ପୃଷ୍ଠା:Odisha Itihasa.pdf/୨୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଜୁରିଆ ଯୋଗାଡ଼ ବେଳେ କେବଳ ସରକାର ରାଜା-ରାଜୁଡ଼ାଙ୍କ ସହଯୋଗ ଲୋଡ଼ନ୍ତି । ଅନ୍ୟଥା ଅନ୍ୟ ଭାରତୀୟଙ୍କୁ ଉପେକ୍ଷା କଲାଭଳି ସେମାନଙ୍କୁ ମଧ୍ୟ ତୀବ୍ର ଉପେକ୍ଷା କରନ୍ତି । ଏହି ପରିସ୍ଥିତିରେ ରାଜନ୍ୟ ବର୍ଗ କଂଗ୍ରେସକୁ ବରଂ ନିଜର ବନ୍ଧୁ ଏବଂ ସରକାରକୁ ଶତ୍ରୁ ବିଚାରିବା ଉଚିତ । ଅନ୍ୟ ପକ୍ଷରେ କେଉଁଝର, ଢେଙ୍କାନାଳ ଭଳି କେତେକ ଗଡ଼ଜାତ ଏବଂ କନିକା, ରାଜପୁର (ଝାରସୁଗୁଡ଼ା) ଆଦି କେତେକ ଜମିଦାରୀରେ କଂଗ୍ରେସର କେତେକ ଉତ୍ସାହୀ କର୍ମୀ ପ୍ରବେଶ କରି ଲୋକଙ୍କ ମଧ୍ୟରେ ସଭ୍ୟ ସଂଗ୍ରହ ଆଦି ଅଭିଯାନ ମଧ୍ୟ ଜାରି ରଖିଲେ । ଗଡ଼ଜାତ- ଜମିଦାରୀ ପ୍ରଜାଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରିବାପାଇଁ ଗଡ଼ଜାତ ଓ ଜମିଦାରୀ ଶାସନ ଓ ବ୍ରିଟିଶ ପ୍ରଶାସନ ମଧ୍ୟରେ ରହିଥିବା ପ୍ରଜା ବିରୋଧୀ ଆପୋସ ସମ୍ବନ୍ଧକୁ ମଧ୍ୟ ଏତେବେଳେ ଦର୍ଶାଇ ଦିଆଗଲା । ଗୋପବନ୍ଧୁ ଅତ୍ୟାଚାରୀ ରାଜା-ଜମିଦାରଙ୍କୁ ବାଜପକ୍ଷୀ ଏବଂ ନିରୀହ ପ୍ରଜାଙ୍କୁ ପାରା ସାଙ୍ଗରେ ତୁଳନା କରିଥିଲେ । ସେ ଯୁକ୍ତି କରିଥିଲେ ଯେ ପ୍ରଜାକୁଳର ରାଜନୈତିକୀକରଣ ହିିଁ ପ୍ରଜା ଶାସନ ବା ଗଣତନ୍ତ୍ର ପ୍ରତିଷ୍ଠାପାଇଁ ଏକମାତ୍ର ବିକଳ୍ପ । ସାଧାରଣ ପ୍ରଜାର ପକ୍ଷ ନେବା ପ୍ରକ୍ରିୟାରେ ସେ ସୁଦୂର ବିଦେଶ ରୁଷରେ ସଂଘଟିତ ବଲସେଭିକ ବିପ୍ଳବକୁ 'ବଳସେବୀଙ୍କ ବିପ୍ଳବ' ବୋଲି ଅଭିହିତ କରିଥିଲେ ଏବଂ "ଟିଙ୍କ ଭଳି ପ୍ରଜାଙ୍କ ରକ୍ତ ଶୋଷୁଥିବା ମୁଷ୍ଟିମେୟ ରାଜା-ଜମିଦାରଙ୍କ" କୁଳକୁ ତୀବ୍ର ସମାଲୋଚନା କରିଥିଲେ । ପାଣ୍ଠି ଏବଂ ସଭ୍ୟ ସଂଗ୍ରହ ତଥା ଅରଟ ପ୍ରସାରପାଇଁ ଏତେ ସବୁ ପ୍ରୟାସ ସତ୍ତ୍ୱେ ୩୦ ଜୁନ ୧୯୨୧ ବେଳକୁ ଧାର୍ଯ୍ୟ ମତେ ସଫଳତା ମିଳିପାରିଲା ନାହିିଁ । ସମ୍ବାଦପତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ଜିଲ୍ଲା ସ୍ତରରେ କଂଗ୍ରେସର ସ୍ଥିତି ସେତେବେଳେ ନିମ୍ନ ପ୍ରକାର ଥିଲା:


ଜିଲ୍ଲା ମୋଟ ପ୍ରାଥମିକ ସଭ୍ୟ ସଂଗୃହୀତ ସ୍ୱରାଜ ପାଣ୍ଠି ବଣ୍ଟାଯାଇଥିବା ଅରଟର ସଂଖ୍ୟା
କଟକ ୧୫,୮୦୨ ୭,୦୦୦ ଟଙ୍କା ୧,୫୦୦
ପୁରୀ ୯,୦୦୦ ୬,୦୦୦ ଟଙ୍କା ୨,୦୦୦
ବାଲେଶ୍ୱର ୫,୦୦୦ ୩,୦୦୦ ଟଙ୍କା ୨,୦୦୦
ଗଞ୍ଜାମ ୨,୮୦୦ ୧,୨୦୦ ଟଙ୍କା ୧,୫୦୦
ସମ୍ବଲପୁର ୫,୯୩୫ ୨,୮୭୦ ଟଙ୍କା ୮,୦୦୦
ସିଂହଭୂମ ଏବଂ ଗଡ଼ଜାତ ରାଜ୍ୟ ୧,୫୦୦ ୨,୦୦୦ ଟଙ୍କା --
ମୋଟ ୪୦,୦୩୭ ୨୨,୦୭୦ ଟଙ୍କା ୧୫,୦୦୦

{{right|ଓଡ଼ିଶା ଇତିହାସ . ୨୫୩