ପୃଷ୍ଠା:Odisha Itihasa.pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜା ଥିଲେ ଏବଂ ତାଙ୍କର ପରାମର୍ଶଦାତା ଜୟୀ ରାଜଗୁରୁଙ୍କ ହାତରେ ବିଦ୍ରୋହର ନେତୃତ୍ୱ ରହିଥିଲା । ବିଦ୍ରୋହ ଦମନ ପରେ ଯଦିଓ ରାଜା ବନ୍ଦୀ ହେଲେ, ତାଙ୍କୁ ପରେ ମୁକ୍ତ କରି ଦିଆଗଲା ଏବଂ କେତେକ ସର୍ତ୍ତ ସହିତ ପେନ୍‍ସନ୍‍ ଦେଇ ପୁରୀରେ ଅବସ୍ଥାନ କରିବାକୁ ବ୍ୟବସ୍ଥା କରାଗଲା । ଜୟୀ ରାଜଗୁରୁଙ୍କୁ ମେଦିନୀପୁର ଜେଲ୍‍ରେ ୧୮୦୬ରେ ପ୍ରାଣଦଣ୍ତ ଦିଆଗଲା । ଏଥିରୁ ଜୟୀ ରାଜଗୁରୁଙ୍କ ଇଂରେଜବିରୋଧୀ ଭୂମିକାକୁ ସ୍ପଷ୍ଟ ବୁଝି ହୁଏ । ୧୮୦୩ ସେପ୍ଟେମ୍ବର ମାସରେ ଇଂରେଜ ବାହିନୀ ଯେତେବେଳେ ଓଡ଼ିଶା ଦଖଲପାଇଁ ଗଞ୍ଜାମ ଦେଇ ପୁରୀ ଆସିଲେ, ସେତେବେଳେ ଇଂରେଜ ବାହିନୀର ଅଧିନାୟକ ହାରକୋର୍ଟଙ୍କର ମୁକୁନ୍ଦଦେବଙ୍କ ସହ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ, ଖୋର୍ଦ୍ଧା ରାଜ୍ୟ ମଧ୍ୟରେ ଇଂରେଜ ବାହିନୀର ଗତାଗତପାଇଁ ରାଜା ଅନୁମତି ଦେଲେ ଏବଂ ପ୍ରତିବଦଳରେ ହାର୍‍କୋର୍ଟଙ୍କଠାରୁ ଲକ୍ଷେ ଟଙ୍କା ପାଇବାର ପ୍ରତିଶ୍ରୁତି ପାଇଲେ। ମରାଠାମାନଙ୍କ ବିରୁଦ୍ଧରେ ଯୁଦ୍ଧ ବେଳେ ଖୋର୍ଦ୍ଧାର ପାଇକସେନା ସହଯୋଗ କରିବେ ବୋଲି କଥା ତୁଟିଲା । ପୂର୍ବରୁ ଗଜପତିଙ୍କ ସହ ଯୁଦ୍ଧ ବେଳେ ଖୋର୍ଦ୍ଧା ରାଜା ମରାଠା ସହାୟତା ନେଇଥିଲେ ଏବଂ ପ୍ରତିବଦଳରେ ଚବିଶକୁଦ, ରାହାଙ୍ଗ, ଲେମ୍ବାଇ ଓ ପୁରୁଷୋତ୍ତମ କ୍ଷେତ୍ର (ପୁରୀ) ମରାଠାମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ଫଳରେ ୧୮୦୩ ବେଳକୁ ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ପୁରୀ ଜଗନ୍ନାଥ ମନ୍ଦିର ଓ ଏହି ତିନୋଟି ପ୍ରଗଣା ନଥିଲା; ମରାଠାମାନଙ୍କ ହାତକୁ ଚାଲି ଯାଇଥିଲା । ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱକୁ ଫେରିପାଇବାପାଇଁ ରାଜା ଇଂରେଜମାନଙ୍କୁ ସହଯୋଗ କରିଥିଲେ । ତାଙ୍କର ଧାରଣା ଥିଲା, ଇଂରେଜମାନେ ଯେହେତୁ ଅଣହିନ୍ଦୁ,ମନ୍ଦିର ଅଧିକାର କଲା ପରେ ରାଜାଙ୍କୁ (ଖୋର୍ଦ୍ଧା ରାଜାଙ୍କୁ) ତା'ର ପରିଚାଳନା ଭାର ଫେରାଇଦେବେ । ମରାଠାମାନେ ବିତାଡ଼ିତ ହେଲା ପରେ ବନ୍ଧା ପଡ଼ିଥିବା ଅନ୍ୟ ପ୍ରଗଣାଗୁଡ଼ିକ ମଧ୍ୟ ରାଜା ଫେରିପାଇବେ । ଏସବୁ ବ୍ୟତୀତ ଖୋର୍ଦ୍ଧା ରାଜା କିଛି ଟଙ୍କା ମଧ୍ୟ ପାଇବେ ବୋଲି ଆଶା ରଖିଥିଲେ ।

ମୁକୁନ୍ଦ ଦେବଙ୍କ ଏହି ଚୁକ୍ତି ଓ ଆଶାକୁ ନେଇ ସମ୍ଭବତଃ ତାଙ୍କ ପରାମର୍ଶଦାତା ଜୟୀ ରାଜଗୁରୁ ସନ୍ତୁଷ୍ଟ ନଥିଲେ । ଆଧୁନିକ ଶିକ୍ଷିତ ନହେଲେ ବି ସେ ପାରମ୍ପରିକ ଶିକ୍ଷା ପାଇଥିଲେ ଏବଂ ଇଂରେଜ ଦଖଲ ପରେ ଆସନ୍ନ ବିପଦକୁ ସେ ବୁଝି ପାରିଥିଲେ । ମାତ୍ର ତାଙ୍କ ପରାମର୍ଶକୁ ଅଣଦେଖା କରି ଖୋର୍ଦ୍ଧା ଇଂରେଜମାନଙ୍କ ଓଡ଼ିଶା ଦଖଲରେ ସହଯୋଗ କଲା ।

ଓଡ଼ିଶା ଦଖଲ ବେଳେ ଇଂରେଜମାନଙ୍କୁ ଖୋର୍ଦ୍ଧା ପାଇକ ସେନାର ଆବଶ୍ୟକତା ପଡ଼ିଲା ନାହିଁ । ଇଂରେଜ ବାହିନୀ ନିଜ ବଳରେ ମରାଠାମାନଙ୍କୁ ପରାସ୍ତ କଲେ । ତେଣୁ ହାରକୋର୍ଟ ଚୁକ୍ତି ମତେ ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ମାତ୍ର ଦେଇ ଅବଶିଷ୍ଟ ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ମାତ୍ର ଖୋର୍ଦ୍ଧା ରାଜା ଇଂରେଜମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏକଜୁଟ କରିଥିବା ପାଇକମାନଙ୍କୁ ପ୍ରାପ୍ୟ ଦେବେ । ଖୋର୍ଦ୍ଧା ରାଜାଙ୍କ ବାର୍ଷିକ ପେଶକସ୍‍ ମଧ୍ୟ ଇଂରେଜମାନେ ଊଣା ଭାବରେ ଧାର୍ଯ୍ୟ କରିବା କଥା । କାରଣ ଓଡ଼ିଶା ଦଖଲ ବେଳେ ଉଭୟଙ୍କ ମଧ୍ୟରେ ମେଣ୍ଟ ଥିଲା । ମାତ୍ର ଓଡ଼ିଶା ଦଖଲ ପରେ ସେ ନେଇ କୌଣସି{{right|ଓଡ଼ିଶା ଇତିହାସ . ୧୮୩