ପୃଷ୍ଠା:Odisha Itihasa.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାମଚନ୍ଦ୍ର ଦେବ କଟକରେ ବନ୍ଦୀ ଥିବା ସମୟରେ ଖୋର୍ଦ୍ଧାରେ ତକି ଖାଁଙ୍କ ବିରୁଦ୍ଧରେ ବିଦ୍ରୋହ ହେଲା । ରାମଚନ୍ଦ୍ରଦେବଙ୍କ ପୁତ୍ରମାନଙ୍କ ସହିତ ଆଠଗଡ଼ (ଗଞ୍ଜାମ) ରାଜା ଏହାର ନେତୃତ୍ୱ ନେଇଥିଲେ । ମାତ୍ର ତକି ଖାଁ ବିଦ୍ରୋହୀମାନଙ୍କୁ ପରାଜିତ କଲେ । ଏହା ପରେ ତକି ଖାଁ ରାମଚନ୍ଦ୍ରଦେବଙ୍କୁ କଟକରୁ ମୁକ୍ତ କରି ଖୋର୍ଦ୍ଧାରେ ରହିବାକୁ ଅନୁମତି ଦେଲେ ।

ଏହି ସମୟରେ ପୁରୀ ଉପରେ ତକି ଖାଁଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଥିଲା । କାଳେ ସେ ମନ୍ଦିର ଆକ୍ରମଣ କରି ବିଗ୍ରହମାନଙ୍କୁ ନଷ୍ଟ କରିବେ, ସେହି ଆଶଙ୍କାରେ ରାମଚନ୍ଦ୍ରଦେବ ଜଗନ୍ନାଥ ବିଗ୍ରହଙ୍କୁ ନେଇ ବାଣପୁର ପଳାୟନ କଲେ ।ଏଥିରେ ତକି ଖାଁ କ୍ଷୁବ୍ଧ ହେଲେ । କାରଣ ବିଗ୍ରହ ବିନା ମନ୍ଦିର ତୀର୍ଥଯାତ୍ରୀ ହରାଇଲା ଏବଂ ନାଏବ ନଜିମ୍‍ ପୁରୀରୁ ଆଶା ଅନୁରୂପ ତୀର୍ଥଯାତ୍ରୀ କର ଅସୁଲ କରି ପାରିଲେ ନାହିଁ । ସେ ଖୋର୍ଦ୍ଧା ଆକ୍ରମଣ କଲେ । ଉଦ୍ଦେଶ୍ୟ ଥିଲା, ରାମଚନ୍ଦ୍ରଦେବଙ୍କର କ୍ଷତିସାଧନ କରିବା । ଭୟରେ ରାମଚନ୍ଦ୍ରଦେବ ପ୍ରଥମେ ନୟାଗଡ଼ ଓ ଖଣ୍ତାପଡ଼ା ଏବଂ ଶେଷରେ ବୋଲଗଡ଼ରେ ଯାଇ ଲୁଚି ରହିଲେ । ଜଗନ୍ନାଥଙ୍କ ବିଗ୍ରହ ବାଣପୁରରୁ ଟିକିଲି ଏବଂ ସେଠାରୁ ଖଲିକୋଟରେ ଲୁଚା ହୋଇ ରହିଲେ । ଯେହେତୁ ଦକ୍ଷିଣ ଓଡ଼ିଶାରେ ଖଲିକୋଟ ଉପରୁ ତକି ଖାଁଙ୍କ ଅଧିକାର ଲୋପ ପାଇଥିଲା, ବିଗ୍ରହକୁ ତାଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ତାହା ଉପଯୁକ୍ତ ସ୍ଥାନ ବିବେଚିତ ହେଲା । ମନ୍ଦିରରେ ବିଗ୍ରହ ନଥିବାରୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସପାଇଲା ଏବଂ ତକି ଖାଁ ମନ୍ଦିରର ଆୟବୃଦ୍ଧି କରିବାପାଇଁ ଶେଷରେ ବିଗ୍ରହ ପ୍ରତିଷ୍ଠାରେ ବାଧା ଦେଲେ ନାହିଁ । ତକି ଖାଁଙ୍କ ମୃତ୍ୟୁ (ମେ ୧୭୩୫) ପୂର୍ବରୁ ଜଗନ୍ନାଥ ମନ୍ଦିରରେ ବିଗ୍ରହଙ୍କୁ ପୁନଃପ୍ରତିଷ୍ଠା କରାଗଲା । ଯଥା ସମୟରେ ନବକଳେବର ମଧ୍ୟ ସମାପନ ହେଲା । ସର୍ବମୋଟ ୨୮ ମାସ ଧରି ମନ୍ଦିରରେ ବିଗ୍ରହ ନଥିଲେ । ମନ୍ଦିର ବନ୍ଦ ରହିଥିଲା ।

