ପୃଷ୍ଠା:Odisha Itihasa.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜମାନଙ୍କର ଓଡ଼ିଶା ଦଖଲ ପ୍ରସଙ୍ଗକୁ ଯଦି ବ୍ୟାଖ୍ୟା କରାଯାଏ, ତେବେ ଜଣାଯିବ ଯେ, ଇଂରେଜ ସାମ୍ରାଜ୍ୟବାଦୀ ନୀତିର ଏକ ବ୍ୟାପକ ପରିଧିରେ ଏହା ସମାହିତ ହୋଇଥିଲା । ଭାରତରେ ଇଂରେଜ ସାମ୍ରାଜ୍ୟର ବିସ୍ତାରଲାଗି ଓଡ଼ିଶାକୁ ଦଖଲ କରିବା ଏକ ଆବଶ୍ୟକତା ଥିଲା, କାରଣ ବଂଗ ଓ ମାଡ଼୍ରାସ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଏହା ସଂଯୋଗ ସ୍ଥାପନ କରୁଥିଲା । ଏହା ସତ୍ତ୍ୱେ, ଇଂରେଜମାନେ ୟୁରୋପ ରାଜନୀତିକୁ ଦୃଷ୍ଟିରେ ରଖି ଯୁଦ୍ଧଖୋର ନୀତି ଅବଲମ୍ବନ କରିବେ ନା ନାହିଁ- ତାହା ସ୍ଥିର କରୁଥିଲେ । ସେହି ଅନୁସାରେ ଗଭର୍ଣ୍ଣର ଜେନେରାଲ ଭାରତରେ ରାଜ୍ୟ ବିସ୍ତାର କଥା ଚିନ୍ତା କରୁଥିଲେ । ୧୮୦୪ରେ ମରାଠା କବଳରୁ ସମ୍ବଲପୁରକୁ ଦଖଲ କଲା ପରେ ସୁଦ୍ଧା ୧୮୦୬ରେ ପୁଣି ଫେରାଇ ଦିଆଗଲା, କାରଣ ୟୁରୋପରେ ନେପୋଲିୟ‌ନ୍‌ଙ୍କ ପକ୍ଷରୁ ଇଂରେଜମାନଙ୍କ ପ୍ରତି ବିପଦର ଆଶଙ୍କା ବୃଦ୍ଧି ପାଇଥିଲା ଏବଂ ଯୁଦ୍ଧ ବ୍ୟୟଯୋଗୁଁ ଇଷ୍ଟଇଣ୍ତିଆ କମ୍ପାନୀ ଇଂଲଣ୍ତରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲା । ଅନ୍ୟ ଶବ୍ଦରେ କହିଲେ, ଇଂରେଜମାନଙ୍କ ଆଗମନ ଉତ୍ତାରୁ ଓଡ଼ିଶା ଭଳି ଭାରତର କୋଣ ଅନୁକୋଣ ବିଶ୍ୱ ରାଜନୀତି ଓ ଅର୍ଥନୀତି ସହ ଓତପ୍ରୋତଃ ଭାବେ ସଂଲଗ୍ନୀକୃତ ହେଲେ; ଗୋଟାକର ପ୍ରଭାବ ଅନ୍ୟ ଉପରେ ଅଧିକରୁ ଅଧିକ ସୁସ୍ପଷ୍ଟ ହେଲା ।

