ବିନୋଦକୁ ଦେଖି ଦେଇ ମଣିର ଗୋଟାଏ ନୂଆ ପ୍ରାଣ ଆସି ଦେହରେ ପଶିଗଲା । ସେ ଆନନ୍ଦରେ ଭାଇକୁ ତାର ଡାକିଲା- "ଭାଇ ! ଭାଇ ! ବିନୋଦ ଭାଇ ଆସିଛନ୍ତି ।"
ସରୋଜ କଡ଼ ଲେଉଟାଇଲା । ଆଖି ଫିଟାଇ ବିନୋଦକୁ ଚାହିଁଲା । ବିନୋଦ ସରୋଜର ଚିରସଙ୍ଗୀ । ବିନୋଦ ସରୋଜ ପାଇଁ ପ୍ରାଣ ଦେଇପାରେ । ଆଜି ସେମାନେ ପାଠ ସାରି ଅଲଗା ହୋଇ ରହିଥିଲେହେଁ ଟିକିଏ ଖବର ପାଇଲେ ଶତଶତ କାମ ଛାଡ଼ି ଦୁହେଁ ଦୁହିଁଙ୍କୁ ଯେ ଦେଖି ଯିବେ, ଏଥିରେ ସନ୍ଦେହ କଣ ?
ଯେବେ ବିନୋଦର ଭଉଣୀ ବିଭା ଘରକୁ ସରୋଜ ଯାଇ ପହଞ୍ଚି ଥିଲା- ତାଙ୍କ ଗାଁ ଆନନ୍ଦରେ ଭାସୁଥିଲା । ଡିପୋଟୀ ଶ୍ୟାମବାବୁଙ୍କ ପୁଅ ଏଇ କୁଡ଼ିଆ ଘରକୁ ଆସିଚି ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଲୋକଙ୍କର ଧରଣା ଥିଲା, ବଡ଼ ଲୋକର ପୁଅ ହେଲେ ବା ବେଶୀ ପାଠ ପଢ଼ିଲେ ସାନଲୋକଙ୍କୁ ଖାତିର କରନ୍ତି ନାହିଁ; ମାତ୍ର ସରୋଜ କୁମାରର ବ୍ୟବହାରରେ ଲୋକେ ଯେ ଆନନ୍ଦ ଅନୁଭବ କଲେ ତାହା ପୂର୍ବେ କେବେ ପାଇ ନ ଥିଲେ । ଆହା, ତାଙ୍କ ଗାଁରେ ମାଇନର ପାଶ କରି- ଅବା ତା ଉପରକୁ ଦି କ୍ଲାଶ ଯାଇ ପିଲାଗୁଡ଼ାକ ସମସ୍ତଙ୍କୁ ମୂର୍ଖ ମୂର୍ଖ କହି କି ବାବୁଗିରି ଦେଖାଉ ନାହାନ୍ତି କି ? ମାତ୍ର ଏତେ ପାଠ ପଢ଼ି, ଏଡ଼େ ବଡ଼ ଲୋକର ପୁଅ ହୋଇ, ଏତେ ଧନ ସମ୍ପତ୍ତିର ଏକମାତ୍ର ମାଲିକ ହୋଇ କେଡ଼େ ବିନୟୀଟି ସେ । ଦୀର୍ଘ ଜୀବନ ପାଇଥା ବାପା କହି ତାକୁ ଯେ କେତେ ବୁଢ଼ା ସୁକଲ୍ୟାଣ କରିଥିଲେ ତାର ସୀମା ନାହିଁ । ସରୋଜ ମଧ୍ୟ ସେମାନଙ୍କୁ ବେଶ୍ ସନ୍ତୋଷ କରିଥିଲା ।
ବିନୋଦ ମୁଣ୍ଡପାଖରେ ବସି ଡାକିଲା, "ସରୋଜ ତୋର ସବୁଦିନେ ଏହିପରି କେବେ କିମିତି ଜର ହୁଏ । ସେ ଅଭ୍ୟାସଟା ଗଲା ନାହିଁ-