ପୃଷ୍ଠା:Odisha Itihasa.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭବିଷ୍ୟତରେ କଂଗ୍ରେସ ପ୍ରତି ଜନସମର୍ଥନ ଆହୁରି ବୃଦ୍ଧି ପାଇବାର ସଂଭାବନା ଦେଖାଦେଲା । ଲୋକଙ୍କ ଧାରଣାରେ କଂଗ୍ରେସ ଏଣିକି ହେଲା ସରକାରର ସମସ୍ତରୀୟ ପ୍ରତିପକ୍ଷ । ତେଣୁ ଅବକାରୀ ପ୍ରସଙ୍ଗରେ ସରକାରର ଦୁରବସ୍ଥା କଂଗ୍ରେସ ଓ ତା ସମର୍ଥକଙ୍କ ମନରେ ଅଧିକ ଆଶା ଜାଗ୍ରତ କଲା । ଧାର୍ଯ୍ୟ ମତେ ୩ ଫେବ୍ରୁଆରି ୧୯୨୨ରେ ଖୋର୍ଦ୍ଧାରେ ଆଇନ ଅମାନ୍ୟପାଇଁ ଜନସମାଗମ ହେଲା । ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ ସଭାରେ ୨୫୦୦ ପ୍ରାୟ ଲୋକ ଜମା ହେଲେ । 'ମୁଖବନ୍ଦ' ଆଦେଶର ଅମାନ୍ୟ କରି ଗୋପବନ୍ଧୁ ସଭାରେ ବକ୍ତୃତା ଦେଲେ । ମାତ୍ର ଜାତୀୟ କଂଗ୍ରେସରୁ ଖଜଣା ବନ୍ଦପାଇଁ ନିର୍ଦେଶ ମିଳି ନଥିବାରୁ ଏବେ ଖଜଣା ବନ୍ଦ ଆନ୍ଦୋଳନପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଲେ । ସଭା ଶେଷରେ ଅନେକ ଲୋକ ସତ୍ୟାଗ୍ରହ କରି ଗିରଫ ହେଲେ । ସନ୍ଧ୍ୟାରେ ସେମାନଙ୍କୁ ପୋଲିସ୍‍ ଖଲାସ କରି ଦେଲା ।

ପିକେଟିଂ ଏବଂ ମୁଖବନ୍ଦ ଆଦେଶ ଅମାନ୍ୟ କରି ସମ୍ବଲପୁର, ପୁରୀ ଏବଂ ଗଞ୍ଜାମରେ ମଧ୍ୟ କଂଗ୍ରେସ କର୍ମୀ ଗିରଫ ହେଲେ । ମାତ୍ର ସବୁଠାରୁ ବେଶୀ ପ୍ରଭାବ ପଡ଼ିଲା ଜମିଦାରୀ କନିକାଠାରେ । ସେଠି ଆନ୍ଦୋଳନ ତୀବ୍ର ହେଲା , କାରଣ ଜମିଦାର, ଯିଏ 'ରାଜା' ନାମରେ ପରିଚିତ ଥିଲେ, ପ୍ରଜାଙ୍କଠାରୁ ଅନେକ ମନମୁଖୀ ଖଜଣା ଅସୁଲ କରୁଥିଲେ । କୁହାଯାଏ ଯେ, ମାଛଧରା କର, ଗୋରୁଚରା କର, ବାଳକଟା କର, ବିବାହ ପରେ ମଧୁଶଯ୍ୟା କର ଆଦି ଅନ୍ୟୂନ ୬୪ ପ୍ରକାର କର ପ୍ରଜାଙ୍କଠାରୁ ଆଦାୟ କରାଯାଉଥିଲା । କରଭାର ଅସହ୍ୟ ହେଲାବେଳେ ୧୯୨୦-୨୧ରେ କନିକାରେ ଜମିଜମାର ଘରୋଇ ବନ୍ଦୋବସ୍ତ ହୋଇ ଖଜଣା ଆହୁରି ବୃଦ୍ଧି ପାଇଲା । ଏଭଳି ଏକ ପରିସ୍ଥିତିରେ କଂଗ୍ରେସ ଯେତେବେଳେ ଖଜଣା ବନ୍ଦପାଇଁ ଆଇନ ଅମାନ୍ୟ କରିବ ବୋଲି ପ୍ରସ୍ତୁତି କଲା, କନିକା ପ୍ରଜା ତା' ପ୍ରତି ଆକୃଷ୍ଟହେବା ସ୍ୱାଭାବିକ କଥା । ପ୍ରଜାଙ୍କର ଧାରଣା ଯେ, କଂଗ୍ରେସର ସଭ୍ୟଭୁକ୍ତ ହେଲେ ଜମିଦାରଙ୍କ କଚେରିରେ ଜମିର ଖଜଣା ଦେବାକୁ ପଡ଼ିବ ନାହିିଁ, କାରଣ ସେମାନେ 'ସ୍ୱରାଜ ପ୍ରଜା' । ଏହି କାରଣରୁ ୧୯୨୨ ଜାନୁଆରିରେ ପ୍ରାୟ ୪୦୦ ପ୍ରଜା କଂଗ୍ରେସର ପ୍ରାଥମିକ ସଦସ୍ୟ ହେଲେ । ଆୟେତନ ଏବଂ ମାଧପୁର ଆଦି ଗାଁରେ ବିଶାଳ ଜନସଭାମାନ ଆୟୋଜିତ ହେଲା । ସେଠାକାର ସ୍ଥାନୀୟ କର୍ମୀଙ୍କ ସାଙ୍ଗରେ ବିଶେଷକରି କଟକ ଓ ବାଲେଶ୍ୱର ଜିଲ୍ଲା କଂଗ୍ରେସର କର୍ମୀ କନିକାରେ ସକ୍ରିୟ ହେଲେ । ଏହା ଆନ୍ଦୋଳନକୁ ଆହୁରି ବଳ ଦେଲା । କନିକା ପ୍ରଜା ଆନ୍ଦୋଳନର ବିଶେଷତ୍ୱ ହେଲା ଯେ, ସେଠାରେ ସ୍ଥାନୀୟ ପ୍ରଜାର ସମସ୍ୟା ସହ ଅସହଯୋଗକୁ ଯୋଡ଼ି ହେବାର ଅବସର ମିଳିଲା । ଆନ୍ଦୋଳନରେ ଯୋଗଦାନ ମାତ୍ରକେ ରୟତ ପ୍ରଜା ତାତ୍କାଳିକ ଲାଭ ପାଇପାରିବେ ବୋଲି ଧାରଣା ସୃଷ୍ଟି ହେଲା, କାରଣ ଖଜଣା ଦେବାକୁ ପଡ଼ିବ ନାହିିଁ । ଏହି ଅନୁଭୂତିରେ ଉତ୍ସାହିତ ହୋଇ କନିକା ଧରଣର ପ୍ରୟୋଗ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଆରମ୍ଭ ହେବା କଥା ବୋଲି କଂଗ୍ରେସ ମହଲରେ ଧାରଣା ସୃଷ୍ଟି ହେଲା । ସେ ନେଇ ନିଷ୍ପତ୍ତି ନେବାକୁ ୧୨ ଫେବ୍ରୁଆରି ୧୯୨୨ରେ କଟକଠାରେ କଂଗ୍ରେସର ବୈଠକ ବସିବ ବୋଲି ମଧ୍ୟ ପ୍ରାଦେଶିକ କଂଗ୍ରେସ ସ୍ଥିର କଲା ।୨୬୦ . ଓଡ଼ିଶା ଇତିହାସ