ପୃଷ୍ଠା:Malunira Fula O Anyanya Galpa.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଗଲା । କୁସ୍ତି ଦେଖିବାପାଇଁ ଚାରିଆଡ଼େ ଲୋକାରଣ୍ୟ । ବଡ଼ ବଡ଼ ଲୋକ ସବୁ କୁସ୍ତିର ବିଚାରକ । ପଞ୍ଜାବୀ ପହିଲିମାନ କୁସ୍ତିର ଆଖଡ଼ାରେ ଯାଇ ଠିଆହେଲା । ତା'ର ବିଶାଳ ବପୁ ଦେଖି ଦର୍ଶକମାନେ ଅବାକ୍ ହୋଇଗଲେ । ଅନ୍ୟଦିଗରେ ହନୁମାନ ସିଂ ଧୀରେ ଧୀରେ କୁସ୍ତି ଜାଗାରେ ଯାଇ ଠିଆହେଲା । କିନ୍ତୁ ହନୁମାନ ସିଂ ଆଜି ଯେପରି ଜଣେ ନୂଆ ଲୋକ, ଆଖିରେ ତା'ର ଉଜ୍ଜ୍ୱଳ ଦୀପ୍ତି । ମୁହଁରେ ତା'ର ଏକ ଶାନ୍ତ, ସ୍ଥିର ଭାବ ।

କୁସ୍ତି ଆରମ୍ଭ ହୋଇଗଲା । ଅଧିକାଂଶ ଦର୍ଶକ ମନେକଲେ, ହନୁମାନ ସିଂ ହାରିଯିବ । କିନ୍ତୁ କି ଆଶ୍ଚର୍ଯ୍ୟର କଥା ! ଅଳ୍ପ ସମୟ ମଧ୍ୟରେ ହନୁମାନ ସିଂ ପଞ୍ଜାବୀ ପହିଲିମାନକୁ ହରାଇ ଦେଲା । ବେକରେ ବିଜୟର ମାଳା ପିନ୍ଧି ହନୁମାନ ସିଂ ଚାଲି ଆସିଲା । ପଞ୍ଜାବୀ ପହିଲିମାନ ଓ ତା'ର ବନ୍ଧୁମାନେ ଆଦୌ ବୁଝି ପାରିଲେ ନାହିଁ ଯେ, କିପରି ହନୁମାନ ସିଂ ଦୁଇ ମିନିଟ୍ ସମୟ ମଧ୍ୟରେ ଏତେ ବଡ଼ ପହିଲିମାନକୁ ହରାଇ ଦେଇ ପାରିଲା ।