ଭୀମ ବୋଲଇ ଦୁଃଶକୁ ଚାହିଁ ଯୁଧିଷ୍ଠି ଆଜ୍ଞା ନାହିଁ ।
ନୋହିଲେ ଚାପୋଡ଼କେ ତୋ ଶିର ଦିଅନ୍ତି ମୁଁ ଛିଣ୍ତାଇ ॥
ଶୁଣିଣ ଦୁଃଶା ଅତ୍ୟନ୍ତ ଘୋଷା ହୋଇଲା ପରଚଣ୍ତ ।
ବୋଇଲା ତୋର ଗଦାରେ ଶିର କରିବି ମସିଗୁଣ୍ତ ॥
ତା ଶୁଣି ଭୀମ କୋପ କରିଣ ବୋଇଲା ଆରେ ପାମର ।
ଗଦାପର୍ବରେ ଆଦ୍ୟସମରେ ଛେଦିବି ତୋର ଶିର ॥
ଏମନ୍ତ କହି ବୀର ତୁହାଇ ଧରିଲା ବେନି ଗଦା ।
ରେ ରେ ଶବଦ କରିଣ ବୀର ମାଇଲା ବେନି କୁଦା ॥
ମାନଗୋବିନ୍ଦ ଦେଖିଣ ଦ୍ୱନ୍ଦ ସଭାଜନଙ୍କୁ ଚାହିଁ ।
ବୋଇଲେ ଏବେ ନିସତ ହେଲେ ଯୁଧିଷ୍ଠି ନୃପସାଇଁ ॥
ତା ସାନଭାଇ ଦ୍ୱନ୍ଦ ଭିଆଇ ହେଉଛି ଛଟପଟ ।
ନିସତ ହେଲେ ମୁଖେ ବୋଇଲେ ନେଉ ତା ରାଜ୍ୟ ରାଷ୍ଟ୍ର ॥
ଶୁଣି ଯୁଧିଷ୍ଠି ସଭାରୁ ଉଠି ବୋଇଲେ ଆରେ ଭୀମ ।
କଥା ନ ଜାଣୁ ତୁ ଅକାରଣୁ କିମ୍ପା କରୁଛୁ ତମ ॥
ତୋ ମୁର୍ଖ ବୁଦ୍ଧି ଆଜ ଅବଧି ନ ଗଲା କିଛି ଛଡ଼ା ।
ଜାଣିଲି ତୋର ସର୍ବ ବିଚାର ତୁ ହେଲୁ ଘରବୁଡ଼ା ॥
ଦୌପଦୀ ପରି ଶତେ ଯୁବତୀ ମିଳିବେ ଆରେ ଭାଇ ।
ନିଜ ସୋଦର ମରାଇ ଭାଇ ପାଇବା ଆଉ କାହିଁ ॥
ଭ୍ରାତା ସୋଦର ଦ୍ୱନ୍ଦ ଆରମ୍ଭ କରୁଛୁ କିସ ପାଇଁ ।
ଶୁଣି କୁପିତ ପବନସୁତ ଯୁଧିଷ୍ଠି ମୁଖ ଚାହିଁ ।୪୦।
ଅନ୍ଧ ରାଜନ ଶତେ ନନ୍ଦନ ମାରି କରିବି ପଦା ।
କାହାର ବଳେ କି କରି ପାରେ ହସ୍ତେ ମୋ ଥିଲେ ଗଦା ॥
ପାର୍ଥ କହଇ ଧର୍ମ ନୁହଇ ଆମ୍ଭର ଜ୍ୟେଷ୍ଠ ଭାଇ ।
ତାହାଙ୍କ ଆଜ୍ଞା ମେଣ୍ଟଣ କଲେ ପଶ୍ଚାତେ ଦୁଃଖ ପାଇ ॥
ନୁହ ଅସ୍ଥିର ନୁହ କାତର ନୁହ ହେ କୋପମୂର୍ତ୍ତି ।
ଅର୍ଜ୍ଜୁନ ବୋଲେ ପବନ ସୁତ ବସିଲା ହୋଇ ଶାନ୍ତି ॥
ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେସନ ବିରାଜି ଦିଶୁଥାଇ ।
ଚାରି ଭାଇଙ୍କ ମଧ୍ୟରେ ବୀର ସେହି ରୂପେ ଦିଶଇ ॥
ଭୀମ ବୋଇଲେ ଦୌପଦୀ ଚାହିଁ ନ କର ମୋତେ ମାନ ।
ଯେବଣ କରେ କେଶ ତୋହର ଧରିଛି ଦୁଃଶାସନ ॥
ଛେଦିବି ଶିର ଭୁଜ ତାହାର ଶପଥ ଯୁଧିଷ୍ଠିର ।
ଯାଇ ପାଶୋର ବୋଲିଣ ବୀର ହୃଦେ କାଟିଲା ଗାର ॥
ଦେଖି ନିଷ୍ଠୁର ପାଣ୍ତବଙ୍କର ସତୀ ମନରେ ବ୍ୟଥା ।
ପାଇଣ ଦେବୀ ବସିଲେ ଭାବି ସୁମରି ଜଗତଜିତା ॥
ମନପବନ ଚୈତନ୍ୟ ଧ୍ୟାନ ଗୋବିନ୍ଦ ପାଦେଦେଇ ।
ମନ ବିରସ କହେ ଏ ରସ ଭୀମ ଧୀବର ଧ୍ୟାଇ ।॥
ପୃଷ୍ଠା:Kapata Pasha.pdf/୧୨
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