ଦିନେ ତାଙ୍କ ଦୁଆରକୁ ଗୋଟେ ଅନ୍ଧ ଭିକାରୁଣୀ ଆସିଲା, କହିଲା, "ଧର୍ମକାରୀ ମା, ଗୋଟେ ଆଖି ମିଳୁ ।' ସମସ୍ତେ ଚକିତ ହୋଇଗଲେ, ଗାଁ ଯାକ ଲୋକ ଜମାହେଲେ, ସେ କଣ ମାଗୁଛି ତାକୁ ଆଉ ଥରେ ପଚାରିଲେ, ସେ କହିଲା, "ଧର୍ମକାରୀ ମା, ଗୋଟେ ଆଖି ମିଳୁ ।' ସଙ୍ଗେ ସଙ୍ଗେ ଚଟକିନି ତାଳି ମାରି ହସି ହସି ବୋହୂଟି କହିଲା, ‘ମୁଁ ତାକୁ ଗୋଟେ ଆଖି ଦେବି, ଗୋଟେ ଆଖିରେ ତ କାମ ଚଳିଯିବ, ଆହା ବିଚାରୀ, ତାର ଦୁଇଟି ଯାକ ଆଖି ନାଇଁ, ରଙ୍ଗବେରଙ୍ଗ ପୃଥିବୀକୁ, ଜହ୍ନରାତିକୁ ସେ କେମିତି ଦେଖୁଥିବ? ମୁଁ ତାକୁ ଗୋଟେ ଆଖି ଦେବି, ହଳଗାଡ଼ି ଲଗାଅ ସହରକୁ ଯିବା ।’ ଅନ୍ଧୁଣୀକୁ ନେଇ ସହରକୁ ଗଲେ, ଡାକ୍ତରଖାନାରେ ଦଶଦିନ ରହି ଆଖି କାଢ଼ି ତା ମୁହଁରେ ଲଗାଇଲେ, ବୋହୂ ହସିଲା, ଅନ୍ଧୁଣୀ ବି ହସିଲା, କହିଲା, "ଏ ଜଗତ ଏତେ ସୁନ୍ଦର ଦେଖାଯାଏ, ମୁଁ ଜାଣି ନଥିଲି, ଏ ଆକାଶ କେତେ ଲାଲ, ଏ ଘାସ ପଡ଼ିଆ କେତେ କଳା, ତୁମ ମୁଣ୍ଡର ବାଳ କେତେ ହଳଦିଆ! ଇସ୍ !!' ବୋହୂଟି କହିଲା, "ଆକାଶର ରଙ୍ଗକୁ ନୀଳ କୁହାଯାଏ, ଲାଲ ନୁହେଁ, ଘାସ ସବୁ କଳା ନୁହେଁ, ଶାଗୁଆ, ଆଉ ବାଳର ରଙ୍ଗ କଳା, ହଳଦିଆ ନୁହେଁ, ଆସ ବଗଚା ଭିତରେ ସବୁ ରଙ୍ଗ ସାଥୀରେ ତୁମର ପରିଚୟ କରାଇ ଦେବି ।' ଭିକାରୁଣୀଟି ରଙ୍ଗମାନଙ୍କ ସାଥୀରେ ପରିଚିତ ହୋଇ କୃତଜ୍ଞତା ପ୍ରକାଶ କରି ଚାଲିଗଲା । ତା ପର ଦିନଠୁ ତାଙ୍କ ଦୁଆରେ ଅନେକ ଭିକାରି, ଗୋଟିଏ ପରେ ଗୋଟିଏ ହୋଇ ଆସିଲେ, ସମସ୍ତଙ୍କର ଭିନ୍ନଭିନ୍ନ ଦାବି । ଜଣେ କହିଲା, ‘ଧର୍ମକାରୀ ମା, ହୃତପିଣ୍ଡଟିଏ ମିଳୁ, ଜଣେ କହିଲା, ଧର୍ମକାରୀ ବାପା, ବୃକ୍କଟିଏ ମିଳୁ, ଜଣେ କହିଲା, ଧର୍ମକାରୀ ମା, ତୁମ ଦେହରୁ କିଛି ରକ୍ତ ମିଳୁ, ଛଞ୍ଚାଣଟିଏ ମାଗିଲା, ମା ତୁମ ଦେହରୁ କିଛି ମାଂସ ମିଳୁ, କାଠହଣା ଚଢ଼େଇ କହିଲା, ବାପା ତୁମ ଦେହରେ କୋରଡ଼ ତିଆରି କରିବି ଅନୁମତି ମିଳୁ, ଦୁଇଟି ଶିଶୁ ଆସି କହିଲେ, ମା' ତୁମ ଉରରୁ କିଛି କ୍ଷୀର ମିଳୁ, କୋଡ଼ିଏଟି ଗୋଡ଼ଥିବା ଓ ତହିଁରୁ ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ପୋକଟିଏ ଆସି ମାଗିଲା, ମା ଗୋଡ଼ଟିଏ ମିଳୁ, ଆଠଟି ହାତଥିବା ଓ ଗୋଟିଏ ହାତ କଟି ଯାଇଥିବା ଜଣେ ଅଜଣା ଈଶ୍ୱରୀ ଆସି କହିଲେ, ମା' ହାତଟିଏ ମିଳୁ, ସମସ୍ତଙ୍କର ଅଭାବ ପୂରଣ କରାଗଲା । ରଙ୍ଗ ଓ ମହକରେ ଭାସି ଉଠିଲା ଜଗତ । କିନ୍ତୁ ତା ପରଦିନ ଭୟଙ୍କର ଦୃଶ୍ୟଟିଏ ଦେଖିବାକୁ ମିଳିଲା ଅତି ସୁନ୍ଦର ଚିଜ ଗୁଡ଼ାକ ବି ବେଶୀ ହେଲେ ଭୟଙ୍କର ଦେଖାଯାଏ, କୋମଳ ଓ ନରମ ଚିଜ ଗୁଡ଼ାକ ବେଶୀ ହେଲେ ପର୍ବତର ବୋଝ ମାଡ଼ିପଡ଼େ । ସେମିତି ହିଁ ହେଲା ।
ପୃଷ୍ଠା:Hada bagicha.pdf/୧୪୦
ଦେଖଣା