ପୃଷ୍ଠା:Odisha Itihasa.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧୀ ଗସ୍ତ ପରେ ଅସହଯୋଗୀଙ୍କ ମଧ୍ୟରେ ଉତ୍ସାହ ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ, ଜୁନ୍ ୧୯୨୧ ସୁଦ୍ଧା କଂଗ୍ରେସର ସ୍ୱରାଜ ପାଣ୍ଠିପାଇଁ ତିନି ଲକ୍ଷ ଟଙ୍କା, ତିନି ଲକ୍ଷ ପ୍ରାଥମିକ ସଦସ୍ୟ ସଂଗ୍ରହ ଏବଂ ସ୍ୱଦେଶୀ ପ୍ରସାରପାଇଁ ଦୁଇଲକ୍ଷ ଅରଟ ପ୍ରଚଳନ କରାଯିବ ବୋଲି ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଗଲା । ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ରେ ଆୟୋଜିତ ବିଜୟଓ୍ୱାଡ଼ା ଅଖିଳ ଭାରତୀୟ କଂଗ୍ରେସ କମିଟି ବୈଠକରେ ଯୋଗ ଦେବା ପରେ ଗୋପବନ୍ଧୁ ସ୍ୱରାଜ ପାଣ୍ଠି ଏବଂ ପ୍ରାଥମିକ ସଦସ୍ୟ ସଂଗ୍ରହର ପରିମାଣ ତିିନି ଲକ୍ଷରୁ ପାଞ୍ଚ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ଘୋଷଣା କଲେ । ପାଣ୍ଠି ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଏପ୍ରିଲ ୬ରୁ ୧୩ ତାରିଖ ମଧ୍ୟରେ ପାଳିତ ହୋଇଥିବା ସତ୍ୟାଗ୍ରହ ସପ୍ତାହରେ ଖୁବ ମାତ୍ରାରେ ତ୍ୱରାନ୍ୱିତ ହେଲା ।

ଧାର୍ଯ୍ୟମତେ ସ୍ୱରାଜ ପାଣ୍ଠି ଆଦି ସଂଗ୍ରହ ଅଭିଯାନକୁ ସଫଳ କରିବା ସକାଶେ ଅସହଯୋଗୀମାନେ ରାଜ୍ୟର ଚାରିଆଡେ଼ ଗସ୍ତ କରି ସଭା ସମିତିମାନ ଆୟୋଜନ କଲେ, ବିଭିନ୍ନ ବର୍ଗର ସହଯୋଗ କାମନା କଲେ । ଆନ୍ଦୋଳନରେ ମୁସଲମାନ ବର୍ଗର ସହଯୋଗକୁ ବ୍ୟାପକ କରିବାପାଇଁ ବିହାରର ମଜହର ଉଲ୍‍ ହକ ଆସି କଟକ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ମୁସଲମାନବହୁଳ ଅଞ୍ଚଳରେ ସଭା କଲେ । ଗୋପବନ୍ଧୁଙ୍କ ସାଙ୍ଗରେ ମିଶି ହକ ସିଦ୍ଧ କଲେ ଯେ ଉଭୟ ହିନ୍ଦୁ ଓ ମୁସଲମାନ ବର୍ଗର ମିଳିତ ଲକ୍ଷ୍ୟ ହେଲା ସ୍ୱରାଜ ପ୍ରାପ୍ତି । ତେଣୁ ଅସହଯୋଗ ଓ ଖିଲାଫତ ଆନ୍ଦୋଳନ ଏକ ଓ ଅଭିନ୍ନ । ସାଧାରଣ ବର୍ଗର ସହଯୋଗ ପାଇବାପାଇଁ ଗୋପବନ୍ଧୁ ସ୍ପଷ୍ଟ କଲେ ଯେ ଓଡ଼ିଶାର ଲୋକ ଗରିବ । ମାତ୍ର ଜଣ ପିଛା ପଇସାଏ ଲେଖା ଦେଲେ ବି ଧାର୍ଯ୍ୟ ମତେ ପାଣ୍ଠି ଆଦାୟ ହୋଇଯିବ । ସ୍ୱରାଜର ଯେହେତୁ ଅଧିକ ଆବଶ୍ୟକତା ସାଧାରଣ ବର୍ଗପାଇଁ, ଏହି ମହାଯଜ୍ଞରେ ସେହି ବର୍ଗର ଅଧିକ ସଂପୃକ୍ତି ଦରକାର । ଅନ୍ୟଥା ପୁଣି ସ୍ୱରାଜ କେତେଜଣ ହାତଗଣନ୍ତା ଲୋକଙ୍କ ହାତରେ ହତିଆର ହୋଇଯିବ । ଆନ୍ଦୋଳନକୁ ଗଣଭିତ୍ତିକ କରିବା ସକାଶେ ଖୋର୍ଦ୍ଧାର ଖଜଣା ବୃଦ୍ଧି, ଚୌକିଦାରୀ କର ଆଦି ସ୍ଥାନୀୟ ସମସ୍ୟାଗୁଡ଼ିକୁ ସେ ଉତ୍‍ଥାପିତ କଲେ ଏବଂ ସମସ୍ୟାର ନିରାକରଣପାଇଁ ଅସହଯୋଗକୁ ପନ୍ଥା ବୋଲି ଯୁକ୍ତି କଲେ ।

