ପୃଷ୍ଠା:Odisha Itihasa.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡେଟିଂ ପଦ୍ଧତିଦ୍ୱାରା ଏହି ସଂସ୍କୃତିର ସମୟକାଳ ପ୍ରାୟ ଖ୍ରୀ.ପୂ.୨୦୦୦ରୁ ଖ୍ରୀ.ପୂ. ୭୦୦ ବୋଲି ନିର୍ଦ୍ଧାରଣ କରାଯାଇଛି । ଜୋରୱେକୁ ବାଦଦେଲେ ମହାରାଷ୍ଟ୍ରର ନେଭାସା, ଦାଇମାବାଦ, ଚନ୍ଦୋଲି, ସୋନଗାଁଓ, ଇନାମଗାଁଓ, ପ୍ରକାଶ ଓ ନାସିକଠାରେ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅସ୍ତ୍ରଶସ୍ତ୍ର ଏବଂ ସଂସ୍କୃତି ଆବିଷ୍କୃତ ହୋଇଛି । ସର୍ବପ୍ରଥମେ ଲେକଲୋଚନକୁ ଆସିଥିବା 'ଜୋରୱେ ସଂସ୍କୃତି' ସହିତ ଏଗୁଡ଼ିକର ଅନେକ ସାମଞ୍ଜସ୍ୟ ରହିଥିବାରୁ ଏ ସମସ୍ତ ସଂସ୍କୃତିକୁ 'ଜୋରୱେ ସଂସ୍କୃତି' ନାମରେ ନାମିତ କରାଯାଏ । ଭାରତର ଆହୁରି ଅନେକ ସ୍ଥାନରୁ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ଆବିଷ୍କୃତ ହୋଇଛି । ତନ୍ମଧ୍ୟରେ ରହିଛି : ରାଜସ୍ଥାନର ଆହର (Ahar), ଗିଲୁନ୍ଦ (Gilund); ମଧ୍ୟପ୍ରଦେଶର କାୟଥା (Kayatha), ନାଭଦାଟୋଲି (Navadtoli), ମହେଶ୍ୱର (Maheswar), ଏରାନ (Eran); ଉତ୍ତର ପ୍ରଦେଶର କାକୁରିଆ (Kakuria), କୋଲଡିହା (Koldiha),ଖଜୁରିଆ (Khajuria); ବିହାରର ସୋନପୁର (Sonepur), ଚିରାନ୍ଦ (Chirand); ପଶ୍ଚିମବଙ୍ଗର ମହିଶ ଦାଲ (Mahisdal), ମଙ୍ଗଲକୋଟ (Mangalkot)ଏବଂ ପଣ୍ତୁରାଜାର ଡିବି (Pandu Rajar Dhibi) ।

୧୯୯୧-୯୨ରେ ଓଡ଼ିଶାରେ ପ୍ରଥମ କରି ଖୋର୍ଦ୍ଧା ଜିଲ୍ଲାର ଗୋଳବାଇଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ବି.କେ. ସିହ୍ନାଙ୍କ ନେତୃତ୍ୱରେ ହୋଇଥିବା ଖନନରୁ ତାମ୍ର-ପ୍ରସ୍ତର ଯୁଗୀୟ ସଂସ୍କୃତିର ଅବସ୍ଥିତି କଥା ସ୍ପଷ୍ଟ ହୁଏ । ଏହା ନୂତନ ପ୍ରସ୍ତର ଯୁଗ ଓ ଲୌହଯୁଗ ମଧ୍ୟବର୍ତ୍ତୀ କାଳଖଣ୍ତରେ ଘଟିତ ବିବର୍ତ୍ତନକୁ ଇଙ୍ଗିତ କରେ । ଓଡ଼ିଶା ତଥା ଓଡ଼ିଶା ବାହାରେ ହୋଇଥିବା ଖନନରୁ ଜଣାଯାଏ ଯେ, ଏହି ଯୁଗରେ ମଣିଷ ପଥର ବ୍ୟତୀତ ହାଡ, ତମ୍ବା ଓ ମାଟିକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣ ଲାଗି ବ୍ୟବହାର କରୁଥିଲା । ଆବିଷ୍କୃତ ପ୍ରସ୍ତର ଉପରକଣଗୁଡ଼ିକ ମଧ୍ୟରେ ରହିଛି କୁରାଢ଼ି, କ୍ଷୁଦ୍ରମୁନଯୁକ୍ତ ଛୁରୀ, ଜ୍ୟାମିତିକ ଆକାରର ଏକ ପ୍ରକାରର ଅର୍ଦ୍ଧ ଉପକରଣ- ଯାହାକୁ ଇଂରାଜୀରେ କୁହାଯାଏ Lunate, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ପ୍ରକାରର ଉପକରଣ ଏବଂ ଚାପ ପ୍ରୟୋଗ କରି ବିଭିନ୍ନ ଫଳର ଚୋପା ଛଡାଇବା ଲାଗି ଉଦ୍ଦିଷ୍ଟ ଉପକରଣ, ସୁଦୀର୍ଘ ବର୍ଚ୍ଛା, ଧନୁତୀର, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ଉପକରଣ (Borer) ଇତ୍ୟାଦି । ଏହା ବ୍ୟତୀତ ଖୋଦନପାଇଁ ଉଦ୍ଦିଷ୍ଟ ଏକ ପ୍ରକାର ଉପକରଣ, ଚମଡ଼ା ଉତାରିବାପାଇଁ ଉଦ୍ଦିଷ୍ଟ ଉପକରଣ, କାଟିବାପାଇଁ ବ୍ଲେଡ୍, ଫୋଡ଼ଣୀ, ଛୁରୀ, ନିହଣ, ଗଇଁତି ଏବଂ ଫସଲ କାଟିବା ଲାଗି ବ୍ୟବହାର ହେଉଥିବା ଦାଆ ପରି ଏକ ଉପକରଣ ମଧ୍ୟ ଅସ୍ଥି ନିର୍ମିତ ଥିଲା । ଖନନରୁ ଆବିଷ୍କୃତ ହୋଇଥିବା ତାମ୍ର ନିର୍ମିତ ଉପକରଣ ମଧ୍ୟରେ ଅଛି କାନ ଗହଣା, ନିହଣ ଓ ମାଛ କଣ୍ଟା । କୃଷି ଜାତ ଉତ୍ପାଦ ମଧ୍ୟରେ ପ୍ରଧାନ ଥିଲା ଧାନ ଓ କୋଳଥ । ଏହି ଯୁଗରେ ମଣିଷ ବିଭିନ୍ନ ରଂଗର ମାଟି ପାତ୍ର ମଧ୍ୟ ବ୍ୟବହାର କରୁଥିଲା । ସେଗୁଡ଼ିକ ମଧ୍ୟରେ ସରା, ବେଲା, ଥାଳି, ପଲମ, ହାଣ୍ତି, ସୁରେଇ, ଗିନା, ଗ୍ଲାସ, ବଇଠି ଏବଂ ବୃହତ ଆକାରର ଶସ୍ୟ ସଂରକ୍ଷଣ ପାତ୍ର ଆଦି ପ୍ରଧାନ ।୧୬ . ଓଡ଼ିଶା ଇତିହାସ