Jump to content

ପୃଷ୍ଠା:Odisha Itihasa.pdf/୧୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳି ଥିଲା । ଯେଉଁ ଚାରୋଟି ପ୍ରଗଣା ମିଳିବ ବୋଲି ଆଶା ଥିଲା ତା ବି ହାରକୋର୍ଟ ଦେବାକୁ ସମ୍ମତ ନ ଥିଲେ । ଅସଲରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ବିଶେଷ ପ୍ରତିରୋଧର ସମ୍ମୁଖୀନ ନ ହେବାଯୋଗୁଁ ସେମାନଙ୍କର ଓଡ଼ିଶା ରାଜାମାନଙ୍କ ପ୍ରତି ଉପେକ୍ଷାଭାବ ବୃଦ୍ଧିପାଇଲା । ଯାହାର ଆଶୁ ପରିଣାମ ଥିଲା ଖୋର୍ଦ୍ଧାର ବିଦ୍ରୋହ । ମାର୍ଚ୍ଚ ୧୮୦୪ରେ ଜୟୀ ରାଜଗୁରୁ ୨୦୦୦ ପାଇକଙ୍କୁ ସାଙ୍ଗରେ ନେଇ ହାରକୋର୍ଟଙ୍କୁ କଟକରେ ଖୋର୍ଦ୍ଧାର ଦାବି ଜଣାଇଲେ । ମାତ୍ର ଅବଶିଷ୍ଟ ଟଙ୍କାରୁ ୨୦୦୦୦ ଟଙ୍କା ଦେବା ବ୍ୟତୀତ ଅନ୍ୟ ଦାବିଗୁଡ଼ିକୁ ହାରକୋର୍ଟ ପ୍ରତ୍ୟାଖ୍ୟାନ କଲେ । ଏହିଭଳି ଭାବେ ଅପମାନିତ ହୋଇ ଜୟୀ ରାଜଗୁରୁ କଟକରୁ ଫେରିଲେ ଏବଂ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହପାଇଁ ବ୍ୟାପକ ପ୍ରସ୍ତୁତି କଲେ । ସ୍ମରଣଯୋଗ୍ୟ ଯେ, ହାରକୋର୍ଟ ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ଅପେକ୍ଷା ଜୟୀ ରାଜଗୁରୁଙ୍କୁ ବଡ଼ ଶତ୍ରୁ ମଣୁଥିଲେ ।

୧୮୦୪ର ଉତ୍ତରାର୍ଦ୍ଧରେ ଖୋର୍ଦ୍ଧାରେ ବିଦ୍ରୋହ ତେଜିଲା, ଯେତେବେଳେ ଇଂରେଜ ଅଧିକାରୀ କେପ୍‍ଟେନ୍‍ ବ୍ଲଣ୍ଟଙ୍କୁ ରାଜଗୁରୁଙ୍କ ପରାମର୍ଶରେ ରାଜା ସାକ୍ଷାତ୍‍ କରିବାକୁ ସୁଦ୍ଧା ମନା କଲେ । ଅନ୍ୟ ପକ୍ଷରେ, ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାଲାଗି ରାଜଗୁରୁ କୁଜଙ୍ଗ, କନିକା, ମରିଚପୁର ଓ କିଶନପୁରର ରାଜା ଓ ଜମିଦାରଙ୍କ ସହ ମେଣ୍ଟ କଲେ । ମରାଠାମାନଙ୍କଠାରୁ ସମର୍ଥନ ପାଇବା ଆଶାରେ ନାଗପୁରର ଭୋଁସଲେ ରାଜାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ପ୍ରୟାସ କଲେ । ଏଥିରୁ ମନେହୁଏ ଯେ, ଜୟୀ ରାଜଗୁରୁ ଇଂରେଜମାନଙ୍କୁ ଏକ କ୍ଷୁଦ୍ର ଶକ୍ତି ବୋଲି ମନେ କରୁ ନଥିଲେ । ରାହାଙ୍ଗ, ଚବିଶକୁଦ, ଲେମ୍ବାଇ ଆଦି ପ୍ରଗଣାକୁ ଦଖଲ କରିବା ସକାଶେ ଖୋର୍ଦ୍ଧାରୁ ୨୫୦ ଅଶ୍ୱାରୋହୀ ଓ ପ୍ରାୟ ୨୦୦ ବରକନ୍ଦାଜ ବା ସିପାହୀଙ୍କୁ ପ୍ରେରଣ କରାଗଲା । ଖୋର୍ଦ୍ଧା ଅଧିକାରପାଇଁ ଆସିଥିବା କେପ୍‍ଟେନ୍‍ ହିକ୍‍ଲାଣ୍ତ ପିପିଲି ଫେରୁଥିବା ବେଳେ ୨୨ ନଭେମ୍ବରରେ ଖୋର୍ଦ୍ଧା ସୈନ୍ୟ କେବଳ ତାଙ୍କ ଉପରେ ଆକ୍ରମଣ କଲେ ନାହିଁ, ଅନେକ ଇଂରେଜ ସିପାହୀଙ୍କୁ ହତାହତ ମଧ୍ୟ କଲେ । ଏହା ପରେ ହାରକୋର୍ଟ ଏକ ବିରାଟ ବାହିନୀକୁ ନେଇ ୫ ଡିସେମ୍ବର ୧୮୦୪ରେ ଖୋର୍ଦ୍ଧାର ଦୁର୍ଗ ଅଧିକାର କରିନେଲେ । ରାଜା ନିଜର କେତେକ ବିଶ୍ୱସ୍ତ ସର୍ଦ୍ଦାରଙ୍କ ସହିତ ବରୁଣେଇ ଜଙ୍ଗଲକୁ ପଳାଇଲେ । ୩ ଜାନୁଆରି ୧୮୦୫ରେ ରାଜା ଓ ରାଜଗୁରୁଙ୍କୁ ବନ୍ଦି କରି ପ୍ରଥମେ କଟକରେ ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ଏହା ପରେ ବିଦ୍ରୋହ ଦମନ ହେଲା । ୧୮୦୭ରେ ବାର୍ଷିକ ୨୦୦୦ଟଙ୍କା ପେନସନ୍‍ ଦେଇ ମୁକୁନ୍ଦଦେବଙ୍କୁ ପୁରୀରେ ରଖିବାକୁ ସ୍ଥିର ହେଲା; ତା ପୂର୍ବରୁ ୬ ଡିସେମ୍ବର ୧୮୦୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ଫାଶୀ ଦିଆଗଲା । ଶେଷ ପର୍ଯ୍ୟନ୍ତ ଜୟୀ ରାଜଗୁରୁ ଇଂରେଜମାନଙ୍କଠାରେ କ୍ଷମା ଭିକ୍ଷା କରି ନଥିଲେ ।

ଖୋର୍ଦ୍ଧାରେ ଜୟୀ ରାଜଗୁରୁଙ୍କ ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଓଡ଼ିଶା ଦଖଲରେ ଇଂରେଜମାନଙ୍କୁ ସହଯୋଗ କରି ଖୋର୍ଦ୍ଧା ରାଜା ଯେଉଁ ଭୁଲ କରିଥିଲେ, ତା'ର ଭରଣାଲାଗି ଯେମିତି ଏହା ଉଦ୍ଦିଷ୍ଟ ଥିଲା । ଏଥିରେ ଖୋର୍ଦ୍ଧା ରାଜାଙ୍କ ଅପେକ୍ଷା ତାଙ୍କ ପରାମର୍ଶଦାତା୧୮୪ . ଓଡ଼ିଶା ଇତିହାସ