ପୃଷ୍ଠା:Odisha Itihasa.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ ଯେ, ଏହି ଅନ୍ୟାୟ ବେଳେ ରାଜା ସେମାନଙ୍କ ପକ୍ଷରେ ନାହାନ୍ତି, ନୂଆ ରାଜାର ଅନ୍ୱେଷଣରେ ସେମାନେ ରହିଲେ । ଧରଣୀ ନାଏକ ଥିଲେ ଜଣେ ଶିକ୍ଷିତ ଭୂୟାଁ ଯୁବକ । ରାଜ ପରିବାରର ଆର୍ଥିକ ସହଯୋଗରେ ସେ କଟକର ସର୍ଭେ ସ୍କୁଲ୍‍ରେ ପାଠ ପଢିଥିଲେ ଏବଂ ରାଜାଙ୍କ ଅଧୀନରେ ରହି ସର୍ଭେଅର ଚାକିରି କରୁଥିଲେ । ଧରଣୀ ରାଜକର୍ମଚାରୀ ଥିବାରୁ ଭୂୟାଁମାନେ ତାଙ୍କୁ 'ମହାରାଣୀ ପୁତ୍ର' ଭାବରେ ଗ୍ରହଣ କରି ତାଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ କଲେ । ଅର୍ଥାତ୍‍ ସୁଶାସନ ପାଇବା ଲାଗି ଧରଣୀ ମଧ୍ୟ ଚାକିରି ଛାଡ଼ିଲେ ଏବଂ ନୂଆ ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ବିଦ୍ରୋହର ନେତୃତ୍ୱ ନେଲେ ।

ବିଦ୍ରୋହୀ ଆଦିବାସୀ କେନ୍ଦୁଝରଗଡ଼କୁ ଅଧିକାର କରି ନେଲେ ଏବଂ ରାଜାଙ୍କର ଦେଓ୍ୱାନ୍‍ ଫକୀରମୋହନ ସେନାପତିଙ୍କୁ ବନ୍ଦୀ କରିନେଲେ । ଗାଦିଚ୍ୟୁତ ରାଜା କେନ୍ଦୁଝର ଗଡ଼ଜାତର ଅନ୍ୟ ଏକ କେନ୍ଦ୍ର ଆନନ୍ଦପୁରରୁ କେନ୍ଦୁଝରକୁ ଆସିପାରିଲେ ନାହିଁ । ଏହା ପରେ ମେ ୧୮୯୧ରେ ଇଂରେଜ ସୈନ୍ୟ ଚକ୍ରଧରପୁରରୁ ଆସି ବିଦ୍ରୋହୀମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଧରଣୀ ନାଏକ ଓ ଅନ୍ୟ ବିଦ୍ରୋହୀମାନେ ବନ୍ଦୀ ହେଲେ । ବିଚାରରେ ଧରଣୀଙ୍କୁ ସାତ ବର୍ଷ ଜେଲ୍‍ ଦଣ୍ତ ହୋଇଥିଲା । ବିଦ୍ରୋହ ଦମନ ପରେ ରାଜାଙ୍କ କ୍ଷମତାକୁ ସଂକୁଚିତ କରାଗଲା । ଅର୍ଥାତ୍‍ ପଦସ୍ଥ ଇଂରେଜ ଅଫିସରମାନେ ମଧ୍ୟ ଅନୁଭବ କଲେ ଯେ, ଭୂୟାଁମାନଙ୍କର ଦାବି ଅଯୌକ୍ତିକ ନୁହେଁ । ମାତ୍ର ସରକାର ଜଳ ପ୍ରକଳ୍ପ ନିର୍ମାଣ, ରାସ୍ତା ନିର୍ମାଣ ଆଦି ଉନ୍ନତିମୂଳକ କାର୍ଯ୍ୟକୁ ମଧ୍ୟ ଉପେକ୍ଷା କରି ପାରିବେ ନାହିଁ । ଅନ୍ୟ ଶବ୍ଦରେ କହିଲେ, କେନ୍ଦୁଝର ମେଳି ଇଂରେଜ ଉପନିବେଶବାଦର ଅନ୍ତର୍ଦ୍ୱନ୍ଦ୍ୱକୁ ସୁସ୍ପଷ୍ଟ କଲା । ଆଦିବାସୀମାନଙ୍କର ମାଗଣା ବେଠି, ବେଗାରିକୁ ବାଦ ଦେଇ ଉନ୍ନତିମୂଳକ କାର୍ଯ୍ୟ କରିହେବ ନାହିଁ । ଅନ୍ୟପକ୍ଷରେ, ଉନ୍ନତିମୂଳକ କାର୍ଯ୍ୟ କଲେ ଆଦିବାସୀଙ୍କର ଶୋଷଣକୁ ବା ପ୍ରଜାଙ୍କଠାରୁ ଅଧିକ ମାତ୍ରାରେ ଏବଂ କଡ଼ାକଡ଼ି ଭାବେ ଖଜଣା ଆଦାୟକୁ ଏଡ଼ାଇ ହେବ ନାହିଁ । ଏହି ଅନ୍ତର୍ଦ୍ୱନ୍ଦ୍ୱ ହିଁ ଶେଷରେ ଉପନିବେଶବାଦର ପ୍ରଥମ ଓ ପ୍ରଧାନ ଶତ୍ରୁ ହେଲା ।

ନୟାଗଡ଼ ବିଦ୍ରୋହ, ୧୮୯୩ ଯେଉଁ ସମୟରେ କେନ୍ଦୁଝରରେ ଧରଣୀ ନାଏକଙ୍କ ନେତୃତ୍ୱରେ ରାଜାଙ୍କ ଅତ୍ୟାଚାର ବିରୋଧରେ ମେଳି ଚାଲିଥିଲା, ଠିକ୍‍ ସେହି ସମୟରେ ନୟାଗଡ଼ ଓ ରଣପୁରରେ ମଧ୍ୟ ସେହି ଏକା ପ୍ରକାର କାରଣରୁ ବିଦ୍ରୋହ ଆରମ୍ଭ ହେଲା, ଯଦିଓ ଏହି ମେଳିଗୁଡ଼ିକ ମଧ୍ୟରେ କୌଣସି ସମନ୍ୱୟ ନଥିଲା । ସ୍ୱତଃସ୍ଫୂର୍ତ୍ତ ଭାବେ ବିଭିନ୍ନ ଗଡ଼ଜାତରେ ଆଦିବାସୀ ବିଦ୍ରୋହ କରୁଥିଲେ । ଔପନିବେଶିକ ଶୋଷଣର ଜଟିଳତାକୁ ସେମାନେ ବୁଝି ପାରୁ ନଥିଲେ ବୋଲି ଅତ୍ୟାଚାରପାଇଁ ସ୍ଥାନୀୟ ରାଜାଙ୍କୁ ଦାୟୀ କରୁଥିଲେ ଏବଂ ରାଜା ପରିବର୍ତ୍ତନ ହେଲେ ସୁଶାସନ ହେବ ବୋଲି ମନେ କରୁଥିଲେ ।୨୦୪ . ଓଡ଼ିଶା ଇତିହାସ