ଗୋବର ଗୋଟେଇ
ତେବେ କାମସରିବା ପରେ ୧୫/୨୦ ଦିନ ଏପରି ଆଲୋଚନା ଲାଗିଲା । ମାତ୍ର ଯେମାମଣିଠାରୁ ଗାଁର ଲୋକେ ଯେତେବେଳେ ପାଞ୍ଚ କଥା ପାଇଲେ, ପାଞ୍ଚ ଅଭାବ ପୂରା କଲେ ଏବଂ ତାର ସୁରୂପ-ସୁଗୁଣ ଦେଖିଲେ, ତେତେବେଳେ ସବୁ କଥା ଭୁଲିଗଲେ । ମଣିଯୋଗେ ସେମାନଙ୍କର ଅଭାବ ଆଉ ରହିଲା ନାହିଁ । ମଣି ଯୋଗେ ଇସ୍କୁଲରେ ପିଲାଟିମାନ ପାଠ ପଢ଼ିଲେ ।
ବିନୋଦ ସସ୍ତ୍ରୀକ ପ୍ରାୟ ଦୁଇମାସ ଯାଏ ରହିଲା; ମାତ୍ର ତାର ପିତାଙ୍କର ଆଗ୍ରହ ଡକରାରେ ସେ ଯିବାକୁ ଉତ୍ସୁକ ହେଲା । ତାର ପିତା ପୁଅର ପ୍ରତ୍ୟେକ କାର୍ଯ୍ୟକୁ ସମର୍ଥନ କରୁଥିଲେ । କଥା ପଡ଼ିଲେ କହୁଥିଲେ- "ଆହେ, ଆମଯୁଗଥିଲା ଅଲଗା- ଏ ପରା ନୂଆଯୁଗର ପିଲା । ତାଙ୍କ ମନଇଚ୍ଛାରେ ସେ ଚଳିବେ ନାହିଁ ଆଉ କଣ ଆମରି ଏଇ ମୂର୍ଖ କଥା ଗୁଡ଼ାଏ ଶୁଣିବେ । କହିଲ- କଣ ପାଠପଢ଼ା ଆମର ? ଏତେ ଦେଶ ବିଦେଶର କଥା- ଏତେ ଶାସ୍ତ୍ର ଆଲୋଚନା କୋଉଁ ପଣ୍ଡିତ କରୁଛନ୍ତି ? ଆମ କ୍ଷୁଦ୍ର ଗଣ୍ଡିଟି ଭିତରେ ଆମେ ଆବଦ୍ଧ ରହି କହୁଛୁଁ- ସପ୍ତ ବ୍ରହ୍ମାଣ୍ତ ଦେଖୁଛୁ । ସେ ଯେଉଁ ଶାସ୍ତ୍ର ପ୍ରମାଣ ଦେଉଚନ୍ତି କେତେ ଜଣ ଦେଉଚ ତମ ଭିତରୁ । ଖାଲି କଥା ।"
ବୁଢ଼ା ନୃତନତ୍ୱକୁ ବଡ଼ ଭଲ ପାଉଥିଲେ । ତାଙ୍କର ଧାରଣା ଏମାନେ ପାଠ ସାଠ ପଢ଼ିଚନ୍ତି ଯେଉଁ ବାଟ କରିବେ ସେଟା ଆମମାନଙ୍କୁ ଅପେକ୍ଷା ଭଲ ନ ହେବ କାହିଁକି ? କେତେଗୁଡ଼ାଏ ଲୋକ ତାଙ୍କୁ ଏହି କଥା ଶୁଣି ବଡ଼ ଅସନ୍ତୁଷ୍ଟ ହୁଅନ୍ତି, କହନ୍ତି- "ଦେଖ ବୁଢ଼ାଟେ-ତିନିକାଳ ଗଲା । ୪ର୍ଥ ଅବସ୍ଥାରେ କିକଥା କହି ପିଲାଗୁଡ଼ାକର ମନ ମୋଟ କରିଦେଉଚି ।"