ଗୋବର ଗୋଟେଇ
ବୁଢ଼ୀ କହିଲା- "ନାଇଁରେ ପୁଅ, ବାଟରେ ନଈରେ ଗୋଧୋଇବି । ମୋତେ ଗୋଟେ ଲୋକ ଟିକିଏ କରିଦେ । ମୁଁ ଯାଏଁ ଭାରି । ଆମେପରା ଜାଣିବା ଶୁଣିବା ଲୋକଗୁଡ଼ାକ- ଏକଥା ସହିପାରିବୁଁ ନାହିଁ ।"
ସରୋଜ କହିଲା- "କି କଥା ପିଉସି !" "ସବୁ ଶୁଣିଛିରେ ବାବୁ, ଶୁଣିଛି, ଯଃ- ଆଉ କହି ଲାଭ କଣ ? ମାଳିକା କଥା ତ ଘଟିଗଲା । ଘୋରକଳି ପହଞ୍ଚିଗଲା । ହଉରେ ବାପା, ସୁଖେ ରହି ଘର ଦୁଆର କର ।"
"ପିଉସି ! ସେ ତ ଆହୁରି କେତେ ଦିନ ଅଛି । ଏତେ ତର ତର କିଆଁ ହଉଚ ?"
ବୁଢ଼ୀ ଆଉ ଶୁଣିଲା ନାହିଁ । ସରୋଜକୁ ଯିବା ପାଇଁ ବଡ଼ ବ୍ୟସ୍ତ କରି ପକେଇଲା । ସରୋଜ ମଟରଟି ଆଣି ହାଜର କଲା । ମଣିହାତରେ ୧୦୦ଟଙ୍କା ଦେଲା । ଦୁହିଁଙ୍କୁ ୫୦ଟାଙ୍କ ଲେଖାଏଁ ଦେବା ପାଇଁ ଆଉ ଆଣିଥିବା ପାଟଅଳଙ୍କାର ପ୍ରଭୃତି ପିଉସୀଝିଅ ଭଉଣୀକୁ ଦେବା ପାଇଁ ତା' ହାତରେ ଦେଲା ।
ମହାସମାରୋହରେ ଦୁଇଟା ମଟର ସଜଲି କରି ବଉଁଶଯାକ ପିଉସୀଙ୍କୁ ଛାଡ଼ି ବାହାରିଲେ । ଯେତେ ବୁଝାଇଲେ ବୁଝିଲା ନାହିଁ । ସେ ଯିବାକୁ ନିହାତି ଅଡ଼ି ଧରି ବସିଲା, ଶେଷରେ ତାହାହିଁ ହେଲା । ବୁଢ଼ୀଙ୍କୁ ବିଦାୟ ଦେବାପାଇଁ ସମସ୍ତେ ମଟରରେ ଚଢ଼ିଲେ । ମଣି ଯିବାଟା ବୁଢ଼ୀକୁ କିଂବା ତାର ଝିଅକୁ ଭଲ ଲାଗିଲା ନାହିଁ । ପୁଣି ମଣି-ବୁଢ଼ୀ-ଆଉ ତାଙ୍କ ଝିଅ ଏ ବସିଲେ ଗୋଟାଏ ମଟରରେ ତାଙ୍କ ବୁଜୁଳି ମୁଜୁଳି ଧରି-ଆରଟାରେ ବିନୋଦ-ସରୋଜ-'ଦିବ' ବସିଲେ ।