ତକି ଖାଁ ଶେଷରେ ଅନୁଭବ କଲେ ଯେ, ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ମନ୍ଦିରର ପରିଚାଳନା ରହିବାରେ ହିଁ ଆଶାମତେ ପୁରୀରେ ତୀର୍ଥଯାତ୍ରୀ ସମାଗମ ହେବେ । ଫଳରେ ରାଜ୍ୟ ଆଶାନୁରୂପ ତୀର୍ଥଯାତ୍ରୀ କର ଅସୁଲ କରିପାରିବ । ଗଜପତି, ମନ୍ଦିର ପଣ୍ତା ଓ ବ୍ରାହ୍ମଣମାନେ ମନ୍ଦିରରେ ବହିଃଶକ୍ତିର ଅନୁପ୍ରବେଶକୁ ନିରନ୍ତର ବିରୋଧ କରି ମନ୍ଦିରର ପାରମ୍ପରିକ ସାର୍ବଭୌମତ୍ୱ ପ୍ରତିପାଦନ କଲେ । ଆଜି ଏକବିଂଶ ଶତାବ୍ଦୀର ଆରମ୍ଭରେ ମଧ୍ୟ ପରମ୍ପରାରୁ ପ୍ରାପ୍ତ ମନ୍ଦିରର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରହିଛି ।

୧୭୩୫ରେ ତକି ଖାଁଙ୍କ ମୃତ୍ୟୁ ପରେ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁ ଓଡ଼ିଶାର ନାଏବ ନଜିମ୍‍ ନିଯୁକ୍ତ ହେଲେ । ମୀର୍‍ ହବିବ୍‍ ନାମରେ ଜଣେ ସୁଦକ୍ଷ ଅଧିକାରୀ ଥିଲେ ତାଙ୍କର ଏକାନ୍ତ ସହଯୋଗୀ । ଉଭୟ ନାଏବ ନଜିମ୍‍ ଓ ମୀର୍‍ ହବିବ୍‍ ଦୃଢ଼ ଭାବେ ଅନୁଭବ କଲେ ଯେ ମନ୍ଦିର ଗଜପତିଙ୍କ ପରିଚାଳନାରେ ରହିଲେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଲାଭହେବ । ଏଣିକି ପୁରୀରେ ବିଗ୍ରହ ଶାନ୍ତିରେ ରହିଲେ । ମାତ୍ର ମୀର୍‍ ହବିବ୍‍ ରାଜା ରାମଚନ୍ଦ୍ରଦେବଙ୍କ ଖୋର୍ଦ୍ଧା ସିଂହାସନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ପଦ୍ମନାଭ ଦେବଙ୍କୁ ୧୭୩୬ରେ ଖୋର୍ଦ୍ଧାର ରାଜା ଘୋଷଣା କଲେ । ରାମଚନ୍ଦ୍ରଦେବ ଭଗ୍ନ ମନୋରଥ ହୋଇ ନରସିଂହପୁର ରାଜାଙ୍କ ପାଖରେ ଯାଇ ଆଶ୍ରୟ ନେଲେ ।୧୨୬ . ଓଡ଼ିଶା ଇତିହାସ