ପୃଷ୍ଠା:Odisha Itihasa.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୭୫ରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଗବେଷଣା ପରବର୍ତ୍ତୀ କାଳରେ ବହୁଦିନ ଧରି ଅବହେଳିତ ହୋଇ ରହିଥିଲା। ପରେ ୧୯୨୩ରେ ପରମାନନ୍ଦ ଆଚାର୍ଯ୍ୟ ଏହାର ପୁନରାରମ୍ଭ କରି ନିଜ ଗାଁ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବଇଦିପୁରଠାରେ ନୂତନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ପରେ ଆର.ଡି. ବାନାର୍ଜୀ "ଓଡ଼ିଶା ଇତିହାସ' (History of Odisha) ପୁସ୍ତକରେ ଓଡ଼ିଶାରେ ପ୍ରାକ୍-ଐତିହାସିକ ପ୍ରସ୍ତର ସଂସ୍କୃତି ରହିଥିବା କଥା ଉଲ୍ଲେଖ କଲେ। ପରମାନନ୍ଦ ଆଚାର୍ଯ୍ୟ ଓ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଗବେଷକ ଡବ୍ଲ୍ୟୁ.ସି. ଓରମ୍ୟାନଙ୍କ ମିଳିତ ଉଦ୍ୟମରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରୁ ମଧ୍ୟ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କୃତ ହେଲା। ୧୯୪୮ରେ କଲିକତା ବିଶ୍ୱବିଦ୍ୟାଳୟର ନିର୍ମଳ କୁମାର ବୋଷ ଓ ଧରଣୀ ସେନ୍‌ଙ୍କ ସହଯୋଗରେ ମଧ୍ୟ କୁଳିଅଣାଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହେଲା। ଏହାକୁ ଭାରତର ପ୍ରାକ୍-ଐତିହାସିକ ଗବେଷଣାର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ମନେ କରାଯାଏ। ଏଠାରୁ ମାଟିପାତ୍ର ଓ ଧାନ ମଧ୍ୟ ଆବିଷ୍କୃତ ହୋଇଛି।

ପରବର୍ତ୍ତୀ କାଳରେ ଓଡ଼ିଶାର ବହୁ ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କୃତ ହୋଇଛି। ପୁନା ଡେକାନ୍ କଲେଜର ପ୍ରତ୍ନତତ୍ତ୍ୱବିଦ୍ ଗୋପାଳଚନ୍ଦ୍ର ମହାପାତ୍ର ଉକ୍ତ ସ୍ଥାନଗୁଡ଼ିକର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ତାଲିକା ଅନୁଯାୟୀ ସ୍ଥାନଗୁଡ଼ିକ ହେଲା:

ମୟୂରଭଞ୍ଜ ଜିଲ୍ଲା: ବାରିପଦା, ବାଙ୍ଗିରିପୋଷି, କୁଳିଅଣା, କୁଚାଇ, ପ୍ରତାପପୁର, ସିର୍ସା, ବଇଦିପୁର, ଚିତ୍ରଡା, ହରିପୁର, କପ୍ତିପଦା, ଖିଚିଙ୍ଗ ଏବଂ ମଣ୍ତା।

ଅବିଭକ୍ତ ଢେଙ୍କାନାଳ ଜିଲ୍ଲା: ଢେଙ୍କାନାଳ, ଭୀମକୁଣ୍ତ, ହିନ୍ଦୋଳ ରୋଡ୍, ତାଳଚେର, ହରିଚନ୍ଦନପୁର ଓ ଡୁଁରିଆ।

ସୁନ୍ଦରଗଡ଼ ଜିଲ୍ଲା: ଜଙ୍ଗ୍ରା, ସାତକୁଟା, ବଣାଇଗଡ଼, ବିସ୍ରା, ଖଡ଼ିଆକୁଦର ଓ ଖୁଣ୍ଟାଗାଁ।
କେନ୍ଦୁଝର ଜିଲ୍ଲା: ଚମ୍ପୁଆ, ଜଗନ୍ନାଥପୁର, ରମଲା ଓ ପାଟଣା।
ଅବିଭକ୍ତ ପୁରୀ ଜିଲ୍ଲା: ଭୁବନେଶ୍ୱର, ଉଦୟଗିରି, ରଣପୁର ଓ ଶିଶୁପାଳଗଡ଼।
କଟକ ଜିଲ୍ଲା: ମଥୁରାପୁର (ଆଠଗଡ଼)।
ଗଞ୍ଜାମ ଜିଲ୍ଲା: ଜଉଗଡ଼।
ସମ୍ବଲପୁର ଜିଲ୍ଲା: ବୁର୍ସାପାଲି, କୁଡ଼ା ବଗା ଓ ଲସା (କୁଚିଣ୍ତା)

ଏହା ବାହାରେ ମଧ୍ୟ ବଲାଙ୍ଗୀର, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରସ୍ତର ଯୁଗୀୟ ଅବଶେଷର ସନ୍ଧାନ ମିଳିଛି।

ନୂତନ ପ୍ରସ୍ତର ଯୁଗ ହେଉଛି ପ୍ରାକ୍-ଐତିହାସିକ ସାଂସ୍କୃତିକ ବିବର୍ତ୍ତନର ଏକ ବୈପ୍ଳବିକ କାଳଖଣ୍ତ। ପ୍ରାଚୀନ ପ୍ରସ୍ତର ଯୁଗୀୟ ମଣିଷ ମୁଖ୍ୟତଃ ଶିକାର ଓ ଫଳମୂଳ ସଂଗ୍ରହକୁ ଜୀବିକା ନିର୍ବାହର ମାଧ୍ୟମ ରୂପେ ଗ୍ରହଣ କରିଥିଲା। ମଧ୍ୟ-ପ୍ରସ୍ତର ଯୁଗରେ ଶିକାରନିମିତ୍ତ ବ୍ୟବହୃତ ପ୍ରସ୍ତର ଉପକରଣରେ ଉନ୍ନତି ଦେଖାଗଲା, ମାତ୍ର ସେ ଆଗ ଭଳି କେବଳ ଶିକାରୀ ଓ ଫଳ ସଂଗ୍ରହକାରୀ ହୋଇ ରହିଲା। ନୂତନ ପ୍ରସ୍ତର ଯୁଗରେ ଶିକାର ଓ ଫଳମୂଳ ସଂଗ୍ରହ ବ୍ୟତୀତ ମଣିଷ ଉନ୍ନତ
୧୪ . ଓଡ଼ିଶା ଇତିହାସ