ପୃଷ୍ଠା:Malunira Fula O Anyanya Galpa.pdf/୧୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦିନେ ଅବଧୂତ ଦେଖିଲେ, ଗୋଟାଏ ବଗ ଏକ ପୋଖରୀ କୂଳରେ ଚୁପ୍ ହୋଇ ଗୋଟାଏ ମାଛ ଆଡ଼କୁ ଚାହିଁ ଠିଆ ହୋଇଚି । ମାଛଟା ପାଖକୁ ଆସିଲେ ଖପ୍ କରି ଧରିନେବ । ଇଆଡେ଼ ଗୋଟାଏ ବ୍ୟାଧ ବଗକୁ ଲକ୍ଷ୍ୟକରି ରହିଚି । ବଗ ମାଛ ଆଡ଼କୁ ଏପରି ଭାବରେ ଏକ ଲୟରେ ଚାହିଁ ରହିଚି, ସେ ବ୍ୟାଧକୁ ଆଦୌ ଦେଖିପାରୁ ନାହିଁ ।

ଅବଧୂତ ବଗକୁ ନମସ୍କାର କରି କହିଲେ, ବାବା, ତୁମେ ମୋର ଗୁରୁ । ମୁଁ ଯେତେବେଳେ ଧ୍ୟାନରେ ବସିବି, ତୁମପରି ଯେପରି ଏକମନରେ ଧ୍ୟାନ କରିପାରେ !

ଅବଧୂତଙ୍କର ଆଉ ଜଣେ ଗୁରୁ ଥିଲା ମହୁମାଛି । ମହୁମାଛି ବହୁଦିନ ଧରି ବହୁ କଷ୍ଟରେ ମହୁ ସଞ୍ଚୟ କରେ । କୁଆଡ଼ୁ କେହି ଜଣେ ଆସି ମହୁଫେଣା ଭାଙ୍ଗି ମହୁ ନେଇ ଚାଲିଯାଏ । ଅନେକ କଷ୍ଟରେ ସଞ୍ଚିତ ଧନ ମହୁମାଛି ଭୋଗ କରିପାରେ ନାହିଁ ।

ତାକୁ ଦେଖି ଅବଧୂତ କହିଲେ, ମହୁମାଛି ମୋ'ର ଗୁରୁ । ସଞ୍ଚୟ କଲେ ପରିଣାମ ଯେ କ'ଣ ହୁଏ, ମହୁମାଛି ଠାରୁ ତା' ମୁଁ ଶିକ୍ଷାକଲି ।

ହନୁମାନ ସିଂ

କୁସ୍ତିରେ ହନୁମାନ ସିଂର ଏତେ ନାମ ଡାକ ନ ଥିଲେ ମଧ୍ୟ ସେ କିଛି କମ୍ ନ ଥିଲା । ତା'ର ଗୋଟିଏ ବଡ଼ ଗୁଣ ଥିଲା, ଯେତେ ବଡ଼ ପହିଲିମାନ ଆସୁ ନା କାହିଁକି, ସେ ତା' ସହିତ ଲଢ଼ିବାପାଇଁ ଭୟ କରୁ ନ ଥିଲା ।

ଥରେ ଜଣେ ନାମଜାଦା ପଞ୍ଜାବୀ ପହିଲିମାନ ସହିତ ହନୁମାନ ସିଂର ଲଢେ଼ଇ ହେଲା । ପଞ୍ଜାବୀ ପହିଲିମାନ ଦେଖିବାକୁ ଯେପରି ବଳିଷ୍ଠ, କୁସ୍ତିରେ ମଧ୍ୟ ସେହିପରି ଜଣେ ଓସ୍ତାଦ । ତା' ସହିତ କୁସ୍ତି ଲଢ଼ିବା ସହଜ କଥା ନ ଥିଲା ।

କୁସ୍ତିର ଦିନ ଠିକ୍ ହୋଇଗଲା । କୁସ୍ତିର ପନ୍ଦର ଦିନ ଆଗରୁ ପଞ୍ଜାବୀ ପହିଲିମାନ ଘିଅ, ମାଂସ, ବାଦାମ, ପେସ୍ତା ଖାଲି ଏଇଆ ଖାଇଲା । ଅନ୍ୟ ପକ୍ଷରେ ହନୁମାନ ସିଂ କିଛି ଦିନ ଧରି ଖୁବ୍ କମ୍ ଖାଇ ଭକ୍ତି ଭାବରେ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା । ହନୁମାନ ସିଂର ଦେହରେ ମଇଳା ଲୁଗା ଏବଂ ଦେଖିବାକୁ ପଞ୍ଜାବୀ ପରି ସେ ଏତେ ହୃଷ୍ଟ ପୁଷ୍ଟ ନୁହେଁ ।

ପଞ୍ଜାବୀ କୁସ୍ତିବାଲା ଓ ହନୁମାନ ସିଂକୁ ଦେଖି ଲୋକେ ଭାବିବାକୁ ଲାଗିଲେ, କୋଉଠି ପଞ୍ଜାବୀ, କୋଉଠି ହନୁମାନ ସିଂ । ହନୁମାନ ସିଂ ଆଦୌ ଜିଣି ପାରିବ ନାହିଁ । ହନୁମାନ ସିଂର ବନ୍ଧୁମାନେ ପଞ୍ଜାବୀ ସହିତ ଲଢ଼ିବାପାଇଁ ତାକୁ ମନା କରିବାକୁ ଲାଗିଲେ । କେହି କେହି କହିଲେ, "ହନୁମାନ! ଘିଅ, ଦୁଧ, ବାଦାମ, ପେସ୍ତା ଖାଇବା ଆରମ୍ଭ କରିଦିଅ, ତା' ନ ହେଲେ ତୁମେ ପାରିବ ନାହିଁ ।" କିନ୍ତୁ ହନୁମାନ ସିଂ କାହା କଥାରେ କାନ ଦେଲା ନାହିଁ । ଉପବାସ କଲା, ଗଙ୍ଗାସ୍ନାନ କଲା ଓ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା ।

ଦେଖୁ ଦେଖୁ କୁସ୍ତିର ଦିନ ଆସିଗଲା । କୁସ୍ତି ଦିନ ପଞ୍ଜାବୀ ପହିଲିମାନ ଘିଅ, ମାଂସ ଓ ନାନା ପ୍ରକାର ବଳକାରକ ଖାଦ୍ୟ ଖାଇଲା । ଏପଟେ ହନୁମାନ ସିଂ ଖାଡ଼ା ଉପବାସ