ସ୍ୱାଧୀନତା ସଂଗ୍ରାମ ଯେ ମାତ୍ର ଗୋଟାଏ ବର୍ଗର ଆନ୍ଦୋଳନ ନୁହେଁ, ବରଂ ଉପନିବେଶବାଦ ବିରୋଧରେ ସବୁ ବର୍ଗର ଏକ ସାଧାରଣ ଆନ୍ଦୋଳନ, ତାହା ଗୋପବନ୍ଧୁ ତଥା ଓଡ଼ିଶାର ଅନ୍ୟାନ୍ୟ ନେତୃବୃନ୍ଦ ନିଜ ଅନୁଭବରୁ ଜାଣି ପାରିଥିଲେ । ତେଣୁ, ଅନ୍ତତଃ ସ୍ୱରାଜ ପାଣ୍ଠି ସଂଗ୍ରହ, ସ୍ୱରାଜ ପଞ୍ଚାୟତ ସ୍ଥାପନ, ନିଶା ନିବାରଣ, ଅରଟ ପ୍ରସାର ଭଳି ନିର୍ବିବାଦୀୟ ପ୍ରସଙ୍ଗରେ ରାଜନ୍ୟ ବର୍ଗକୁ କଂଗ୍ରେସର ସହଯୋଗ କରିବାକୁ ଅନୁରୋଧ କରାଯାଉଥିଲା । ସବୁ ବର୍ଗର ବ୍ୟାପକ ସହଯୋଗ ନମିଳିଲେ ସ୍ୱଳ୍ପ ସମୟ ମଧ୍ୟରେ ଧାର୍ଯ୍ୟ ମତେ ପାଣ୍ଠି ସଂଗ୍ରହ ଆଦି ସମ୍ଭବପର ହେବ ନାହିିଁ ବୋଲି ନେତୃତ୍ୱ ବୁଝି ସାରିଥିଲେ ।

ଏହି ପରିପ୍ରେକ୍ଷୀରେ, ଗଡ଼ଜାତର ରାଜା ଓ ଜମିଦାର ଏବଂ ଇଂରେଜ ସରକାର ମଧ୍ୟରେ ରହିଥିବା ଅନ୍ତର୍ବିବାଦକୁ ବିଶ୍ଳେଷଣ କରି ଗୋପବନ୍ଧୁ ଲେଖିଥଲେ ଯେ ଯୁଦ୍ଧପାଇଁ ପାଣ୍ଠି ଏବଂ୨୫୨ . ଓଡ଼ିଶା ଇତିହାସ