ଗୋବର ଗୋଟେଇ
ଗହଣା ବର୍ଣ୍ଣନା କଲେ ବେଳ ବୁଡ଼ି ଯିବ । ମୁଣ୍ଡରେ-ମୁଣ୍ଡ ବାଳରେ, ବେକରେ, ହାତରେ, ଗୋଡ଼ରେ, ଅଣ୍ଟାରେ ଇତ୍ୟାଦି ଇତ୍ୟାଦି । ଏଣେ ଲୁଗାଖଣ୍ଡି ବେଶ୍ ତାତ୍ପର୍ଯ୍ୟରେ ଶରୀର ଆବୃତ କରିଚି । ମୁଣ୍ଡ ଦିଶିବାକୁ ଚାରା ନାହିଁ, ମାତ୍ର ଆଉ କେତେ ଜାଗା ଦିଶାବା ଶାସ୍ତ୍ରବିରୁଦ୍ଧ ନୁହେଁ । ଗୋଡ଼ିଖାଇ ବେଶ୍ କରି ମୁଣ୍ଡଟିକୁ ବାଲିଭିତରେ ପୋତିଛି, ମାତ୍ର ତାର ଲାଞ୍ଜ ପାଖଟା ପରିଷ୍କାର ଭାବେ ଦର୍ଶକର ନେତ୍ରାତିଥି ।
ତେବେ ଯାହା କିଛି ହେଲେହେଁ ତାଙ୍କର ଝିଅ ସୁନ୍ଦରୀ । ସେ ଇସ୍କୁଲ-ଗାଁ ଚାଟଶାଳୀକୁ କେବ ଦିନେ ନା କଣ ଯାଇଥିଲା, ମାତ୍ର ପାଠଗୁଡ଼ାକ ବଡ଼ ଗରିଷ୍ଠ ଖାଦ୍ୟ । ମର୍କଟ ନୟନରେ ତାହାର ରୂପ ଦେଖି ତାକୁ ସୁନ୍ଦର ଶରୀରରେ ଜୀର୍ଣ୍ଣ ହେବ ନାହିଁ ଭାବି ଫେରିଅଇଲା । ଆଜି କାଲି କଥା ପଡ଼ିଲେ କହନ୍ତି- "ଯା ମ, ମୋର ଯୋଉ ବୁଦ୍ଧି- ମୁଁ ପାଠ ପଢ଼ିଥିଲେ ଏଇ ନବଖଣ୍ଡ ମେଦିନୀ ଏକ କରି ନ ଥାନ୍ତି ଯେବେ ।" ଆଉ ତାଙ୍କ ଗରବ ଗୌରବ କଥା ବେଶୀ ଲେଖି ଲାଭ ନାହିଁ । ମଧୁର ରସ ସହିତ ଅମ୍ଳରସ ଭଳି ଏହା ପ୍ରୀତିକର ହେବ ।
ପ୍ରଥମେ ପିଉସୀ ସରୋଜ ଘରକୁ ଆସି ପ୍ରାୟ ଦିନ ଯୋଡ଼ାକରେ ବେଶ ମାଲିକ ହୋଇ ପଡ଼ିଚନ୍ତି । ଏହାମଧ୍ୟରେ ତାଙ୍କର ସୁନ୍ଦରୀ କନ୍ୟାଙ୍କୁ ମଧ୍ୟ ଶାଶୁଘରଠୁ ଅଣାଇଚନ୍ତି । ସେ ଆଉ ଭୁଇଁରେ ଛିଡ଼ା ହେଉ ନାହାନ୍ତି । ମଣିକି ନେଇ ତାଙ୍କର ବେଳେ ବେଳେ ଥଟା ପରିହାସ ହୁଏ । କେବେ କେବେ ମିଛରେ ଦେଖାଇ ଶିଖାଇ ହୋଇ ମଧ୍ୟ କହନ୍ତି- "ଇଏ କି ବେଶ ଲୋ ମା, ମାଇକିନା ଝିଅ ଦିନରାତି ବହି କିତାବ ଧରି ବିସିଥିବ । ଛି ଛି !"
ପ୍ରଥମ ପାଞ୍ଚଟି ଦିନ ସରୋଜର ସମର୍ପଣ ଅନୁଯାୟୀ ପିଉସୀ ମଣିକୁ ବେଶ୍ ସ୍ନେହ କରିଥିଲେ । ସେଥିପାଇଁ ମଣି ଭାବିଥିଲା, ଏହି ବୃଦ୍ଧାଯୋଗେ