ପୃଷ୍ଠା:Odisha Itihasa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଓରୁଆ'କୁ ଓଡ଼ିଆ 'ଅରୁଆ' ଶବ୍ଦରୁ ନିଆଯାଇଛି ବୋଲି ମଧ୍ୟ ଦାବି କରାଯାଏ । ଗ୍ରୀକ୍‍ରେ 'ଓରୁଜା'ର ଅର୍ଥ ଚାଉଳ ଏବଂ ଗ୍ରୀକ୍‍ ଭାଷାକୁ ଏହା ପ୍ରାଚ୍ୟରୁ ଯାଇଛି ବୋଲି ପ୍ରମାଣ ରହିଛି । ସେହି ସୂତ୍ରରେ ଗ୍ରୀକ୍‍ରେ 'ଓରିଟିସ୍‍' ବା 'ଓର' ହେଲା ଚାଉଳ ଉତ୍ପାଦନକାରୀ ବା ଭାତକୁ ମୁଖ୍ୟ ଭୋଜନ ଭାବରେ ଗ୍ରହଣ କରିଥିବା ଜାତିର ଲୋକ ସମୂହ । ଏଥିରୁ ଅନୁମାନ କରାଯାଏ ଯେ, ଓଡ଼ିଆପାଇଁ ନିର୍ଦ୍ଦିଷ୍ଟ ଭାବେ ଓରିଟିସ୍‍ ଶବ୍ଦ ବ୍ୟବହାର କରାଯାଇଛି । ନବମ ଓ ଦଶମ ଶତାବ୍ଦୀର ଦୁଇଜଣ ମଧ୍ୟଏସିଆର ଭୌଗୋଳିକ ଇବନ୍‍ ଖୁର୍ଦ୍ଦାଦଭି ଓ ହାଦୁଦ୍‍ ଅଲ୍‍ ଆଲାନ ଓଡ଼ିଶାକୁ 'ଉର୍ସିନ' ବା 'ଉର୍ସଫିନ' ବୋଲି ଉଲ୍ଲେଖ କରିଛନ୍ତି । ଏକାଦଶ ଶତାବ୍ଦୀରେ ଆଲବେରୁନି ତାଙ୍କ ପ୍ରସିଦ୍ଧ ପୁସ୍ତକ 'ଇଣ୍ତିଆ'ରେ ଓଡ଼ିଶାକୁ 'ଉର୍ଦ୍ଦାବିଶାଉ'(Urdavisau) ବୋଲି ଲେଖିଛନ୍ତି, ଯାହାକୁ ସଂସ୍କୃତ 'ଓଡ୍ର ବିଷୟ' ବା ଓଡ୍ର ପ୍ରଦେଶର ଅପଭ୍ରଂଶ ଭାବରେ ଗ୍ରହଣ କରାଯାଏ । ପ୍ରଥମ ଥରପାଇଁ ସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦଶ ଶତାବ୍ଦୀରେ ସାମ୍‍ସଇ ସିରାଜ ଅଫିପ ନାମକ ଜଣେ ମୁସଲିମ୍‍ ଲେଖକ ଯାଜନଗର ଉଡ଼ିଶା କ୍ଷେତ୍ରର ନାମୋଲ୍ଲେଖ କରିଛନ୍ତି । ସେହି ସମୟରେ ସୀମାଚଳମର ଏକ ଶିଳାଲେଖରେ "ଓଡ୍ୟାଦେଶ' ନାମର ଉଲ୍ଲେଖ ରହିଛି । 'ଓଡିଶା', 'ଓଡ଼ିଶା ରାଷ୍ଟ୍ର', ତଥା 'ଓଡ଼ିଶା ରାଜ୍ୟ' ଆଦି ନାମର ବ୍ୟବହାର ଗଜପତି ରାଜା କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ କରିଛନ୍ତି । ଏହା ପରେ ଉଭୟ ସରକାରୀ ନଥିପତ୍ରରେ ତଥା ଲୌକିକ ସ୍ତରରେ 'ଓଡ଼ିଶା' ନାମ ଲୋକପ୍ରିୟ ହୋଇଛି । ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସ ମଧ୍ୟ ତାଙ୍କ ରଚନାରେ ଓଡ଼ିଶା ରାଷ୍ଟ୍ର ବା 'ଓଡ଼ରାଷ୍ଟ୍ର'ର ଉଲ୍ଲେଖ କରିଛନ୍ତି । ଏଥିରୁ ଗୋଟିଏ କଥା ସାବ୍ୟସ୍ତ ହୁଏ ଯେ, ଅନ୍ତତଃ ମଧ୍ୟକାଳରୁ ବା ହୋଇପାରେ ପ୍ରାଚୀନ କାଳରୁ, ଆଜି ଓଡ଼ିଶା ନାମରେ ଖ୍ୟାତ ଅଞ୍ଚଳକୁ ତଥା ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ 'ଉଡ୍ର', 'ଓର' ଆଦି ନାମରେ ଲୋକ ଜାଣୁଥିଲେ । ସମୟ କ୍ରମେ ଅର୍ଥାତ୍‍ ଆଧୁନିକ କାଳରେ ଏହି ନାମକୁ ମହତ୍ତ୍ୱ ମିଳିଲା, କାରଣ ଏହାର ମୁଖ୍ୟ ଆଧାର ହେଲା ଭାଷା- ଯାହା 'କଳିଙ୍ଗ' ବା 'ଉତ୍କଳ' ନାମରେ ନଥିଲା ।

ସାଧାରଣତଃ ଆଧୁନିକ ଓଡ଼ିଶାର ଅଧିକାଂଶ ଭାଗ ପ୍ରାଚୀନ କାଳରେ କଳିଙ୍ଗ ରାଜ୍ୟର ଅଂଶ ହୋଇ ରହିଥିଲା । ସେହି ଆଧାରରେ ଆଧୁନିକ ସମୟରେ ମଧ୍ୟ କଳିଙ୍ଗକୁ ଓଡ଼ିଶାର ଅନ୍ୟ ଏକ ନାମ ବୋଲି ବିବେଚନା କରାଯାଏ । ଏହି କାରଣରୁ ଓଡ଼ିଶାର ଐତିହାସିକ ଭୂଗୋଳକୁ ନେଇ ବିଚାର କଲାବେଳେ କଳିଙ୍ଗର ଅବତାରଣା ଅପ୍ରାସଙ୍ଗିକ ନୁହେଁ ।

ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ କଳିଙ୍ଗକୁ ନେଇ ଅନେକ ଉଲ୍ଲେଖ ଦେଖିବାକୁ ମିଳେ । ମହାଭାରତରେ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ତ୍ର ଓ ସୁମହର ଏକାଧିକ ସ୍ଥାନରେ ସୂଚନା ରହିଛି । 'ବନ ପର୍ବ'ରେ ଲୋମଶ ଋଷି କଳିଙ୍ଗ ରାଜ୍ୟରେ ବୈତରଣୀ ନଦୀ ପ୍ରବାହିତ ବୋଲି କହିଛନ୍ତି । ଯଦିଓ ଏହି ସୂଚନାରୁ କଳିଙ୍ଗ ରାଜ୍ୟର ମୋଟ ଆୟତନ ସମ୍ବନ୍ଧରେ ବିଶେଷ କିଛି ଧାରଣା କରିହୁଏ ନାହିଁ, ତଥାପି ମହାଭାରତ ରଚନା ସମୟରେ କଳିଙ୍ଗ ରାଜ୍ୟ ରହିଥିଲା ବୋଲି ଧାରଣା କରିହୁଏ । ଏହାର ରାଜଧାନୀ ଥିଲା ଦନ୍ତକୁରା ବା ଦନ୍ତପୁର, ଯାହାକୁ ପ୍ଳିିନି ଦଂଡଗୁଲ ବୋଲି ନାମିତ କରିଛନ୍ତି ।୨୦ . ଓଡ଼ିଶା ଇତିହାସ