ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତମେ କଣ ପାଗଳ ନା କଣ ? ବିଷ୍ଣୁ ସହସ୍ରନାମ ଶୁଣିବା ପରେ ତମର ଟଙ୍କା କଥା ହିଁ ମନେ ପଡ଼ିଲା ? ବର୍ତ୍ତମାନ କଣ ଶୋଇବ, ନା ଆଉ କିଛି ?

ଆରାମ କରିବା ପାଇଁ ଶାନ୍ତା କଡ଼ ଲେଉଟାଇଲା । ତା ଦେହରୁ ଅବିନାଶର ହାତ ଶିଥିଳ ହୋଇ ଖସିଗଲା । ସେ ନିଦରେ ଶୋଇଗଲା ।

ଆଖି ଖୋଲିବାରୁ ନିଜକୁ ଏକ ଅପରିଚିତ ଜାଗାରେ ରହିଥିବାର ଅନୁଭବ କଲା ଅବିନାଶ । ଥଣ୍ଡା ଲାଗିବାରୁ ସେ ଚାଦରକୁ ଆଉ ଟିକିଏ ଉପରକୁ ଟାଣି ନେଲା । ପାଣିର ଜୋର ଟିକିଏ କମିଥିଲା ହୁଏ ତ, କିନ୍ତୁ ବର୍ଷା ବନ୍ଦ ହୋଇ ନଥିଲା । ଚାରି ପାଖକୁ ଅନାଇ ଦେଖିଲା କୋଠରୀରେ ମେଘ ଦେଇ ସକାଳର କିଛି ଆଲୁଅ ଆସି ପଡ଼ୁଥିଲା । ଶାନ୍ତା ତଳେ ବସି ଠାକୁରଙ୍କୁ ପୂଜା କରୁଥଲା । ସେ ଧୂପକାଠି ଜାଳିଥିଲା କି କଣ, ଘରସାରା ଏକ ହାଲୁକା ଓ ମୋହକ ପୂଜା ମଣ୍ଡପର ସୁରଭି ଭରି ରହିଥିଲା । ବିଛଣାରୁ ଉଠିବା ପାଇଁ ଇଚ୍ଛା ହେଲା ନାହିଁ ଅବିନାଶର । ଭାବିଲା ଶାନ୍ତାକୁ ପାଖକୁ ଡାକିବ ! କିନ୍ତୁ ସେ ତାର ପୂଜାରେ ନିମଗ୍ନ ଥିଲା । ଆଖି ବନ୍ଦ କରି ଅବିନାଶ ଥକା ଲାଗୁଥିବା ନିଜକୁ ସମର୍ପଣ କରିଦେଲା ଝାପସ ଆଲୁଅ, କୋହଲା ପାଗ, ବାହାରେ ବର୍ଷାର ଝର ଝର ଓ ଘର ଭିତରେ ଠାକୁରାଣୀଙ୍କ ଦେହର ବାସନା ପାଖର ।

ପୁଣି ଯେତେବେଳେ ନିଦ ଭାଙ୍ଗିଲା, ଘର ଭିତରେ ଆଉ ଟିକିଏ ବେଶି ଆଲୁଅ ଥିଲା । ଶାନ୍ତା ବାରଣ୍ଡାରେ ଚଉକି ଉପରେ ବସିଥିଲା । ଅବିନାଶ ବିଛଣାରୁ ଉଠି ତା ପାଖକୁ ଗଲା, ତା ପଛରେ ଠିଆ ହୋଇ ତା କାନ୍ଧରେ ହାତ ରଖିଲା । ତା ହାତ ଉପରେ ହାତ ରଖି ଶାନ୍ତା ପଚାରିଲା, କଣ ଚା’ ପିଇବ ? ମୁଁ ଯାଇ ନେଇ ଆସୁଚି । ଶାନ୍ତା ଉଠି ଠିଆ ହେଲା । ଉଦାସ ଦେଖା ଯାଉଥଲା ଶାନ୍ତା । ଅବିନାଶ ପଚାରିଲା, କଣ କିଛି ଅସୁବିଧା ହେଲା ?

ପିଲାମାନଙ୍କ କଥା ମନେପଡ଼ି କିଛି ଭଲ ଲାଗୁ ନାହିଁ, କହିଲା ଶାନ୍ତା ଓ ଚା ଆଣିବା ପାଇଁ ରୋଷାଇ ଘରକୁ ଗଲା । ଅବିନାଶ ମୁହଁ ହାତ ଧୋଇ ଆସି ବାରଣ୍ଡାରେ ବସିଲା । ଆଜି ଶାନ୍ତାର ଚଉକି ପାଖରେ କବିତାର ବହି ନଥିଲା । ଶାନ୍ତା ଆସି ତା ହାତକୁ ଚା କପ ବଢ଼ାଇ ଦେଇ କହିଲା, ଆଜି ବି ରୋଷାଇ କରିବା ପାଇଁ ଲୋକ ଆସିଲା ନାହିଁ । ନରହରିକୁ ବର୍ଷାରେ ବଜାରକୁ ଯିବାକୁ ହେଲା ଜିନିଷ କିଣିବା ପାଇଁ ।

୨୫ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