ପୃଷ୍ଠା:Hada bagicha.pdf/୧୩୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ସମସ୍ତ ଅବୟବକୁ ସାଂକୁଡିଧରି, ଚିପୁଡ଼ି, ସିମୁଟି ମୁଁ ଯେତେବେଳେ ଶୋଇ ପଡ଼ିଲି, ସେତେବେଳେ ଶେଷ ହେଲା ଚଳତ୍ ଚିତ୍ର । ଶଇତାନମାନେ ତାଳିପିଟି, ସୁସୁରିମାରି ହସୁଥିଲେ, ମୃଗେନ୍ଦ୍ରାସନରେ ବସି ହସ୍ତ-ମୈଥୁନ କରୁଥିଲେ । ଏ ବିଶ୍ୱର ସୃଷ୍ଟି ହୋଇସାରିଥିଲା ଗୋଟିଏ ଗଳ୍ପରୁ । ଅଥଚ କେହି ଆତଯାତ ହେଉ ନ ଥିଲେ । ମୁଁ ଶୋଇ ରହିଥିଲି, ବରଂ କୁହାଯାଉ ମୁଁ ପଡ଼ିରହିଥିଲି, କଞ୍ଚାଇଟାର ଦୁର୍ଗ ଭିତରେ । ଥାକଥାକ, ଥାକଥାକ ହୋଇ ଉପରୁ ଉପରକୁ ଗାତଗାତ, ଗାତଗାତ ହୋଇ ଉପରୁ ଉପରକୁ ଅନ୍ଧାର ଉପରକୁ ଅନ୍ଧାର ତା ଉପରେ ଆହୁରି ଅନ୍ଧାର । କ୍ୱଚିତ୍ କେଉଁଠି କରତରେ କଟା ହୋଇ ଆଲୁଅର ପଟା, ପଟା ଉପରେ ଧୂଳିକଣା, ବୀଜମାନଙ୍କର ଅଣୁ, ଭୂତମାନଙ୍କର ଅଣୁ ଖୁବ୍ ଉଚ୍ଚରେ ଫାଳେ ଆକାଶ, ମହାକାଳର ତିନିମାସ ସମୟ ଭିତରେ ସେଇ ଫାଳେ ଆକାଶରେ ମୁଁ କେବେହେଲେ ଦେଖିନାଇଁ ପକ୍ଷୀଟିଏ ଉଡ଼ିଯିବାର ଦୃଶ୍ୟ, କିମ୍ବା ଗୋଠଛଡ଼ା ହାଲୁକା ଖଣ୍ଡେ ଭସାମେଘ, କିମ୍ବା ପାଣିଭିଜା ବତୁରା ଚେନାଏ ଆକାଶ । ସେଠି ସବୁବେଳେ ଫାଳେ ଆକାଶ ଦିଶୁଥିଲା, ଶୁଖା ଓ ତାତିଲା । ମୋର ନାଭିରଜ୍ଜୁ ଭିଡ଼ିମୋଡ଼ି ଲମ୍ବିଥିଲା ମାଟିକୁ । ମାଟି ଶୋଷିନେଉଥିଲା ମହାପ୍ରାଣ । ପିମ୍ପୁଡ଼ିଧାର ଲମ୍ବିଥିଲେ ଅନନ୍ତରୁ । ମଣିଷ ତିଆରି ଇଟା ଏବଂ ଇଟା ତିଆରି ମଣିଷମାନେ ଇଟାର ଦୁର୍ଗଭିତରକୁ ଧସେଇ ପଶୁଥିଲେ । ସମସ୍ତଙ୍କ ମୁହଁ ଇଟାପରି ଟାଣ, ମଜଭୁତ ଓ ରୁକ୍ଷ । ହାତସବୁ ଇଟାପରି ଆବୁଡ଼ା ଖାବୁଡ଼ା । ଚର୍ମଛଡ଼ା । ଏପରି ଇଟା ତିଆରି ହାତ ଓ ମହୁଁସବୁ ମୋ ପାଖକୁ ଆସି ମୋର ଗାଲ, ଓଠ, ପେଟ, ପିଠିରେ କେହି ଆଉଁସି ଦେଲେ ଚକ୍ତସ୍ରାବ ହେବା ବଡ଼କଥା