ପୃଷ୍ଠା:Odisha Itihasa.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଯୁକ୍ତ କରିବ ବୋଲି ନିଷ୍ପତ୍ତି ନେଲା । ମାତ୍ର ଏସବୁ କାର୍ଯ୍ୟକ୍ରମ କଂଗ୍ରେସକୁ ଶିଥିଳ ହେବାରୁ ରକ୍ଷା କରିପାରିଲା ନାହିିଁ । ମୋଟ ଉପରେ ଦେଖିଲେ, କନିକାରେ ଚାଲିଥିବା ଦମନ ଲୀଳା ପ୍ରାଦେଶିକ ସ୍ତରରେ କଂଗ୍ରେସକୁ ଖୁବ୍‍ ଆହତ କରିଦେଲା । ମେ ମାସ ୧୯୨୨ରେ ଗୋପବନ୍ଧୁ ଏବଂ ଭାଗୀରଥି ମହାପାତ୍ରଙ୍କୁ ଗିରଫ କରାଗଲା । ନେତା ଦ୍ୱୟଙ୍କ ଗିରଫଦାରି ପରେ ଦଳ ଏକ ରକମର ନେତୃତ୍ୱଶୂନ୍ୟ ହୋଇ ପଡ଼ିଲା । ଏହି ଶୂନ୍ୟତା ଯେ କିଛି କାଳପାଇଁ ଲାଗି ରହିଲା, ତାହା କହିବା ନିଷ୍ପ୍ରୟୋଜନ । ଓଡ଼ିଶା ଅସହଯୋଗ ଆନ୍ଦୋଳନକୁ ବିଶ୍ଳେଷଣ କଲେ ମନେହୁଏ ଯେ, ଛାତ୍ର ଓ ଯୁବକ ହିିଁ ଏହି ପ୍ରଥମ ଗଣ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର । ମାତ୍ର ତା' ବାହାରେ ଖୁବ ସଂଖ୍ୟକ ନହେଲେ ବି କିଛି ଓକିଲ ଓ ସରକାରୀ କର୍ମଚାରୀ ମଧ୍ୟ ଏହି ସମୟରେ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ । ଗୋପବନ୍ଧୁ ଦାସ, ଭାଗୀରଥି ମହାପାତ୍ର ଆଦି କେତେକ ଓକିଲ ତ ବୃତ୍ତି ଛାଡ଼ି ଆନ୍ଦୋଳନର ପୂର୍ଣ୍ଣକାଳୀନ କର୍ମକର୍ତ୍ତା ହେଲେ । ମାତ୍ର ଆହୁରି କେତେକ ଓକିଲ ଥିଲେ ଯେଉଁମାନେ ସାମୟିକ ଭାବେ ଏବଂ କଦାଚିତ ପରୋକ୍ଷ ଭାବରେ ଅସହଯୋଗରେ ସହଯୋଗ କରୁଥିଲେ । ଉଦାହରଣ ସ୍ୱରୂପ, ସଚ୍ଚିଦାନନ୍ଦ ଚାଟାର୍ଜୀ ନାମରେ ଜଣେ ଓକିଲ ଅସହଯୋଗୀଙ୍କ ବିରୁଦ୍ଧରେ ଅଦାଲତରେ ସରକାରଙ୍କ ଓକିଲ ହେବାପାଇଁ ନିଜର ନିୟମିତ ପ୍ରାପ୍ୟ ପନ୍ଦର ଟଙ୍କା ସ୍ଥାନରେ ପଚାଶ ଟଙ୍କା ଦାବି କଲେ । ଅନ୍ୟ ଜଣେ ଓକିଲ ଧନପତି ବାନାର୍ଜୀ ପୁରୀରେ କଚେରିକୁ ବାସନ୍ଦ କରି ନଥିଲେ ହେଁ ନିୟମିତ ଘରେ ଅରଟରେ ସୂତା କାଟୁଥିଲେ ଏବଂ ସ୍ୱଦେଶୀ ବ୍ୟବହାର କରୁଥିଲେ । ଏହି ଧରଣର ସାହାଯ୍ୟ ମଧ୍ୟ ଅସହଯୋଗକୁ ବ୍ୟାପକ ହେବାରେ ସାହାଯ୍ୟ କରିଥିଲା, ଏଥିରେ ଅତ୍ୟୁକ୍ତି ନାହିିଁ ।

ଠିକ ସେହିଭଳି ଗୋପବନ୍ଧୁ ଚୌଧୁରୀ, ମଧୁସୂଦନ ବିଶ୍ୱାଳ, ଶ୍ରୀବତ୍ସ ପଣ୍ଡା, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର ଆଦି କେତେ ଜଣ ସରକାରୀ କର୍ମଚାରୀ ପଦ ତ୍ୟାଗ କରି ଅସହଯୋଗରେ ମିଶିଥିଲେ । ଅସହଯୋଗ ପରେ ମଧ୍ୟ ସେମାନେ କଂଗ୍ରେସର କାର୍ଯ୍ୟକର୍ତ୍ତା ରହିଲେ । ଅନେକ ଓକିଲଙ୍କପାଇଁ ଇସ୍ତଫା ଦେଲା ପରେ କଚେରିରେ ପୁନର୍ବାର ଯୋଗଦାନ କରିବାର ଅବସର ରହିଥିଲା । ମାତ୍ର ସେଭଳି ଅବସର ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ଏହି କର୍ମଚାରୀଙ୍କ ହାତରେ ନଥିଲା । ସେମାନେ କଂଗ୍ରେସର ପୂର୍ଣ୍ଣକାଳୀନ କର୍ମୀ ଭାବରେ ରହିଲେ; ମନରେ ଜାତୀୟ କାମପାଇଁ ପ୍ରତିବଦ୍ଧତା ରହିଥିଲା । ସେହି କାରଣରୁ, ପରବର୍ତ୍ତୀ ପର୍ଯ୍ୟାୟରେ ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ବୀର କିଶୋର ଦାସ ଆଦି କଂଗ୍ରେସର ପ୍ରମୁଖ ନେତା ହେଲେ । ସେ ଯାହା ହେଉ, ଚାକିରିରୁ ଇସ୍ତଫା ଦେଇ ଅସହଯୋଗରେ ସାମିଲ କଂଗ୍ରେସ କର୍ମୀଙ୍କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଅସହଯୋଗର ବହୁ ପୂର୍ବରୁ ସେମାନଙ୍କର ରାଜନୈତିକୀକରଣ ହୋଇ ଚାଲିଥିଲା । ଆନ୍ଦୋଳନର ଜୁଆର କେବଳ ବ୍ରିଟିଶ ସରକାର ପ୍ରତି ସେମାନଙ୍କ ମନରେ ରହିଥିବା ବୀତସ୍ପୃହ ଭାବକୁ ଏକ ତାର୍କିକ ପରିଣାମ ଯାଏ ନେଇଯିବାକୁ ସାହାଯ୍ୟ କଲା ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୋପବନ୍ଧୁ ଚୌଧୁରୀ । ଅସହଯୋଗ ସମୟରେ ସେ ବରୀ-ଯାଜପୁରରେ ଉପ-ଜିଲ୍ଲାପାଳ ପଦରେ ଅଧିଷ୍ଠିତ ଥିଲେ । ରିଲିଫ ଅଫିସର ଭାବରେ ତାଙ୍କୁ{{right|ଓଡ଼ିଶା ଇତିହାସ . ୨୬୩