ପୃଷ୍ଠା:Odisha Itihasa.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ଏହି ନିୟମରେ ଚଳୁଥିଲେ । ରାସ୍ତାକଡ଼ର ଗାଁକୁ ଗାଁ ଲୋକେ ଛାଡ଼ି ଚାଲି ଯାଉଥିବା ପଛରେ ଏହା ହିଁ ଥିଲା ପ୍ରମୁଖ କାରଣ ।" ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ପୋଲିସ୍‍ ନଜରକୁ ଆସିଥିବା କେତୋଟି ସତୀଦାହ ଘଟଣା ଟୟନବୀ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ୧୮୧୨ରେ କନିକା ରାଜାଙ୍କ ମୃତ୍ୟୁ ପରେ ଏକା ସାଙ୍ଗରେ ତାଙ୍କର ୯ ଜଣ ବିଧବା ରାଣୀ ସତୀ ହୋଇଥିଲେ । ୧୮୧୫ରେ ମୋଟ ୮ଜଣ, ୧୮୧୬ରେ ୯ଜଣ, ୧୮୧୭ ଓ ୧୮୧୮ରେ ୧୪ ଜଣ ଲେଖାଏ ସତୀ ଦାହ ହୋଇଥିବାର ପୋଲିସ ଦାରୋଗାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିଲା ।

୧୮୨୫, ୧୮୨୬ ଓ ୧୮୨୭ରେ ଯଥାକ୍ରମେ ମୋଗଲବନ୍ଦି ଓଡ଼ିଶାର ମୋଟ ୧୬୬୯, ୧୯୨୫ ଓ ୧୬୪୮ଟି ଚୋରି ଓ ରାହାଜାନି ଘଟଣା ଥାନାରେ ରିପୋର୍ଟ ହୋଇଥିଲା । ତନ୍ମଧ୍ୟରୁ ଯଥାକ୍ରମେ ୩.୫୫, ୭.୧୩ ଏବଂ ୧୩.୦୨ ପ୍ରତିଶତ ଘଟଣାରେ ଦୋଷୀକୁ ଦଣ୍ତ ମିଳିଥିଲା । ବାକି ସବୁ ଘଟଣାରେ ନ୍ୟାୟ ମିଳି ନଥିଲା । ଏହି କାରଣରୁ ମଧ୍ୟ ଲୋକ ଚୋରି ବା ରାହାଜାନି ଘଟଣା ପୋଲିସ୍‍ ଦାରୋଗାଙ୍କ ନଜରକୁ ଆଣୁ ନଥିଲେ । ଏହି ସୂତ୍ରରେ କୁହାଯାଇପାରେ ଯେ, ମରାଠା ସମୟକୁ ଅରାଜକ ମୁଲକ କୁହାଯାଉଥିଲେ ସୁଦ୍ଧା, ଇଂରେଜ ରାଜତ୍ୱରେ ଓଡ଼ିଶା କମ୍‍ ଅରାଜକତାପୂର୍ଣ୍ଣ ନଥିଲା । ସମାଜରେ ଚୋର ଓ ଡକାୟତ ତ ଥିଲେ, କିନ୍ତୁ ଲୋକଙ୍କ ଦୃଷ୍ଟିରେ ପୋଲିସ ମଧ୍ୟ କୌଣସି ଚୋର-ଡକାୟତ ଅପେକ୍ଷା କମ୍‍ ଉପଦ୍ରବୀ ନଥିଲା ।

ସେତେବେଳେ (ଊନବିଂଶ ଶତାବ୍ଦୀର ଆରମ୍ଭରେ) ଓଡ଼ିଶାର ତିନୋଟି ପ୍ରମୁଖ ସହର ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୦୮ରୁ ୧୮୧୩ରେ ଏହି ସହରରେ ଲାଗି ରହିଥିବା ଚୋରି ଡକାୟତି ପଛରେ ମୁଖ୍ୟ କାରପଟଦାର୍‍ ଥିଲେ ରାତି ଜଗୁଆଳି ଭାବେ କାମ କରୁଥିବା ସିପାହୀମାନେ । ଯଦି ଦାରୋଗା ଏଭଳି କୌଣସି ଉପଦ୍ରବୀ ସିପାହୀକୁ ଗିରଫ କରନ୍ତି, ଗିରଫ ସିପାହୀଙ୍କ ସହଯୋଗୀମାନେ ଆସି ଦାରୋଗାଙ୍କ ସହ ମାଡ଼ଗୋଳ କରୁଥିଲେ । ଫଳରେ ସହରରେ ଦାରୋଗାଙ୍କୁ ଆକ୍ରମଣରୁ ରକ୍ଷା କରିବା ସକାଶେ ନୂଆ ଜଗୁଆଳି ସିପାହୀର ଆବଶ୍ୟକତା ପଡ଼ୁଥିଲା । ଏହା ୧୮୨୧ ପର୍ଯ୍ୟନ୍ତ ଚାଲିଥିଲା ବୋଲି ଟୟନବୀ ଉଲ୍ଲେଖ କରିଛନ୍ତି ।

କଟକରେ ଅବସ୍ଥାପିତ ଜିଲ୍ଲା ଜଜ୍‍ ଥିଲେ ସମଗ୍ର ଓଡ଼ିଶାର ସର୍ବୋଚ୍ଚ ନ୍ୟାୟ ଅଧିକାରୀ । ତାଙ୍କ ତଳେ ରହିଥିବା ସଦର ଅମିନ ଓ ମୁନିସିଫ୍‍ ନିଜ ନିଜ କଚେରିରେ କାର୍ଯ୍ୟ ପରିଚାଳନା କରୁଥିଲେ । ମୋଗଲବନ୍ଦିରେ ମୋଟ ୫ଟି ମୁନସିଫ୍‍ କୋର୍ଟ୍ ଥିଲା । ସେଗୁଡ଼ିକ କଟକ, ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଓ ଧାମନଗରରେ ଅବସ୍ଥିତ ଥିଲା । ଶୁଣାଣି ବେଳେ ବିଚାରକମାନେ ସରକାରୀ ଆଇନ, ହିନ୍ଦୁ ଓ ମୁସଲିମ୍‍ ଆଇନକୁ ଦୃଷ୍ଟିରେ ରଖି ବିଚାର କରୁଥିଲେ ।

୧୮୨୮ରେ ଟୟନବୀ ଓଡ଼ିଶାର ଦାରିଦ୍ର୍ୟକୁ ବର୍ଣ୍ଣନାକରି ଲେଖିଛନ୍ତି, "ଏଠାରେ(ଓଡ଼ିଶାରେ) ରୟତ ଚାଷୀମାନେ ଅତ୍ୟନ୍ତ ଦରିଦ୍ର; ସେମାନଙ୍କୁ ନିଜ ବାସଭୂମିରେ ବିକା କିଣା କରାଯାଏ । ପ୍ରାୟତଃ ସେମାନେ ଦାସ ସ୍ଥିତିରେ ।" ଓଡ଼ିଶାର ସାଧାରଣ ବ୍ୟକ୍ତିର ଭୋଜନ ସଂପର୍କରେ ସେ ଲେଖିଛନ୍ତି, "ସେମାନଙ୍କ ମୁଖ୍ୟ ଭୋଜନରେ ଭାତ ସହିତ ଜଙ୍ଗଲରୁ୧୭୬ . ଓଡ଼ିଶା ଇତିହାସ