ନ ଥିଲା । ଦୁର୍ଦାନ୍ତ ସିଂହଟିଏ କଅଁଳିଆ ମୂଶାଛୁଆକୁ ଆଉଁସିବା ପରି ଥିଲା ସେ ଅନୁଭୁତି । କଦବା କ୍ୱଚିତ୍ ମୋ ପାଖକୁ ଆସୁଥିଲା ଛାଇଟିଏ । ଖୁବ୍ କୋମଳ ତା ସ୍ପର୍ଶ, ଖୁବ ଶୀତଳ, ତୁଳାପରି, ଗୁଣ୍ଡବରଫ ପରି, ଏକକୋଷୀ ସ୍ପଂଜ୍ ପରି । ଖୁବ୍ ନରମ ତା ଉଚ୍ଚାରିତ ଧ୍ୱନି, ଓଦାଓଦା ଓ ବତୁରା ବତୁରା । ଲହୁଣୀପରି ମୁଲାୟମ ଛାଇଟିଏ । ମୋର ସମୁଦାୟ ବଗିଚାକୁ ଛାଇ ପ୍ରଦାନ କରୁଥିଲା ତାର ଶୀତଳ ସ୍ପର୍ଶ । ଶଇତାନ କିନ୍ତୁ ଛାଇକୁ ଠେଲି ନେଇ ଫିଙ୍ଗିଦେଉଥିଲା ଥାକଥାକ ଗାତର ଗହୀର ଖାଲ ଭିତରକୁ । ଛାଇଟି ସଙ୍କୁଚିତ ହୋଇ ଶୂନ ପାଲଟି ଯାଉଥିଲା । ଅନ୍ୟ ଛାଇମାନଙ୍କ ସାଥିରେ ହଜି ଯାଉଥିଲା । ମିଳେଇ ଯାଉଥିଲା ଇଥର୍ରେ । ଶଇତାନଟିଏ ଦିନେ ମୋତେ ଭିଡ଼ିନେଇଗଲା ଏକ ଅଗନାଅଗନି ଅଞ୍ଚଳକୁ । ମୋ ଦେହଟାକୁ କଇଂଚିରେ କାଟି ପକାଇଲା ଦିଫାଳକରି । ପୁଞ୍ଜନନଠାରୁ ଛାତିଯାଏ ଏବଂ ଛାତିରୁ ପୁଣି ଉଭୟ କାନ୍ଧଯାଏ । ଦେହ ଭିତରଟା କି ପ୍ରକାରର ପଦାର୍ଥରେ ତିଆରି ଦେଖିଲା । କେଉଁଠି ଥୁଆହୋଇଛି "କାନ୍ଦ' ନାମକ ପଦାର୍ଥଟି ଖୋଜିଲା । ମାଟି ତାଡ଼ି, ଶିଆର ଆଡ଼େଇ, ଚେର ଉପାଡ଼ି ଓଲଟପାଲଟ କରି ତନ୍ନ ତନ୍ନକରି ଖୋଜିଲା । ପାଇଲା ନାହିଁ । ନିରାଶରେ ପୁଣି ଯେମିତି ସେମିତି ହେଉ ସବୁ ପଦାର୍ଥକୁ ଅ-ଯଥା ସ୍ଥାନରେ ଥୋଇଲା ଏବଂ ଛୁଂଚିସୂତାଧରି ସବୁଜଘରର ପତଳା ଓଢ଼ଣୀକୁ ସିଲେଇ କଲା । ଆଳୁ ବସ୍ତା ସିଲେଇ କଲା ପରି । ଦୁର୍ଗଭିତରେ ପୁଣି ମୋତେ ଛାଡ଼ିଦେଇ ଚୁପ୍ ଚାପ୍ ଖସି ଚାଲିଗଲା । କେହିକିଛି ଜାଣିପାରିଲେ ନାଇଁ । ଇଟା ତିଆରି ମଣିଷମାନେ କେହିମୋତେ ଆଉ ଛୁଇଁଲେ ନାଇଁ । ଛାଇମାନେ ଆଉ ଶୀତଳ ପ୍ରଦାନ କଲେନାଇଁ । ଘଟନା କଣ କେହିକିଛି ବୁଝି ପାରିଲେ ନାହିଁ । ଅବାକ୍ ହେଲେ । ଅପସରି ଯିବାପାଇଁ ବାଧ୍ୟ ହେଲେ ।