ଗୋବର ଗୋଟେଇ
ତିନିସିଆଁ ଲୁଗାଖଣ୍ଡିକ ଚିକୁଣ ଚାକଣକରି ତା ଉପରେ ଛିଡ଼ା ପଞ୍ଜାବିଖଣ୍ଡି ଗଳାଇ ସାମନ୍ତ ସୌଜନ୍ୟ ରକ୍ଷା କରିଚନ୍ତି । ଏ ଭଦ୍ରତା ରକ୍ଷାରେ ସେ ସାମନ୍ତ ବୋଲି ପରିଚୟ ପାଇବେ ନାହିଁ- ଯଦି ତାଙ୍କଠି ଅଦମ୍ୟ ଶକ୍ତିର ତରଙ୍ଗ ଥାନ୍ତା- ତୀବ୍ର ସାହାସ ଥାନ୍ତା- ବଳବାନ୍ ଥାଆନ୍ତି ତେବେ ଏ ବେଶ କୌଣସି ଆବଶ୍ୟକରେ ଆସନ୍ତା ନାହିଁ । ବିଳାସହିଁ ତୁମ ମୃତ୍ୟୁର ପ୍ରଧାନ ସହଚର ।
ସରୋଜ ସାରାରାଜ୍ୟ ବୁଲିଲା, ଜଣେ ସେପରି ସାମସ୍ତ ଶ୍ରେଣୀରେ ସୁପାତ୍ର ପାଇଲା ନାହିଁ । ତେବେ ସେଥିପାଇଁ ଚେଷ୍ଟାରୁ ବିରତ ହେଲା ନାହିଁ । ତାର ଅଦମ୍ୟ ଚକ୍ଷୁ ଚତୁର୍ଦ୍ଦିଗକୁ ଥିଲା । ସୁପାତ୍ର ମିଳିଲେ ସେ ତାର ସୁବର୍ଣ୍ଣ ପ୍ରତିମାକୁ ସେପରି ଗୋଟାଏ ମଦ୍ୟପୀ ଗୋଲିଆ ହାତରେ ଦେଇ ପାରିବ ନାହିଁ । ଯାଉ ସେ ଜାତିର ବନ୍ଧନ, ନାନା ସମୟରେ ସେ ହୃଦୟରେ ନାନା ବିଷୟ ଚିନ୍ତାକରେ । ଜାତିର ବନ୍ଧନକୁ ଛିଣ୍ଡାଇ ଦେବାପାଇଁ ତାର ପିଲାଦିନୁଁ ଇଚ୍ଛା । ସେଥିପାଇଁ ସେ କେତେ ପ୍ରବନ୍ଧ ଲେଖିଛି- କେତେ ଡିରେଟିଙ୍ଗ୍ କ୍ଲବ୍ରେ ବକ୍ତୃତା ଦେଇଛି । ଆଜି ନିଜେ ପରୀକ୍ଷା ଦେବ । କଥାରେ କୌଣସି କାର୍ଯ୍ୟ ହୁଏ ନାହିଁ । କାର୍ଯ୍ୟ ହିଁ ଆବଶ୍ୟକ । କବିଙ୍କ ଲେଖାରେ- "ନାହିଁ କର୍ମବୀର ଜଣେ ବାକ୍ୟବୀର ସକଳେ" । ସରୋଜ ଭାବିଲା ସେ କଣ ବାକ୍ୟବୀର ହେବ ? କଲେଜରେ ଇସ୍କୁଲରେ ପଢ଼ିଲାବେଳେ ତାକୁ ପରା ସାଥୀ ପିଲାଏ କହନ୍ତି- "ହଁ, ଏ ବଡ଼ଲୋକର ପୁଅ ବୋଲି ବାଟୁଳି ବାଜୁ ନାହିଁ, କଥା କହୁଛୁ; ମାତ୍ର କାମରେ ଦେଖିବା ନାହିଁ ? ଆରେ ବାପା- ଜାତି ଧର୍ମ କଥା ଛାଡ଼- ଏପରି ଦିନ ତ ତୋର ଆସିବ ଯେ, ଆମେ ଯଦି ଭିକାରୀ ହୋଇ ତୋ ଦୁଆରେ ହାଜର ହେଉ, ତେବେ ତୁ ମାଡ଼ ମାରି ତଡ଼ିଦେବୁ । ଘରୁ ଠାକୁରାଣୀ ଯାହା କହିବେ, ତୋର ଚାରା ନ ଥିବ ।"