ପୃଷ୍ଠା:Odisha Itihasa.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଅଠରଗଡ଼ ମଉଡ଼ମଣି' ଉପାଧି ଧାରଣ କଲେ । ଏହି ଅଠରଟି ରାଜ୍ୟ ହେଲେ : ସମ୍ବଲପୁର, ପାଟଣା (ପାଟଣାଗଡ଼), ସୋନପୁର, ବଉଦ, ଆଠମଲ୍ଲିକ୍‍, ଖରିଆର, ରେଢ଼ାଖୋଲ, ବାମଣ୍ତା, ଗାଙ୍ଗପୁର, ବଣାଇ, ରାୟଗଡ଼, ବରଗଡ଼, ସାରଙ୍ଗଡ଼, ଶକ୍ତି, ଫୁଲଝର, ଚନ୍ଦ୍ରପୁର, ବିନ୍ଦ୍ରା-ନୂଆଗଡ଼ ଓ ସରଗୁଜା । ଅର୍ଥାତ୍‍ ଆଧୁନିକ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, କଳାହାଣ୍ତି, ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼, ବିଳାସପୁର, ସାରଙ୍ଗଡ଼ ଆଦି କ୍ଷେତ୍ରର ରାଜନୀତିକ କେନ୍ଦ୍ର ଭାବରେ ସମ୍ବଲପୁରକୁ ଲୋକେ ଜାଣିଲେ । ଏହି ବିସ୍ତୃତ କ୍ଷେତ୍ରର ଭାଷା, ସଂସ୍କୃତିରେ ସ୍ୱାତନ୍ତ୍ର୍ୟ ଅନୁମାନ କରି ଏବଂ କ୍ଷେତ୍ର ମଧ୍ୟସ୍ଥ ରାଜ୍ୟଗୁଡ଼ିକର ଭାଷା, ସଂସ୍କୃତି, ପରଂପରାରେ ସମାନତାକୁ ହୃଦୟଙ୍ଗମ କରି ବାହାରେ ଏହି ସମଗ୍ର କ୍ଷେତ୍ରକୁ ଏକ ରାଜ୍ୟ ବୋଲି ମନେ କରାଯାଉଥିଲା । ଏହାକୁ କୋଶଳ ନାମରେ ଅଭିହିତ କରି ସୋନପୁରର ଗଙ୍ଗାଧର ମିଶ୍ର ନାମରେ ଜଣେ କବି ସେହି ସମୟରେ 'କୋଶଳାନନ୍ଦ କାବ୍ୟ' ଶୀର୍ଷକରେ ଏକ ସଂସ୍କୃତ କାବ୍ୟ ମଧ୍ୟ ରଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ (୧୭୫୧) ମରାଠାମାନେ କଟକ ଅଧିକାର କଲେ । ନାଗପୁରରୁ ସେମାନେ ସମ୍ବଲପୁର ଦେଇ କଟକ ଯାଇଥିଲେ ଏବଂ ବାଟରେ ବାରମ୍ବାର ସମ୍ବଲପୁର ରାଜ୍ୟର ଗାଁ ଗଣ୍ତା ଉପରେ ଆକ୍ରମଣ କରିଥିଲେ । ଏସବୁ ସତ୍ତ୍ୱେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସମ୍ବଲପୁର ଅଧିକାର କରି ପାରି ନଥିଲେ । ଏହାର ଏକାଧିକ କାରଣ ମଧ୍ୟରୁ ଗୋଟାଏ ହେଲା ଯେ, କଟକରେ ପ୍ରତିଷ୍ଠିତ ହେଲା ପରେ ସେମାନେ ସମ୍ବଲପୁର ପ୍ରତି ଧ୍ୟାନ ଦେବାକୁ ମନସ୍ଥ କରିଥିଲେ, କାରଣ ବଙ୍ଗ ଦଖଲ ସେମାନଙ୍କର ଲକ୍ଷ୍ୟ ଥିଲା ଏବଂ ସେଥିପାଇଁ କଟକ ଓ ବାଲେଶ୍ୱରକୁ ଆଧାର ଭାବରେ ସେମାନେ ବିଚାର କରୁଥିଲେ । ଅନ୍ୟ ଏକ ପ୍ରମୁଖ କାରଣ ହେଲା, ସମ୍ବଲପୁର ରାଜା ମଧ୍ୟ ସାମରିକ ଦୃଷ୍ଟିରୁ ଯଥେଷ୍ଟ ବଳଶାଳୀ ଥିଲେ । ଦୁଇଥର ଖଣ୍ତ ଯୁଦ୍ଧରେ ମରାଠା ସେନାକୁ ସମ୍ବଲପୁର ରାଜା ପରାସ୍ତ କରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ସମ୍ବଲପୁର ରାଜବଂଶର ଦ୍ରୁତ ପତନ ହେଲା । ଚୌହାନ ରାଜା ଅଭୟ ସିଂହ ଓ ଦେଓ୍ୱାନ୍‍ ଆକବର ରାୟଙ୍କ ମଧ୍ୟରେ କଳହଯୋଗୁଁ ରାଜ୍ୟରେ ଗୃହଯୁଦ୍ଧପ୍ରାୟ ସ୍ଥିତି ଉପୁଜିଲା । ଦେଓ୍ୱାନ୍‍ଙ୍କୁ ରାଜା ବରଖାସ୍ତ କରି ତାଙ୍କ ସ୍ଥାନରେ କୃଷ୍ଣ ବଡ଼ମଲ୍ଲିକଙ୍କୁ ଦେଓ୍ୱାନ୍‍ ପଦରେ ନିଯୁକ୍ତ କଲା ପରେ ୧୭୬୬ ଜୁନ୍ ୧୭ ତାରିଖ ଦିନ ବରଖାସ୍ତ ଦେଓ୍ୱାନ୍‍ ଆକବର ରାୟ, ରାଜା ଅଭୟ ସିଂହ ଓ ନୂତନ ଦେଓ୍ୱାନଙ୍କୁ ବନ୍ଦୀ କଲେ ଏବଂ ପ୍ରାୟ ୩୦୦ ରାଜା ସମର୍ଥକଙ୍କୁ ହତ୍ୟା କଲେ । ଏହା ପରେ ସେ ନିଜେ ଶାସନଗାଦି ଅଧିକାର କରି ସମ୍ବଲପୁରର ରାଜା ହେଲେ । ଏହା ପରେ ଅଭୟ ସିଂହଙ୍କ ଭାଇ ଜୟନ୍ତ ସିଂହ ସାରଙ୍ଗଡ଼ ତଥା ଅନ୍ୟ କେତେକ ସାମନ୍ତ ରାଜ୍ୟର ସାହାଯ୍ୟରେ ସମ୍ବଲପୁର ଆକ୍ରମଣ କଲେ । ଏହି ପରିସ୍ଥିତିରେ ଆକବର ରାୟ ଜୟନ୍ତ ସିଂହଙ୍କ ସହ ସନ୍ଧି କରି ତାଙ୍କୁ ରାଜା ଭାବରେ ସ୍ୱୀକୃତି ଦେଲେ । ଅନ୍ୟ ପକ୍ଷରେ ମରାଠା ସେନାପତି ଚିମନଜୀ ମଧ୍ୟ ସମ୍ବଲପୁର ଅଧିକାର ପ୍ରତି ବିଶେଷ ମହତ୍ତ୍ୱ ନ ଦେଇ ନାଗପୁର ପ୍ରତ୍ୟାବର୍ତ୍ତନ କଲେ ।ଓଡ଼ିଶା ଇତିହାସ . ୧୫୪