ପୃଷ୍ଠା:Odisha Itihasa.pdf/୧୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଜିଷ୍ଟ୍ରେଟ୍‍ ଏଡ଼୍‍ଓ୍ୱାର୍ଡ଼ ଇମ୍ପେ (Edward Impey), ଲେଫ୍‍ଟନାଣ୍ଟ ଟ୍ରାଭିସଙ୍କ (Lt. Travis) ନେତୃତ୍ୱରେ ୬୪ ଜଣ ସିପାହୀଙ୍କୁ ସାଙ୍ଗରେ ନେଇ ଖୋର୍ଦ୍ଧାରୁ ଦୁଇ ମାଇଲ୍‍ ଦୂରରେ ଅବସ୍ଥିତ ଗଙ୍ଗପଡ଼ାରେ ପହଞ୍ଚିଲେ । ୧୮୧୭ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବିଦ୍ରୋହୀଙ୍କ ହାତରେ ଲେଫ୍‍ଟନାଣ୍ଟ ଫାରିସ୍‍ ଓ ଜଣେ ସୁବେଦାର ନିହତ ହେଲେ । ସମଗ୍ର ଖୋର୍ଦ୍ଧାରେ ବିଦ୍ରୋହ ତେଜି ଉଠିଲା । ଏହା ଦେଖି ଇମ୍ପେ କଟକ ପ୍ରତ୍ୟାବର୍ତ୍ତନ କଲେ । ଇତି ମଧ୍ୟରେ ବିଦ୍ରୋହ ଲେମ୍ବାଇ, କୋଠଦେଶ ଓ ପିପିଲିକୁ ବ୍ୟାପିଲା । ଲେମ୍ବାଇରେ ସର୍ବରାକାର ଚରଣ ପଟ୍ଟନାୟକଙ୍କୁ ବିଦ୍ରୋହୀମାନେ ହତ୍ୟା କଲେ । ନୂତନ ବନ୍ଦୋବସ୍ତରେ ସର୍ବରାକାରମାନେ ରୟତମାନଙ୍କଠାରୁ ଖଜଣା ଅସୁଲ କରିବାପାଇଁ କଠୋର ନୀତି ଆଚରଣ କରୁଥିଲେ । ଅନ୍ୟଥା ଖଜଣା ଅସୁଲ କରି ନପାରିବା ଅପରାଧରେ ସେମାନଙ୍କୁ ନାନା ଦଣ୍ତ ଭୋଗ କରିବାକୁ ପଡୁଥିଲା । ସେଥିପାଇଁ ସେମାନେ ସରକାରଙ୍କ ପିୟପାତ୍ର ହେବାକୁ ଉଦ୍ୟମ କରି ରୟତବିରୋଧୀ ହେବାକୁ ବାଧ୍ୟ ହେଉଥିଲେ । ନିହତ ସର୍ବରାକାର ଚରଣ ପଟ୍ଟନାୟକ ବକ୍ସି ଜଗବନ୍ଧୁଙ୍କୁ ଦୁର୍ଦ୍ଦାନ୍ତ ପିଣ୍ତାରୀ ଡକାୟତମାନଙ୍କ ସହଯୋଗୀ ଭାବରେ ଚିତ୍ରଣ କରି ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ହତ୍ୟା କରି ବିଦ୍ରୋହୀମାନେ ନିଜ ଶକ୍ତିର ପରିଚୟ ଦେଲେ ।

୧୮୧୭ ଏପ୍ରିଲ୍‍ ୧୨ ତାରିଖରେ ଖୋର୍ଦ୍ଧାରେ ସାମରିକ ଆଇନ ଲାଗୁ ହେଲା । ଅନ୍ୟ ପକ୍ଷରେ ପ୍ରାୟ ପାଞ୍ଚରୁ ଦଶ ହଜାର ବିଦ୍ରୋହୀ ସେହିଦିନ ପୁରୀ ଅଧିକାର କରିନେଲେ । ସେଠାରେ ମଧ୍ୟ ସରକାରୀ କଚେରି ଓ କୋଠାଘରଗୁଡ଼ିକୁ ପୋଡ଼ିଦିଆଗଲା । ଇଂରେଜ ସୈନ୍ୟ ପଛଘୁଞ୍ଚା ଦେଲେ । ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ପୁରୀ ଛାଡ଼ି ଚାଲିଗଲେ । ଜଗବନ୍ଧୁ ପୁରୀ ଦଖଲ କଲା ପରେ ଖୋର୍ଦ୍ଧାର ଗାଦିଚ୍ୟୁତ ରାଜାଙ୍କୁ ବିଦ୍ରୋହର ନେତୃତ୍ୱ ନେବାକୁ ଅନୁରୋଧ କଲେ । ମାତ୍ର ରାଜା ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ । ଏପ୍ରିଲ୍‍ ୧୯ ତାରିଖ ସୁଦ୍ଧା ଖୋର୍ଦ୍ଧା ବ୍ୟତୀତ ପୁରୀ, ପିପିଲି ଏବଂ ଲେମ୍ବାଇରେ ସାମରିକ ଆଇନ ଲାଗୁ ହେଲା ।

୧୮୧୭ ମସିହା ମେ' ମାସ ଶେଷ ବେଳକୁ ସରକାର ଖୋର୍ଦ୍ଧା, ପୁରୀ ଓ ପିପିଲିରେ ବିଦ୍ରୋହୀମାନଙ୍କୁ ଦମନ କରିବାରେ ସଫଳ ହେଲେ । ପୁରୀରେ ବିଦ୍ରୋହୀମାନଙ୍କୁ ଦମନ କରିବାରେ କେପଟେନ୍‍ ପି.ଲେ. ଫେଭାର (Captain P Le Fevre) ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କାଳେ ଗାଦିୁଚ୍ୟୁତ ଖୋର୍ଦ୍ଧା ରାଜା ବିଦ୍ରୋହରେ ଯୋଗ ଦେଇପାରନ୍ତି, ଏହି ସନ୍ଦେହରେ ତାଙ୍କୁ କଟକ ସ୍ଥାନାନ୍ତର କରାଗଲା । ଗୃହବନ୍ଦୀ ଅବସ୍ଥାରେ ରାଜା କେତେ ମାସ କଟକରେ ନିଃସଙ୍ଗ ଜୀବନ ଅତିବାହିତ କରିବା ପରେ ଦେହତ୍ୟାଗ କଲେ ।

ପାଇକ ବିଦ୍ରୋହ କନିକା ଓ କୁଜଙ୍ଗକୁ ମଧ୍ୟ ବିସ୍ତାରିତ ହୋଇଥିଲା । ସରକାରଙ୍କ ସନ୍ଦେହ ଯେ, ସେଠାକାର ସ୍ଥାନୀୟ ରାଜା ବିଦ୍ରୋହୀମାନଙ୍କୁ ସହଯୋଗ କରୁଥିଲେ । ୧୮୧୭ ଅକ୍ଟୋବର ୨ତାରିଖ ଦିନ ମାତ୍ର ୬ଦିନର ସୈନ୍ୟ ଅଭିଯାନ ପରେ କୁଜଙ୍ଗ ରାଜା ଆତ୍ମସମର୍ପଣ କଲେ । ଅକ୍ଟୋବର ଶେଷ ସୁଦ୍ଧା ପାଇକ ବିଦ୍ରୋହ ପୂର୍ଣ୍ଣତଃ ଦମନ ହେଲା ବୋଲି ସରକାର ମନେକଲେ ।୧୮୮ . ଓଡ଼ିଶା ଇତିହାସ