ପୃଷ୍ଠା:Hada bagicha.pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା’ପରଦିନ ଅନ୍ୟ ଗାଁର ଦୁଇଟି ମାରୱାଡ଼ି ଘର । ତାପରେ ଭିକ୍ଷାବୃତ୍ତି ଅଭ୍ୟାସ ହୋଇଗଲା । ମା’ ଛୋଟ ଭାଇକୁ କାଖରେ ଧରି ସକାଳୁ ଯାଇ ଚାରି ଘଣ୍ଟା ପରେ ଘରକୁ ଫେରୁଥିଲେ । ହାତରେ ପାଞ୍ଚ ପ୍ରକାରର ଡାଲି, ଚାଉଳ ମିଶି ଦୁଇ ଲିଟର ଯାଏ ହେଉଥିଲା ଏବଂ ପଇସାଟିଏ ନଚେତ ଦୁଇ ପଇସା କେବେକେବେ ମିଳୁଥିଲା । ତହିଁରେ ଭୁଜା କିଣିଲେ ଆଠଦିନ ଯାଏ ଖାଉଥିଲୁ । ମା’ସମସ୍ତଙ୍କୁ ଟିକିଏ ଟିକିଏ ଅଫିମ ଖୁଆଇ ନିଶ୍ଚିନ୍ତରେ ଶୁଆଇ ଦେଉଥିଲେ । ଦିନେ କିଛି ଅଧିକ ଭିକ୍ଷା ମିଳିବାରୁ ଆମେ ସମସ୍ତେ ମିଶି ହସିଲୁ । ଥଟ୍ଟା ହେଲୁ । ହସ ଭିତରେ ନାନୀ କହିଲା, "ମା’ ଆମ କାହାରି ନାଁ କେମିତି ନାଇଁ? ସମସ୍ତଙ୍କ ଗୋଟେ ଗୋଟେ ନାଁ ଦିଆଯାଉ ।' ମା’ କହିଲେ, "ତୋ ବାପାଙ୍କୁ ମନେ ପକାଇବା ପାଇଁ ସେ ବିଦେଶରେ ଯାଇଥିବା ତିନୋଟି ସହରର ନାମକୁ ତୁମମାନଙ୍କ ନାମ ଦିଆଯାଉ ଏବଂ କହିଲେ, ତୋ ନାଁ ଆଜିଠୁ ହେଲା ଗାଲିପୋଲି ପଣ୍ଡା, ବଡ଼ ବାବୁର ନାଁ ହେଲା ବାସ୍ରା ପଣ୍ଡା ଓ ଛୋଟ ବାବୁର ନାଁ ହେଲା ଅମ୍ରା ପଣ୍ଡା ।' ଆମେ ସମସ୍ତେ ପ୍ରଚୁର ହସିଲୁ ଓ ସ୍ୱୀକୃତି ଦେଲୁ । ତଥାପି ନାନୀ କହିଲା, ଆଉ ତୋ ନାଁ ଶକୁନ୍ତଳା ବଦଳରେ କଣ ମେସୋପୋଟାମିଆଁ ପଣ୍ଡା? ମା’ ବି ହସିଲେ ପ୍ରଚୁର । ମିସୋମ୍ୟୁସି କଳାର ସୌନ୍ଦର୍ଯ୍ୟରେ ବିମୋହିତ ହେଉ ନ ଥିବା ମଣିଷ ବି ପୃଥିବୀରେ ଥାଆନ୍ତି, ଏ କଥା ଜାଣିଲାବେଳକୁ କ୍ଳୀବ ମଣିଷର ଅବସର ନେବା ସମୟ ଆସିସାରିଥିଲା । ପରିଣତ ବୟସରେ ବି ସେ ପ୍ରେମ କରିପାରେ, ପ୍ରେମରେ ପ୍ରତାରିତ ହୋଇପାରେ ଏବଂ ଅଥଚ ପ୍ରତାରଣା କରିଥିବା ପ୍ରେମିକାଟି ନିଜେ ଆତ୍ମହତ୍ୟା କରିପାରେ, ଏକଥା ତାକୁ ବ୍ୟଥିତ କରିଛି କିଛିକାଳ । ମାତ୍ର ନିଜେ ଜଣେ ମୁକ୍ତ ମଣିଷ ହୋଇଥିବାରୁ, ତା’ର କ୍ଳୀବତ୍ୱ, ଅପମାନିତ ଅବସ୍ଥାକୁ ଗ୍ରହଣ କରି ନେଇଥିବାରୁ ସେ ବଞ୍ଚି ପାରିଲା । ଅନ୍ୟପକ୍ଷରେ "ମୋତେ କେହି କିଛି କରିପାରିବେ ନାଇଁ' ବୋଲି ବାରମ୍ବାର ଦାବି କରୁଥିବା ତା’ ପ୍ରେମାସ୍ପଦଟି ଆତ୍ମହତ୍ୟା କଲା । ଆତ୍ମହତ୍ୟାର ଦୁଇଘଣ୍ଟା ପୂର୍ବରୁ ସେ ଅନ୍ୟମାନଙ୍କୁ କହିଥିଲା "ଯେ କ’ଣ ଭାସିଗଲା ସେଇଠୁ? ମୋତେ କିଏ କ’ଣ କରି ପାରିଲେ?’ ଏତେ ସରଳ ସହଜ ଧାଡ଼ିଟିଏ କହିବାର ଦୁଇଘଣ୍ଟା ପରେ ସେ ବିଷପିଇ ଆତ୍ମହତ୍ୟା କଲା । ଘରେ ତା’ର ବେଙ୍କ ଅଫିସର ସ୍ୱାମୀ । ସବୁବେଳେ ବାହାରେ ରୁହନ୍ତି । ମାସେ ଦି'ମାସରେ ଥରେ ଘରକୁ ଆସନ୍ତି ଓ ଦି’ଦିନ କାଳ ଶୋଇ ଶୋଇ ପୁଣି ଚାକିରି ଜାଗାକୁ ଫେରିଯାଆନ୍ତି । କଲେଜରେ ନାମ ଲେଖାଇ ଘରେ ଦିନରାତି ଟିଭି ସିରିଏଲ ଦେଖୁଥିବା ଦୁଇଟି ଝିଅ, ଶାଶୂ ଶ୍ୱଶୁର, ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପ୍ରେମାସ୍ପଦଟି ଇହଲୀଳା ସମ୍ବରଣ କରି ପରଲୀଳାକୁ ଆଦରି ନେଲା । ଏଇ ସ୍କୁଲରେ ଦଶବର୍ଷ ହେଲା ସହଯୋଗୀ ଶିକ୍ଷୟିତ୍ରୀ ଥିବା ନାରୀଟି ସରକାରୀ ହାତୀର ସୁନାକଳସ ଯୋଗୁଁ ଦଶଜଣ ବୃହତ୍ଙ୍କୁ କ୍ଷୁଦ୍ର କରି ଧାରକରା