ପୃଷ୍ଠା:Malunira Fula O Anyanya Galpa.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚିନ୍ତା କରୁଛନ୍ତି, ଏହି ସମୟରେ ସର୍ବମଙ୍ଗଳା ଠାକୁର ଘରକୁ ଯାଇ ଦେବୀଙ୍କ ଭୋଗପାଇଁ ଥୁଆ ହୋଇଥିବା ଦହିକଡ଼ି ଖାଇବାକୁ ଆରମ୍ଭ କଲା । ହଠାତ୍ ବ୍ରାହ୍ମଣ ଚାହିଁଦେଇ କହିଲେ, "ମାଆ, ତୋର ଏ କି କାଣ୍ଡ ?"

ସର୍ବମଙ୍ଗଳା ସାଙ୍ଗେ ସାଙ୍ଗେ ଚାଲିଗଲା ।

ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କଲେ । ଏଥର ମଧ୍ୟ ସର୍ବମଙ୍ଗଳା ଯାଇ ସବୁ ଖାଇଦେଲା । ବ୍ରାହ୍ମଣୀ ପୁଣି ବ୍ୟବସ୍ଥା କଲେ । ପୁଣି ସର୍ବମଙ୍ଗଳା ଯାଇ ଖାଇଦେଲା । ବ୍ରାହ୍ମଣ ମହାବିରକ୍ତ ହୋଇ କହିଲେ, "ତୋର ଆଜି କ'ଣ ହୋଇଛି ? ତୁ ଯା, ଯା ଏଠୁ ।"

ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କରୁଥିଲେ । ସର୍ବମଙ୍ଗଳା ଯାଇ କହିଲା, "ମାଆ, ବାପା ମୋତେ ଆଜି ଚାଲିଯିବାକୁ କହିଲେ । ମୁଁ ତିନି ଦିନ ହେଲା ଭଲକରି ଖାଇନି । ମୋତେ ଭାରି ଭୋକ ହେଉଛି, ପୁଣି ବହୁତ ଦୂର ବାଟ ଯିବାକୁ ହେବ । ସେଥିାଇଁ ମୁଁ ଖାଉଛି ବୋଲି ବାପା ମୋତେ ଚାଲି ଯିବାକୁ କହିଲେ । ମା', ତା ହେଲେ ମୁଁ ଯାଉଛି ।"

ବ୍ରାହ୍ମଣୀ ପଛକୁ ଚାହିଁବାରୁ ଆଉ ଝିଅକୁ ଦେଖିଲେ ନାହିଁ । ସଙ୍ଗେ ସଙ୍ଗେ ଯାଇ ସ୍ୱାମୀଙ୍କୁ ସବୁ କଥା କହିଲେ । ବ୍ରାହ୍ମଣ ମନେ ମନେ ଭାବିଲେ ପାଗଳୀ ଶେଷକୁ ରାଗିକରି ଏକୁଟିଆ ଘରକୁ ଚାଲିଗଲା ! ପୂଜା କାର୍ଯ୍ୟ ଶେଷ କରି ସେ ଝିଅ ଘରେ ଯାଇ ପହଞ୍ଚିଲେ । ବ୍ରାହ୍ମଣ ସିଧା ଝିଅ ପାଖକୁ ଚାଲିଯାଇ କହିଲେ, "ମା, ପୂଜା ସମୟରେ ତୁ ବିଘ୍ନ କରୁଥିଲୁ ବୋଲି ତୋତେ ମୁଁ ଗାଳିଦେଲି । ସେଥିାଇଁ କଣ ରାଗିକରି ତୁ ଚାଲିଆସିଲୁ ମା ?"

ଝିଅ କହିଲା, "ଏ କ'ଣ କହୁଛ, ବାପା ? ମୁଁ କେତେବେଳେ ତମ ଘରକୁ ଗଲି ? ମୁଁ ତ ଯାଇନାହିଁ ।"

ବ୍ରାହ୍ମଣ ଏଥର ବୁଝି ପାରିଲେ, ଦେବୀ ତାଙ୍କ ଝିଅ ରୂ ଧରି ଆସିଥିଲେ । ଦେବୀଙ୍କର ଦୟାର କଥା ଚିନ୍ତା କରି ବ୍ରାହ୍ମଣ ଆନନ୍ଦରେ ଆତ୍ମହରା ହୋଇଗଲେ । ଦୁଇ ଆଖିରେ ଅଶ୍ରୁ ଧାରା, ମୁହଁରେ ଖାଲି 'ମାଆ, ମାଆ' ।

ପଥିକର ମନୋବାଞ୍ଛା

ଈଶ୍ୱର ସ୍ୱର୍ଗଲୋକର କଳ୍ପତରୁ । କଳ୍ପ ବୃକ୍ଷକୁ ଯାହା ମାଗିଲେ ଯେପରି ସେ ତାହା ଦେଇ ଦିଏ, ଈଶ୍ୱର ମଧ୍ୟ ସେହିପରି ପ୍ରାର୍ଥିତ ବର ଦାନ କରନ୍ତି । ତେଣୁ ମନରେ କୌଣସି ସାଂସାରିକ ବାସନା ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ ନୁହେଁ । ଧ୍ୟାନ, ସଂଯମ ଓ ପ୍ରାର୍ଥନା ଆଦି ଧାର୍ମିକ ସାଧନାଦ୍ୱାରା ମନକୁ ସମସ୍ତ ବାସନାଠାରୁ ଦୂରରେ ରଖିବା ଉଚିତ ।

ଏଠାରେ ଗୋଟିଏ କାହାଣୀ ଉଲ୍ଲେଖ କରାଯାଇପାରେ ।

ଜଣେ ପଥିକ ଥରେ ବୁଲି ବୁଲି ଏକ ସମତଳ ଅଞ୍ଚଳରେ ଆସି ପହଞ୍ଚିଲା । ବହୁ ସମୟ ଧରି ଖରାରେ ଚାଲୁଥିବାଯୋଗୁଁ ସେ କ୍ଲାନ୍ତ ହୋଇପଡ଼ିଥିଲା ଓ ତା' ଦେହରୁ ଝାଳ ଗମ ଗମ ବହି ଯାଉଥିଲା । ତେଣୁ ସେ ଗୋଟିଏ ଗଛର ଛାଇରେ ଥକା ମାରି ବସିଗଲା ।