ପୃଷ୍ଠା:Odisha Itihasa.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗାନଦୀର ଦକ୍ଷିଣ ଦିଗରେ ୫୭୦ ମାଇଲ ଦୂରରେ ଦନ୍ତପୁର ଅବସ୍ଥିତ ବୋଲି ବର୍ଣ୍ଣନା ରହିଛି । କଳିଙ୍ଗର ଲୋକମାନଙ୍କୁ କଳିଙ୍ଗା, ମାକୋଳିଙ୍ଗ ଓ ଗଙ୍ଗାକଳିଙ୍ଗା ଆଦି ତିନି ଭାଗରେ ବିଭକ୍ତ କରାଯାଏ । ଏଥିରୁ ଐତିହାସିକମାନେ ଅନୁମାନ କରନ୍ତି ଯେ, କଳିଙ୍ଗ ସାମ୍ରାଜ୍ୟ ପ୍ରଥମ ଶତାବ୍ଦୀ ବେଳକୁ ଉତ୍ତରରେ ଗଙ୍ଗାନଦୀର ମୁହାଣଠାରୁ ଦକ୍ଷିଣରେ ଗୋଦାବରୀ ସୀମା ଯାଏଁ ବିସ୍ତୃତ ଥିଲା ।
ଅଶୋକଙ୍କ ଶିଳାଲେଖରେ କଳିଙ୍ଗକୁ 'ଆଟବିକ୍‍' ରାଜ୍ୟ ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ 'ବିଦ୍ୟାଧର' ରାଜ୍ୟ ବୋଲି କୁହାଯାଇଛି । ଷଷ୍ଠ ଶତାବ୍ଦୀର ଲୋକ ବିଗ୍ରହଙ୍କ କଣାସ ତାମ୍ରଲେଖରେ ଏହି ଅଞ୍ଚଳକୁ ଅଷ୍ଟାଦଶ ଆଟବିକ୍‍ ରାଜ୍ୟ ବୋଲି ବର୍ଣ୍ଣନା କରାଯାଇଛି । ତାମ୍ର ଲେଖ ଅନୁଯାୟୀ ଏହି ରାଜ୍ୟ ବୁନ୍ଦେଲଖଣ୍ତ ଓ ପୂର୍ବ ସମୁଦ୍ର ଉପକୂଳର ମଧ୍ୟବର୍ତ୍ତୀ କ୍ଷେତ୍ରରେ ଅବସ୍ଥିତ ଥିଲା ।
ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ମଗଧର ନନ୍ଦରାଜା ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ରାଜ୍ୟର ସମଗ୍ର ତଟବର୍ତ୍ତୀ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିଥିଲେ । ଶିଳାଲେଖରେ କଳିଙ୍ଗର ରାଜଧାନୀ ପିଥୁଣ୍ତ ବୋଲି କୁହାଯାଇଛି । ମନେହୁଏ, ଏହା ଏକ ବନ୍ଦର ନଗରୀ ଥିଲା, ଯାହାକୁ ନନ୍ଦରାଜା ଯୁଦ୍ଧ ବେଳେ ଧ୍ୱଂସ କରି ଜନମାନବଶୂନ୍ୟ କରି ଦେଇଥିଲେ । ଖ୍ରୀଷ୍ଟପୂର୍ବ ୨୬୧ରେ ଇତିହାସ ପ୍ରସିଦ୍ଧ 'କଳିଙ୍ଗ ଯୁଦ୍ଧ' ପରେ ଏହି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ସମ୍ରାଟ ଅଶୋକ ଏହାକୁ ନିଜ ସାମ୍ରାଜ୍ୟର ଏକ ପ୍ରଦେଶରେ ପରିଣତ କଲେ । ମନେହୁଏ, ପ୍ରାଶାସନିକ ସୁବିଧା ନିମନ୍ତେ ଅଶୋକ କଳିଙ୍ଗରେ ଦୁଇଟି ରାଜଧାନୀ କରିଥିଲେ । ଗୋଟିଏ ହେଲା ତୋଷାଳୀ ଏବଂ ଅନ୍ୟଟି ସମାପା ।ତୋଷାଳୀକୁ ଭୁବନେଶ୍ୱର ନିକଟବର୍ତ୍ତୀ ଶିଶୁପାଳଗଡ଼ ସହିତ ଏବଂ ସମାପାକୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଜଉଗଡ଼ ସହିତ ଚିହ୍ନିତ କରାଯାଏ । ଏଥିରୁ ଅନୁମାନ କରାଯାଏ ଯେ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗ ଆଧୁନିକ ପୁରୀ, କଟକ, ଭୁବନେଶ୍ୱର ଓ ଗଞ୍ଜାମ ସୀମା ଯାଏ ପରିବ୍ୟାପ୍ତ ଥିଲା ।

ଚତୁର୍ଥ ଶତାବ୍ଦୀରେ ଲିଖିତ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭାଭିଲେଖରେ କଳିଙ୍ଗର କୌଣସି ଉଲ୍ଲେଖ ଦେଖିବାକୁ ମିଳେ ନାହିଁ । ବୋଧହୁଏ ସମସାମୟିକ ମାଠର ରାଜତ୍ୱ ବେଳକୁ କଳିଙ୍ଗ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇସାରିଥିଲା । ସ୍ତମ୍ଭାଭିଲେଖରେ ନାମ ଉଲ୍ଲିଖିତ ହେବା ଭଳି ମହତ୍ତ୍ୱ ତା'ର ଆଉ ରହିନଥିଲା । ମାଠରମାନଙ୍କ ପରେ ଷଷ୍ଠ ଶତାବ୍ଦୀର ଆରମ୍ଭ ବେଳକୁ ପୂର୍ବ ଗଙ୍ଗମାନେ କଳିଙ୍ଗ ଅଞ୍ଚଳକୁ ଅଧିକାର କଲେ । ଏହି ସମୟରେ କଳିଙ୍ଗର ସୀମା ଆହୁରି ସଂକୀର୍ଣ୍ଣ ହୋଇ ପଡିଲା । ଆଧୁନିକ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପର୍ଯ୍ୟନ୍ତ ଏହାର କ୍ଷେତ୍ର ସୀମିତ ରହିଥିଲା । ଏହାର ରାଜଧାନୀର ନାମ ଥିଲା କଳିଙ୍ଗନଗର, ଯାହାକୁ ଶ୍ରୀକାକୁଲମ୍‍ ନିକଟସ୍ଥ ମୁଖଲିଙ୍ଗମ୍‍ ସହିତ ଚିହ୍ନିତ କରାଯାଏ । ଏମିତିରେ କଳିଙ୍ଗାଧିପତି ନାମରେ ପରିଚିତ ଖାରବେଳ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ବା ପ୍ରଥମ ଶତାବ୍ଦୀ) ମଧ୍ୟ ତାଙ୍କ ରାଜଧାନୀକୁ 'କଳିଙ୍ଗନଗର' ବୋଲି ଉଲ୍ଲେଖ କରିଛନ୍ତି । ଖାରବେଳଙ୍କ କଳିଙ୍ଗନଗରକୁ ଆଧୁନିକ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହ ଚିହ୍ନିତ କରାଯାଏ ।

ଓଡ଼ିଶା ଇତିହାସ . ୨୧