ପୃଷ୍ଠା:Odisha Itihasa.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସପ୍ତମ ଶତାବ୍ଦୀରେ ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ କଳିଙ୍ଗ ଭ୍ରମଣ କରିଥିବାର ପ୍ରମାଣ ରହିଛି । ତାଙ୍କ ବର୍ଣ୍ଣନା ଅନୁଯାୟୀ, କଙ୍ଗୋଦର ଦକ୍ଷିଣ ପଶ୍ଚିମ ଦିଗରେ ପ୍ରାୟ ୧୪୦୦ରୁ ୧୫୦୦ ମାଇଲ ଦୂରରେ କଳିଙ୍ଗ ରାଜ୍ୟ ଅବସ୍ଥିତ । ସେତେବେଳେ କଳିଙ୍ଗର କ୍ଷେତ୍ରଫଳ ଥିଲା ପ୍ରାୟ ୫୦୦ବର୍ଗମାଇଲ । ପୁରୀ, ଗଞ୍ଜାମର ଉତ୍ତରାଞ୍ଚଳ ଓ ଆଧୁନିକ ବୌଦ୍ଧ ଜିଲ୍ଲାକୁ ମିଶାଇ କଳିଙ୍ଗ ରାଜ୍ୟ ଗଠିତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଗଙ୍ଗସାମ୍ରାଜ୍ୟର ଖୁବ୍‍ ବିସ୍ତୃତି ଘଟିଥିଲା । ଦ୍ୱାଦଶ ଶତାବ୍ଦୀର ଆରମ୍ଭରେ ଚୋଡ଼ଗଙ୍ଗଦେବ (୧୧୧୦ରେ) କଳିଙ୍ଗକୁ ଅଧିକାର କରି ନିଜ ସାମ୍ରାଜ୍ୟଭୁକ୍ତ କଲେ । ତେଣିକି କଳିଙ୍ଗ ଦଣ୍ତପାଟ ନାମରେ ଏହା ଗଙ୍ଗସାମ୍ରାଜ୍ୟର ଏକ କେନ୍ଦ୍ର ରାଜ୍ୟ ରୂପେ ପରିଚୟ ପାଇଲା । ଚୋଡ଼ଗଙ୍ଗ ଦେବ ନିଜ ସାମ୍ରାଜ୍ୟର ସୀମାକୁ ଉତ୍ତରରେ ହୁଗୁଳି ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରିତ କରିବାରେ ସକ୍ଷମ ହୋଇଥିଲେ । ତାଙ୍କ ସମୟରେ କଳିଙ୍ଗନଗର ବଦଳରେ କଟକ ନଗରୀ ରାଜ୍ୟର ରାଜଧାନୀ ହେଲା । ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ନରପତିମାନଙ୍କ ଅମଳରେ ମଧ୍ୟ କଳିଙ୍ଗକୁ ଏକ ରାଜ୍ୟ ବା ପ୍ରଦେଶର ମାନ୍ୟତା ଦିଆଯାଇଥିଲା । ଅନ୍ୟ ଶବ୍ଦରେ କହିଲେ, କାଳକ୍ରମେ ମୋଟାମୋଟି ଓଡ଼ିଶା କ୍ଷେତ୍ରକୁ ନେଇ ଯେଉଁ ବିଶାଳ ରାଜ୍ୟ ବା ସାମ୍ରାଜ୍ୟର ଭିତ୍ତି ପଡ଼ିଲା, ତା'ର ଏକ ସଂଭାଗ ମାତ୍ର ହେଲା କଳିଙ୍ଗ । ମୋଟ ଓଡ଼ିଶା କ୍ଷେତ୍ରଠାରୁ ଯଥେଷ୍ଟ କମ୍‍ ଥିଲା ଏହାର ଆୟତନ ।

କଳିଙ୍ଗପରି 'ଉତ୍କଳ'କୁ ମଧ୍ୟ ଆଧୁନିକ ଓଡ଼ିଶାର ଅନ୍ୟ ଏକ ନାମ ଭାବରେ ସାଧାରଣତଃ ନିଆଯାଇଥାଏ । ଯଦି ଇତିହାସରୁ ଦେଖାଯାଏ, ସର୍ବପ୍ରଥମେ ମହାଭାରତରେ ଓଡ୍ର, ମେକଳ, କଳିଙ୍ଗ ଓ ଆନ୍ଧ୍ର ସହିତ 'ଉତ୍କଳ'ର ନାମୋଲ୍ଲେଖ କରାଯାଇଥିଲା । ଗୌତମବୁଦ୍ଧଙ୍କ ପରବର୍ତ୍ତୀ ସମୟରେ ରଚିତ ବିନୟ ପିଟକ ଓ ଜାତକ ଗଳ୍ପରେ ତପସ୍‍ସୁ ଓ ଭଲ୍ଲିକ ନାମକ ଦୁଇଜଣ ବୈଶ୍ୟ ଉତ୍କଳ ଜନପଦରୁ ବାଣିଜ୍ୟ କାରବାରପାଇଁ ଯାଇଥିବା କଥା ଉଲ୍ଲେଖ ରହିଛି । ଦଶମ ଶତାବ୍ଦୀରେ ପାଳବଂଶର ରାମପାଳଙ୍କ ସମୟରେ ତଥା ପରେ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ଚୋଡ଼ଗଙ୍ଗ ଦେବଙ୍କ ସମୟରେ 'ଉତ୍କଳ'ର ଉଲ୍ଲେଖ ଏକ ବିଶାଳ ସାମ୍ରାଜ୍ୟ ଭାବରେ ହେବାକୁ ଲାଗିଲା । ଆଜି ଯାହା ପ୍ରାକୃତିକ ଓଡ଼ିଶା ବୋଲି ପରିଚୟ ପାଏ, ମୋଟାମୋଟି ଭାବେ ସେହି ସମଗ୍ର ଅଞ୍ଚଳକୁ 'ଉତ୍କଳ' କୁହାଗଲା ।

ଅଷ୍ଟମ ଓ ନବମ ଶତାବ୍ଦୀରେ ଉତ୍ତର ଓ ଦକ୍ଷିଣ ତୋଷାଳୀରେ ଭୌମକର ବଂଶର ରାଜତ୍ୱ ରହିଥିଲା । ଏହି ଶାସକମାନେ ନିଜକୁ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଉଥିଲେ । ଐତିହାସିକମାନଙ୍କର ଅନୁମାନ ଯେ, ସୋମବଂଶୀ ରାଜାମାନଙ୍କ ହାତରେ ପରାଜିତ ହୋଇ ଭୌମକର ଶାସକ ଉତ୍କଳରୁ କର୍ତ୍ତୃତ୍ୱ ହରାଇଥିଲେ ଏବଂ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଇ ସେହି ସ୍ମୃତିକୁ ସତେଜ କରିବାକୁ ପ୍ରୟାସ କରିଥିଲେ । ଏହି ଦୃଷ୍ଟିରୁ ଦେଖିଲେ ଅଷ୍ଟମ-ନବମ ଶତାବ୍ଦୀ ବେଳକୁ ଉତ୍କଳ ଏକ ପ୍ରସିଦ୍ଧ ଓ ଗୌରବଶାଳୀ ରାଜ୍ୟର ନାମ ଭାବରେ ପରିଚୟ ପାଇଥିଲା । ଉତ୍କଳ ବଂଶର ବୋଲି ନିଜକୁ କହି ରାଜାମାନେ ମଧ୍ୟ ଗୌରବାନ୍ୱିତ ହେଉଥିଲେ ।୨୨ . ଓଡ଼ିଶା ଇତିହାସ