ପୃଷ୍ଠା:Odisha Itihasa.pdf/୨୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପତ୍ର ଦେଲେ । ସ୍କୁଲ୍‍ରୁ ଓଡ଼ିଆ ଉଚ୍ଛେଦ ହେବାର ଆଶଙ୍କା ପଛରେ ଆଞ୍ଚଳିକ ଭାଷାରେ ପାଠ୍ୟ ପୁସ୍ତକର ଅଭାବକୁ କାରଣ ବୋଲି କୁହାଯାଇ ପାରେ । ଏହି ଅଭାବକୁ ଦୂର କରିବାପାଇଁ ମଧୁସୂଦନ ରାଓ 'ବର୍ଣ୍ଣବୋଧ' ଓ ଫକୀର ମୋହନ 'ଅଙ୍କମାଳା' ତଥା 'ଭାରତ ଇତିହାସ' ପୁସ୍ତକ ରଚନା କଲେ । ଗଙ୍ଗାଧର ପ୍ରାଥମିକ ଛାତ୍ରମାନଙ୍କ ଆବଶ୍ୟକତାକୁ ଦେଖି କେତୋଟି ହିନ୍ଦୀ କବିତାର ଅନୁବାଦ କଲେ । ଗୌରୀଶଙ୍କର ଓ ବିଚ୍ଛଦ ଚରଣ ପଟ୍ଟନାୟକ ମଧ୍ୟ ସ୍କୁଲ୍‍ ପାଠ୍ୟ ପୁସ୍ତକ ଲେଖିଲ । କବି ରାଧାନାଥ ରାୟ ମଧ୍ୟ ଭୂଗୋଳଠାରୁ ଆରମ୍ଭ କରି ଗଣିତ ଯାକେ ପ୍ରତ୍ୟେକ ବିଷୟରେ ପୁସ୍ତକ ଲେଖିଥିଲେ । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ 'ଓଡ଼ିଶା ଇତିହାସ' ସ୍କୁଲ୍‍ରେ ବ୍ୟବହାର ହେବା ଉଦ୍ଦେଶ୍ୟରେ ଲେଖା ଯାଇଥିଲା । ଏସବୁ ପ୍ରୟାସ, ମାତୃଭାଷା ଓଡ଼ିଆରେ ପାଠ୍ୟ ପୁସ୍ତକର ଅଭାବଜନିତ ଅସୁବିଧାକୁ ଅନେକ ମାତ୍ରାରେ ଦୂର କରିଥିଲା । ଓଡ଼ିଶାର ଭାଷା ଓ ଜାତୀୟତା ଆନ୍ଦୋଳନ ଏଠାକାର ଐତିହ୍ୟ ଓ ପୂର୍ବ ଗୌରବକୁ ନେଇ ଗର୍ବ କରିବାପାଇଁ ଶିକ୍ଷା ଦେଇଥିଲା । ପ୍ୟାରୀମୋହନଙ୍କ 'ଓଡ଼ିଶା ଇତିହାସ', ଫକୀର ମୋହନଙ୍କ 'ଭାରତ ଇତିହାସ' ଏବଂ ରାମଶଙ୍କର ରାୟଙ୍କର 'କାଞ୍ଚିକାବେରୀ' (ନାଟକ)କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେବ ଯେ, ଓଡ଼ିଶାର ଇତିହାସକୁ ତହିଁରେ ମହିମାମଣ୍ଡିତ କରାଯାଇଛି ଏବଂ ଜାତିକୁ ନେଇ ଗର୍ବ କରିବାକୁ ଲୋକଙ୍କୁ ପ୍ରେରଣା ଦିଆଯାଇଛି । ଓଡ଼ିଶାର ଅତୀତ ଯେହେତୁ ଗୌରବମୟ ସେହି ପ୍ରେରଣାରେ ଅନୁପ୍ରେରିତ ହେଲେ ବର୍ତ୍ତମାନର ଦୁର୍ଦ୍ଦଶାକୁ ଦୂର କରିବା କାଠିକର ପାଠ ହେବ ନାହିଁ ବୋଲି ଜାତୀୟତାବାଦୀମାନେ ମନରେ ଆଶା ବାନ୍ଧିଥିଲେ । ଏହି ପରିପ୍ରେକ୍ଷୀରେ ଫକୀର ମୋହନଙ୍କ 'ଉତ୍କଳ ଭ୍ରମଣଂ'ର ନିମ୍ନୋକ୍ତ ପଙ୍‍କ୍ତିକୁ ଦେଖାଯାଇପାରେ-

{{center block|

ଭାରତର ସର୍ବଦେଶେ ଏମନ୍ତ ପ୍ରଚାର
ପବିତ୍ର ଉତ୍କଳଭୂମି ଅଟେ ସ୍ୱର୍ଗଦ୍ୱାର ।
ପ୍ରକୃତି ଯେମନ୍ତ ଶୋଭା ଏଠାରେ ମେଲିଛି
ଏମନ୍ତ ସୌନ୍ଦର୍ଯ୍ୟ ରାଶି ଭାରତେ କାହିଁଛି ?

'ମହାଯାତ୍ରା'ରେ କବି ରାଧାନାଥ ରାୟ ଉତ୍କଳର ଗୌରବ ଗାନ କରି ଲେଖିଛନ୍ତି- {{center block|

ପୁଷ୍ପକୁଣ୍ଡେ ଶ୍ରେଷ୍ଠ ତା'ର କେଶର ଯେସନ
ଶ୍ରେଷ୍ଠ ଏ ନୀଳାଦ୍ରି ଧାମ ସମଗ୍ର ଉତ୍କଳେ ।
ନିବସନ୍ତି ନାନା ସ୍ଥଳେ ଦେବଦେବୀ ଯେତେ
ଭାରତ, ଭାରତ ଖଣ୍ଡେ ଆସି ଏ ପ୍ରଦେଶେ
ବିହରିବେ ଠାବେ ଠାବେ ନିଜ ରୁଚିମତେ
ଠୁଳ ହେବ ଅବଶେଷେ ପୁଣି ଏ ପୁଳିନେ
ଅଖିଳ-ଭାରତ-ତୀର୍ଥ-ଭ୍ରମଣ ସୁକୃତ
ଲଭିବେ କଳିରେ ଲୋକେ ଏହି ସ୍ଥଳେ ଭ୍ରମି ।

୨୨୮ . ଓଡ଼ିଶା ଇତିହାସ