ଓଡ଼ିଶା ଦଖଲ ବେଳେ ମରାଠାମାନଙ୍କ ଅପେକ୍ଷା ଇଂରେଜମାନଙ୍କ ପାଖରେ ଖୁବ୍‍ ଅଧିକ ସାମରିକ ଶକ୍ତି ଥିଲା । ଏକ ଅନୁମାନ ଅନୁଯାୟୀ, ସେତେବେଳେ ଓଡ଼ିଶାରେ ନିୟୋଜିତ ଥିବା ଇଂରେଜ ବାହିନୀରେ ଉଭୟ ଭାରତୀୟ ଓ ଇଂରେଜ ସୈନ୍ୟଙ୍କ ମୋଟ ସଂଖ୍ୟା ଥିଲା ୪୮୦୦ ପ୍ରାୟ । ଏହି ସମୟରେ ମରହଟ୍ଟା ବାହିନୀରେ ମାତ୍ର ୧୫୦୦ ଅଶ୍ୱାରୋହୀ ଓ ୧୦୦୦ ପଦାତିକ ସୈନ୍ୟ ଥିଲେ । ଇଂରେଜ ସେନାପତି ସେହି ଏକା ସମୟରେ ନାଗପୁର ଭୋଁସଲେଙ୍କ ଉପରେ ଆକ୍ରମଣ କରିଥିବାରୁ ନାଗପୁରରୁ ମରାଠା ସୈନ୍ୟ ଓଡ଼ିଶାକୁ ରକ୍ଷା କରିବାଲାଗି ଆସି ପାରିଲେ ନାହିଁ । ଦ୍ୱିତୀୟତଃ, ଇଂରେଜ ବାହିନୀ ତୁଳନାରେ ମରାଠା ବାହିନୀ ପ୍ରଶିକ୍ଷିତ ନଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଯେଉଁ ପରିମାଣରେ ଇଂରେଜମାନଙ୍କଠାରେ ମହଜୁଦ୍‍ ଥିଲା, ସେହି ପରିମାଣରେ ମରାଠାମାନଙ୍କ ପାଖରେ ନଥିଲା । ତେଣୁ, ସମ୍ମୁଖ ସମରରେ ଇଂରେଜମାନଙ୍କ ହାତରେ ମରାଠାମାନଙ୍କ ପାରଂପରିକ ସୈନ୍ୟବାହିନୀ ପରାଜିତ ହେବା ଏକ ରକମର ନିଶ୍ଚିତ ଥିଲା ।

ସୈନ୍ୟବଳ ଅଧିକ ହେବା ସହିତ ମରାଠା ଶକ୍ତି ବିରୁଦ୍ଧରେ କୂଟନୀତି ପ୍ରୟୋଗ କରି ସ୍ୱ-ବିଜୟକୁ ଇଂରେଜମାନେ ଖୁବ୍‍ ସହଜ କରିଦେଲେ । ଇଂରେଜମାନେ ନିଜେ ବିଦେଶୀ ହେବା ସତ୍ତ୍ୱେ ଓଡ଼ିଶାରେ ମରାଠାମାନଙ୍କୁ ଏକ ଅତ୍ୟାଚାରୀ ଶୋଷଣକାରୀ ବହିଃଶତ୍ରୁ ଓ ଅରାଜକ ଶକ୍ତି ଭାବରେ ପ୍ରଚାର କଲେ । ସ୍ଥାନୀୟ ରାଜାମାନଙ୍କୁ ମରାଠା ଦାଉରୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଓଡ଼ିଶାରେ ମରାଠାମାନଙ୍କୁ ମିତ୍ରଶୂନ୍ୟ କରିଦେଲେ । ସ୍ଥାନୀୟ ରାଜାମାନଙ୍କ ସହଯୋଗ ପାଇବାଲାଗି ସେମାନଙ୍କୁ ଅର୍ଥ ଦେବା ମଧ୍ୟ ଆରମ୍ଭ କଲେ । ଉଦାହରଣ ସ୍ୱରୂପ ଖୋର୍ଦ୍ଧା ରାଜାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଇଂରେଜମାନେ ତାଙ୍କଠାରୁ ମରାଠା ବିରୁଦ୍ଧରେ ପାଇକ ସେନାର ସହାୟତା ପାଇଲେ । ସମ୍ବଲପୁର, ସୋନପୁର ଆଦି ରାଜପରିବାର{{right|ଓଡ଼ିଶା ଇତିହାସ . ୧୫୭