ପୃଷ୍ଠା:Odisha Itihasa.pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦକ୍ଷିଣ ଓଡ଼ିଶା

ବଙ୍ଗରେ ମିଶିଥିବା ଓଡ଼ିଶା ଡିଭିଜନ ବା କଟକ, ପୁରୀ, ବାଲେଶ୍ୱର ଅଞ୍ଚଳକୁ ଇଂରେଜମାନେ ଦଖଲ କରିବା ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅନ୍ତର୍ଗତ ଗଞ୍ଜାମ ଏଜେନ୍‍ସିକୁ ଅଷ୍ଟାଦଶ ଶତକର ସପ୍ତମ ଦଶକ(୧୭୭୦) ବେଳକୁ ଦଖଲ କରି ସାରିଥିଲେ । ତେଣୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଏଥିରେ ସ୍ଥାନୀୟ ରାଜା, ଜମିଦାର, ପାଇକ ଓ ସର୍ଦ୍ଦାର (ଯଥା : ବିଶୋୟୀ, ଦୋରା ଓ ଦୋରତ୍ନମ୍‍) ଆଦି ବିଶେଷ ଭାବେ ନେତୃତ୍ୱ ଗ୍ରହଣ କରିଥିଲେ ।

ପାରଳାଖେମୁଣ୍ତି: ୧୭୬୭-୬୮ରେ ପାରଳାଖେମୁଣ୍ତିର ରାଜା ଜଗନ୍ନାଥ ନାରାୟଣ ଦେବ ତାଙ୍କ ରାଜ୍ୟରୁ ଇଂରେଜମାନଙ୍କୁ ହଟାଇବାକୁ ଉଦ୍ୟମ କଲେ । ଏଥିପାଇଁ ସେ କଟକସ୍ଥିତ ମରହଟ୍ଟା ସରକାରଠାରୁ ସହଯୋଗ କାମନା କରି ବିଫଳ ହେବାରୁ ପଡେ଼ାଶୀ ବିଜୟନଗରମ୍‍ ଓ ବଡ଼ଖେମୁଣ୍ତିର ରାଜାଙ୍କ ସାହାଯ୍ୟ ନେଇ ଯୁଦ୍ଧ କରିଥିଲେ । ସ୍ଥାନୀୟ ଜମିଦାରମାନଙ୍କଠାରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିଲା । ବଙ୍ଗ ଓ ମାଡ଼୍ରାସ୍‍ ମଧ୍ୟରେ ଇଂରେଜମାନଙ୍କ ଡାକ ବ୍ୟବସ୍ଥାକୁ ବ୍ୟାହତ କରି ସେ ବିଦ୍ରୋହ ଆରମ୍ଭ କରିଥିଲେ । ୧୭୬୮ରେ କର୍ଣ୍ଣେଲ୍‍ ପିଚ୍‍ଙ୍କ ନେତୃତ୍ୱରେ ଇଂରେଜ ସେନା ନାରାୟଣ ଦେବଙ୍କୁ ଜେଲମୁରଠାରେ ପରାସ୍ତ କଲେ । ଏହା ପରେ ରାଜା ଗାଦିଚ୍ୟୁତ ହେଲେ । ମାତ୍ର ରାଜ୍ୟରେ ତାଙ୍କ ପ୍ରଭାବ ଅବ୍ୟାହତ ରହିଲା । ନିଜ ସମର୍ଥକମାନଙ୍କ ସହଯୋଗରେ ନାରାୟଣ ଦେବ ପାରଳାଖେମୁଣ୍ତିରେ ଇଂରେଜମାନଙ୍କୁ ଖଜଣା ଆଦାୟ କରିବାକୁ ଦେଲେ ନାହିଁ । ଶେଷରେ ୧୭୭୦ରେ ତାଙ୍କର ମୃତ୍ୟୁ ପରେ ଗଜପତି ଦେବଙ୍କୁ (ନାରାୟଣ ଦେବଙ୍କ ପୁତ୍ର) ଇଂରେଜମାନେ ରାଜ୍ୟର ରାଜା ଭାବରେ ସ୍ୱୀକୃତି ଦେଲେ ।

ଗଜପତି ଦେବ ନିଜକୁ ସ୍ୱାଧୀନ ମନେ କରୁଥିଲେ । ମାତ୍ର ଇଂରେଜମାନେ ରାଜ୍ୟରେ ହସ୍ତକ୍ଷେପ କରିବା ଫଳରେ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ତିକ୍ତ ହେଲା । ୧୭୭୪ରେ ଗଜପତି ଦେବଙ୍କୁ ବନ୍ଦୀ କରି ବିଶାଖାପାଟନାରେ ରଖାଗଲା । ଏହାର ପ୍ରତିକ୍ରିୟା ସ୍ୱରୂପ ଆଦିବାସୀ ସର୍ଦ୍ଦାର ବିଶୋୟୀ ଓ ଦୋରାମାନେ ବିଦ୍ରୋହ କଲେ । ୧୭୮୦ ବେଳକୁ ବିଦ୍ରୋହ ବୃଦ୍ଧି ପାଇବାରୁ ୧୭୮୧ରେ ଇଂରେଜମାନେ ଗଜପତି ଦେବଙ୍କୁ ମୁକ୍ତ କରି ରାଜପଦ ଦେବାକୁ ବାଧ୍ୟ ହେଲେ । ଏହା ପରେ ୧୭୯୯ରେ ପୁଣି ବିଦ୍ରୋହ ହେବାରୁ ଗଜପତି ଦେବ ଏବଂ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରି ମସୁଲିପଟନମ୍‍ରେ ରଖାଗଲା ।

ଇଂରେଜ ଶାସନର ଏକ କ୍ରୂର ପରିଣାମ ଭାବରେ ପାରଳାଖେମୁଣ୍ତିର ଦୁର୍ଭିିକ୍ଷକୁ ଦେଖାଯାଇପାରେ । ଇଂରେଜମାନେ କଠୋର ଭାବେ ଖଜଣା ଆଦାୟ କରିବାରୁ ପ୍ରଜାଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗିଗଲା । ଫଳରେ ଅନାବୃଷ୍ଟି, ଦୁର୍ଭିିକ୍ଷ ଓ ଅନାହାର ମୃତ୍ୟୁର ରୂପ ନେଲା । ବାଧ୍ୟ ହୋଇ ଲୋକେ ପାରଳାଖେମୁଣ୍ତିରୁ ଜୟପୁର ଓ କଳାହାଣ୍ତି ଆଦି ରାଜ୍ୟକୁ ପଳାଇ ଗଲେ । ତିିନି{{right|ଓଡ଼ିଶା ଇତିହାସ . ୧୭୯