ପୃଷ୍ଠା:Odisha Itihasa.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଲେ । ଚୁକ୍ତିର ସର୍ତ୍ତ ଅନୁଯାୟୀ ଅଲିବର୍ଦ୍ଦିଙ୍କ ବଙ୍ଗ ଅଧୀନରେ ଓଡ଼ିଶା ରହିବ, ମାତ୍ର ରାଜସ୍ୱ ଜମା ହେବ ଭୋଁସଲେଙ୍କ ରାଜକୋଷରେ । ମୀର ହବିବ୍‍ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ଆଦାୟ କରି ନାଗପୁର ପଠାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ । ମାତ୍ର ରାଜସ୍ୱ ଅସୁଲିରେ ସେ ବିଫଳ ହେଲେ । ଚୌଠ ଆଦାୟ ମଧ୍ୟ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ସେ ରାଜକୋଷର ଅର୍ଥ ତୋସରପାତ କରିଥିବାର ଅଭିଯୋଗ ନାଗପୁରରେ ପହଞ୍ଚିଲା । ରଘୁଜୀ ଭୋଁସଲେଙ୍କ ପୁତ୍ର ଜାନୁଜୀ ତଦନ୍ତପାଇଁ କଟକ ଆସିଥିବା ସମୟରେ ମୀର୍‍ ହବିବ୍‍ଙ୍କର ମୃତ୍ୟୁ ହେଲା । ଦ୍ୱିତୀୟ ସୁବାଦାର ମିର୍ଜା ସାଲେ (୧୭୫୨-୫୯) ସାତ ବର୍ଷ ଧରି ଓଡ଼ିଶାରେ ଶାସନ କଲେ । ମୀର୍‍ ହବିବ୍‍ଙ୍କ ସହଯୋଗୀ ଭାବରେ ସେ ଓଡ଼ିଶାର ଭୂଗୋଳ ଓ ରାଜନୀତି ସହିତ ପରିଚିତ ଥିଲେ । ପୂର୍ବରୁ ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ସହିତ ଅଧିକ ଚାରି ଲକ୍ଷ ଟଙ୍କା ଜମା କରିବାକୁ ତାଙ୍କୁ ଆଦେଶ ଦିଆଗଲା । ଅଲିବର୍ଦ୍ଦିଙ୍କଠାରୁ ସେ ଏହି ବଳକା ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ । ଅଲିବର୍ଦ୍ଦି ଚୌଠ ଦେବାକୁ ମନା କରିବାରୁ ମିର୍ଜା ସାଲେ ଓଡ଼ିଶାର ଜମିଦାରମାନଙ୍କଠାରୁ ତାହା ବଳପୂର୍ବକ ଆଦାୟ କରିବାକୁ ପ୍ରୟାସ କଲେ । ମାତ୍ର ତାଙ୍କୁ ଆଶାନୁରୂପ ସଫଳତା ମିଳି ପାରିଲା ନାହିଁ । ଅନ୍ୟ ପକ୍ଷରେ ମରାଠାଶାସନ ଅଧିକରୁ ଅଧିକ ଅପ୍ରିୟ ହେଲା । ରାଜସ୍ୱ ଜମା କରି ନପାରିବାରୁ ତାଙ୍କୁ ୧୭୫୯ରେ ଭୋଁସଲେ ରାଜା ଓଡ଼ିଶା ସୁବାଦାର ପଦବୀରୁ ବରଖାସ୍ତ କଲେ ।

ମିର୍ଜା ସାଲେ ଧାର୍ଯ୍ୟ ରାଜସ୍ୱ ରାଜକୋଷରେ ଜମା କରି ଭୋଁସଲେଙ୍କ ପ୍ରିୟଭାଜନ ହେବାକୁ ନାନା ଉପାୟ କରିଥିଲେ । ତାଙ୍କ ସମୟରେ ସିରାଜ ଉଦ୍ଦୌଲା ଓ ଇଂରେଜମାନଙ୍କ ମଧ୍ୟରେ ପଲାସୀ ଯୁଦ୍ଧ (୧୭୫୭) ସଂଘଟିତ ହେଲା । ସେ ଇଂରେଜମାନଙ୍କ ପକ୍ଷ ନେଇ ଯୁଦ୍ଧରେ ଜିଣିଲା ପରେ ସହଜରେ ଚୌଠ ଆଦାୟ କରିବେ ବୋଲି ଆଶା ରଖିଥିଲେ । ଏ ନେଇ ଏକ ପ୍ରତିଶ୍ରୁତି ମଧ୍ୟ ସେ ଇଂରେଜମାନଙ୍କ ପାଖରୁ ହାସଲ କରିଥିଲେ । ମାତ୍ର ପଲାସୀ ଯୁଦ୍ଧରେ ଜିଣିଲା ପରେ ଇଂରେଜମାନଙ୍କ ଶକ୍ତି ବୃଦ୍ଧି ପାଇଲା । ୧୭୬୪ରେ ବକ୍ସର ଯୁଦ୍ଧରେ ବିଜୟ ହାସଲ କଲା ପରେ ସେମାନେ ବଙ୍ଗ, ବିହାର ଓ ଓଡ଼ିଶାର ଦିଓ୍ୱାନୀ କ୍ଷମତା ହାସଲ କଲେ, ଯାହା ଫଳରେ ପ୍ରତିଶ୍ରୁତି ଭଙ୍ଗ କରିବା ସେମାନଙ୍କପାଇଁ ସହଜ ହେଲା । ଏମିତିରେ ବି ଇଂରେଜ ଇଷ୍ଟ ଇଣ୍ତିଆ କମ୍ପାନୀର ସାମ୍ରାଜ୍ୟବାଦୀ ଚରିତ୍ରକୁ ଯଦି ମିର୍ଜା ସାଲେ ବା ତତ୍‍କାଳୀନ ଅନ୍ୟ ଭାରତୀୟ ଶକ୍ତିମାନେ ବୁଝି ପାରିଥାନ୍ତେ, ପ୍ରତିଶ୍ରୁତି ହାସଲ କରିବା ଅମୂଳକ ବୋଲି ଜାଣି ପାରିଥାନ୍ତେ ।

୧୭୫୫ରେ ରଘୁଜୀ ଭୋଁସଲେଙ୍କ ମୃତ୍ୟୁ ହେଲା । ଏହାକୁ ସୁଯୋଗ ମନେକରି ବାରମ୍ବାର ମରାଠା ଆକ୍ରମଣରେ ତ୍ରସ୍ତ ଓଡ଼ିଶାର କେତେକ ଜମିଦାର ବିଦ୍ରୋହ ଆରମ୍ଭ କଲେ । ଏହା ଫଳରେ ମିର୍ଜା ସାଲେ ସୁବାଦାର ଭାବରେ ଅଧିକ ଅପଦସ୍ତ ହେଲେ । ତାଙ୍କ ପଦଚ୍ୟୁତି ପରେ (୧୭୫୯ରେ) ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪) ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ।

ଶେଓ ଭଟ୍ଟ ସାଠେ ସୁବାଦାର ନିଯୁକ୍ତ ହେବା ପୂର୍ବରୁ ଓଡିଶାରେ ବ୍ୟାପିଥିବା ଅରାଜକତାକୁ ଦୂର କରିବାଲାଗି ସୈନ୍ୟ ଚାଳନା ମଧ୍ୟ କରିଥିଲେ । ଏପରିକି ବାରବାଟୀ ଦୁର୍ଗର ଫୌଜଦାର୧୩୪ . ଓଡ଼ିଶା ଇତିହାସ