି ଭାବିଲେ, ତାକୁ ବର୍ଷ ଦଶ ହେବ । ମୁଣ୍ଡର ବାଳ ମୁଖର ସ୍ପର୍ଶରୁ ବୁଝିଲେ, ଅତି ଗରିବ ପିଲା । ତାକୁ ପ୍ରଥମେ କିଛି ନକହି କୋଡ଼ରେ ପୂରାଇ ଠିଆ ହେଲେ । ବାଳିକାଟି ତାଙ୍କୁ କିଛି ନକହି ମନୁଷ୍ୟ ଆଶ୍ରା ପାଇ ଦେହକୁ ଆଉଜି ପଡ଼ିଲା । ସେ ଯେଉଁ ଚିରା ଲୁଗା ଖଣ୍ଡି ପିନ୍ଧିଥିଲା, ତାହା କେତେବେଳୁ ଓଦାହୋଇ ଯାଇଥିଲା । କାନିରେ ଚାଉଳ ଗଣ୍ଡେ ବନ୍ଧା ହୋଇଥିଲା ଯେ, ତାହା ପାଣିରେ ଦରବତୁରା । ଶ୍ୟାମବାବୁ ପିଲାଟାକୁ କୋଡ଼ରେ ରଖି ଆଉଁଶି ଆଉଁଶି ସବୁ ତଥ୍ୟ ଦଣ୍ଡକେ ବୁଝିଲେ । ଆଉ ତାକୁ ଧୀରେ ଧୀରେ କଅଁଳ କରି ପଚାରିଲେ- "ମା'; ତୋ ନାଁ କଣ ଲୋ ?" ସେତେବେଳକୁ ବାଳିକାର ଟିକିଏ ଜ୍ଞାନ ଆସିଥିଲା । ତାର ଭୟ ମଧ୍ୟ ଦୂର ହୋଇଥିଲା ।