ପୃଷ୍ଠା:Odisha Itihasa.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ବିଂଶ ଶତାବ୍ଦୀର ଆରମ୍ଭରେ ପ୍ରଜାମାନେ ବିଦ୍ରୋହ କରିଥିଲେ । ରାଜାମାନେ ଇଂରେଜ ସରକାରର ପୋଲିସ ସାହାଯ୍ୟରେ ଗଡ଼ଜାତ ବିଦ୍ରୋହକୁ ଦୃଢ଼ ଭାବରେ ଦମନ କରୁଥିଲେ । ୧୯୨୦ ଦଶକରେ ସ୍ୱାଧୀନତା ସଂଗ୍ରାମ ଯେତେବେଳେ ଗଣ ଆନ୍ଦୋଳନର ରୂପ ନେଲା, ସେତେବେଳେ ଗଡ଼ଜାତ ପ୍ରଜା ଆସି ମୋଗଲବନ୍ଦି ଓଡ଼ିଶାର ଆନ୍ଦୋଳନରେ ଭାଗ ନେଇ ପାରୁ ନଥିଲେ । ଗଡ଼ଜାତ ତା'ପାଇଁ ପ୍ରତିବନ୍ଧକ ଥିଲା । କଂଗ୍ରେସ କର୍ମୀ ମଧ୍ୟ ଖୋଲାଖୋଲି ଗଡ଼ଜାତରେ କଂଗ୍ରେସ ସଂଗଠନ କରି ପାରୁ ନଥିଲେ; ଗଡ଼ଜାତ ଉତ୍ପୀଡ଼ନର ବିରୋଧ କରିବା କାଠିକର ଥିଲା । କଂଗ୍ରେସ ନେତୃବୃନ୍ଦ ଚାହୁଁଥିଲେ, ବିଦେଶୀ ଶକ୍ତି ବିରୁଦ୍ଧରେ ଚାଲିଥିବା ସଂଗ୍ରାମ ଦେଶୀୟ ରାଜା ବିରୋଧରେ ନହେଉ । ଏହାର ସୁଯୋଗ ନେଇ ଗଡ଼ଜାତ ରାଜାମାନେ କଂଗ୍ରେସର ବିରୋଧ କରୁଥିଲେ ଏବଂ ପ୍ରଜାଙ୍କ ମଧ୍ୟରେ ଗଣତାନ୍ତ୍ରିକ ବିଚାରବୋଧ କେମିତି ପ୍ରସାରିତ ନହେବ, ତା'ପାଇଁ ପ୍ରୟାସ କରୁଥିଲେ । ପ୍ରଜାଙ୍କର ରାଜନୈତିକୀକରଣକୁ ଅବରୁଦ୍ଧ କରି ପାରିଲେ ରାଜା ଶାସନ ଚାଲିପାରିବ ବୋଲି ସେମାନେ ମନେ କରୁଥିଲେ । ପରିଣାମ ସ୍ୱରୂପ, ମୋଗଲବନ୍ଦି ଓ ଗଡ଼ଜାତ ମଧ୍ୟରେ ଶିକ୍ଷା, ଦୀକ୍ଷା, ରାଜନୈତିକ ସଚେତନତା, ନାଗରିକ ଅଧିକାର ଆଦି ସବୁ କ୍ଷେତ୍ରରେ ଏକ ରକମର ଅଭେଦ୍ୟ ପ୍ରାଚୀର ସୃଷ୍ଟି ହୋଇଥିଲା । ୧୯୩୦ ଦଶକରେ ଏହି ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଲା । ଗଡ଼ଜାତ ଓ ମୋଗଲବନ୍ଦି ମଧ୍ୟରେ ସାମାଜିକ ବିଭେଦ ଅଧିକ ସମୟ ଧରି ରହି ପାରିଲା ନାହିଁ । ଉଭୟ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଲାଏବଂ ତା' ସହିତ ଗଣତାନ୍ତ୍ରିକ ଓ ରାଜନୈତିକ ଚେତନା ଗଡ଼ଜାତକୁ ପ୍ରସାରିତ ହେଲା । ମୋଗଲବନ୍ଦି ଓଡ଼ିଶାରେ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ଲିପ୍ତ ଥିବା କର୍ମୀ ଓ ନେତୃବୃନ୍ଦଙ୍କ ପକ୍ଷରେ ଗଡ଼ଜାତ ସମସ୍ୟା ପ୍ରତି ଉଦାସୀନ ରହିବା ଅସଂଭବ ହେଲା । ବିଶେଷ କରି ୧୯୩୦ ଦଶକର ରାଜନୀତିରେ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ଚିନ୍ତାଧାରାର ଭୂମିକା ବୃଦ୍ଧିପାଇଲା । କଂଗ୍ରେସ ଦଳ ମଧ୍ୟରେ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ବିଚାର ପ୍ରତି ଆକୃଷ୍ଟ ହୋଇଥିବା ପ୍ରଗତିଶୀଳ ଯୁବଗୋଷ୍ଠୀ, ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ ବେଳେ ସାମନ୍ତବାଦୀ ଗଡ଼ଜାତ ରାଜାମାନଙ୍କ ଯଥେଚ୍ଛାଚାରକୁ ମଧ୍ୟ ବିରୋଧ କରାଯିବା ଉଚିତ ବୋଲି ମନେକଲେ । ପୁଣି ଆଇନ ଅମାନ୍ୟ ଆନ୍ଦୋଳନ ଉତ୍ତାରୁ ଏବଂ ବିଶେଷକରି ୧୯୩୭ରେ କଂଗ୍ରେସ ଦଳ ପ୍ରାଦେଶିକ ସ୍ତରରେ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ଦେଶର ସ୍ୱାଧୀନତା ନିକଟ ଭବିଷ୍ୟତରେ ନିଶ୍ଚିତ ବୋଲି ଅନୁଭୂତ ହେଲା । ସେ କ୍ଷେତ୍ରରେ ଗଡ଼ଜାତର ଓ ଦେଶୀୟ ରାଜ୍ୟର ଲୋକ ସମାଜ ମଧ୍ୟରେ ଉଭୟ ସାମାଜିକ ଓ ରାଜନୈତିକ ସ୍ତରରେ ପୂର୍ଣ୍ଣ ଯୋଗାଯୋଗ ରହିବା କଥା ବୋଲି ମତପ୍ରକାଶ ପାଇଲା । ଏଥିପାଇଁ ଗଡ଼ଜାତର ପ୍ରଜା ଆନ୍ଦୋଳନରେ କଂଗ୍ରେସର ସକ୍ରିୟ ଭୂମିକା ଆବଶ୍ୟକ ହେଲା । ଅନ୍ୟ ପକ୍ଷରେ କଂଗ୍ରେସର ମନ୍ତ୍ରିମଣ୍ଡଳ ଗଠନଯୋଗୁଁ ଲୋକେ ଏକ ରକମର ନିଡର ଅନୁଭବ କଲେ ଏବଂ ରାଜା ଅତ୍ୟାଚାର ବିରୁଦ୍ଧରେ ଏକଜୁଟ ହେବାପାଇଁ ଅଧିକ ଉତ୍ସାହ ଦେଖାଇଲେ ।

୧୯୩୦ ଓ ୧୯୪୦ ଦଶକରେ ସଂଘଟିତ ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ଉପରୋକ୍ତ ପୃଷ୍ଠଭୂମିରେ ଦେଖିବାକୁ ହେବ । ୧୯୩୧ ଅଗଷ୍ଟରେ ପ୍ରଥମ ଥରପାଇଁ ବିଭିନ୍ନ ଗଡ଼ଜାତର{{right|ଓଡ଼ିଶା ଇତିହାସ . ୨୮୩