ପୃଷ୍ଠା:Odisha Itihasa.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(All India States' Peoples Conference) ସହିତ ଏହା ସଂପର୍କ ରଖିଥିଲା । ଏସବୁ ସତ୍ତ୍ୱେ, ଗଡ଼ଜାତରେ ସ୍ଥାନୀୟ ନେତୃତ୍ୱ ହିଁ ପ୍ରଜାମଣ୍ଡଳର ପ୍ରମୁଖ କର୍ତ୍ତା ଥିଲେ । ସ୍ଥିତି ଅନୁଯାୟୀ ସେମାନେ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଉଥିଲେ । ଜାତୀୟ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଗଡ଼ଜାତ ଆନ୍ଦୋଳନକୁ ନେତୃତ୍ୱ ପ୍ରଦାନ କରୁ ନଥିଲା । ଇଂରେଜ ବିରୋଧରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଦେଶୀୟ ଲୋକଙ୍କ ବିରୋଧରେ ଉଦ୍ଦିଷ୍ଟ ହେବା ଉଚିତ ନୁହେଁ ବୋଲି ନେତୃବୃନ୍ଦ ମନେ କରୁଥିଲେ । ଗଡ଼ଜାତରେ ଏକ ପ୍ରଧାନ ସମସ୍ୟା ଥିଲା ଯେ, ଇଂରେଜଶାସିତ ଭାରତରେ ପ୍ରଚଳିତ ନିୟମ କାନୁନ ବହିର୍ଭୂତ ଅନେକ ଅଲିଖିତ ନିୟମ ସେଠାରେ ଚାଲିଥିଲା । ଏହାଦ୍ୱାରା ରାଜାମାନେ ଯଥେଚ୍ଛାଚାର କରିବାକୁ ସୁବିଧା ପାଉଥିଲେ । ଇଂରେଜ ସରକାର ଏ ସଂପର୍କରେ ଜାଣି ସୁଦ୍ଧା ଅଜଣା ରହୁଥିଲେ । ପ୍ରଜାଙ୍କପାଇଁ ଏହା ଅସହ୍ୟ ଥିଲା । ଉଦାହରଣ ସ୍ୱରୂପ, ପ୍ରତ୍ୟେକ ଗଡ଼ଜାତରେ ବେଠି ଓ ବେଗାରି ବ୍ୟବସ୍ଥା ରହିଥିଲା, ଯାହାର ଅର୍ଥ ହେଲା ବିନା ଦେୟରେ ପ୍ରଜାଠାରୁ ଶ୍ରମ ଦାବି କରିବା । ରାଜାମାନେ ପ୍ରଜାଠାରୁ ମୋଗଲବନ୍ଦି ତୁଳନାରେ ଅଧିକ ଖଜଣା ଅସୁଲ କରୁଥିଲେ । ଭୂ-ରାଜସ୍ୱ ବ୍ୟତୀତ ପ୍ରଜାକୁ ନାନା ବେନିୟମ କର ( ଯଥା ବିବାହ କର, ମଧୁଚନ୍ଦ୍ରିକା କର, ବାଳକଟା କର ଆଦି) ଦେବାକୁ ପଡ଼ୁଥିଲା । କନିକା ଯଦିଓ ମାତ୍ର ଏକ ଜମିଦାରୀ ଥିଲା , ସେଠାରେ ୬୪ ପ୍ରକାର କର ଅସୁଲି ହେଉଥିବା କୁହାଯାଉଥିଲା । ଏସବୁ ବ୍ୟତୀତ ଅନେକ ରାଜ୍ୟରେ ଅପହରଣ, ଧର୍ଷଣ, ଲୁଟତରାଜ ଆଦି ମଧ୍ୟ ରାଜାଙ୍କ ସମର୍ଥନରେ ଚାଲିଥିଲା । ମୌଳିକ ନାଗରିକ ଓ ମାନବିକ ଅଧିକାରରୁ ପ୍ରଜାମାନେ ବଞ୍ଚିତ ଥିଲେ ବୋଲି ଗଡ଼ଜାତକୁ 'ଅନ୍ଧାରି ମୁଲକ' ବୋଲି କୁହାଯାଉଥିଲା । ଏସବୁ ବିରୁଦ୍ଧରେ ପ୍ରତିବାଦ ନିମନ୍ତେ ରାଜନୈତିକ ସଂଗଠନ ଗଢ଼ିବାକୁ ଲୋକଙ୍କୁ କୌଣସି ଅଧିକାର ମଳୁ ନଥିଲା ।

୧୯୩୮ ଫେବ୍ରୁଆରିରେ ଜାତୀୟ କଂଗ୍ରେସର ହରିପୁରା ଅଧିବେଶନରେ ଦେଶୀୟ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ପ୍ରତି ସହାନୁଭୂତି ପ୍ରକଟ କରି ପ୍ରସ୍ତାବମାନ ଗୃହୀତ ହୋଇଥିଲା । ହରିପୁରା କଂଗ୍ରେସରେ ଓଡ଼ିଶାରୁ ଅନେକ ସଂଖ୍ୟାରେ ପ୍ରତିନିଧି ଯୋଗ ଦେଇଥିଲେ । ତନ୍ମଧ୍ୟରେ ହରେକୃଷ୍ଣ ମହତାବ, ଭାଗୀରଥି ମହାପାତ୍ର, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଗୌରାଂଗ ଦାସ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରାଣକୃଷ୍ଣ ପଢ଼ିଆରୀ, ମନମୋହନ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସ ଓ ନିତ୍ୟାନନ୍ଦ ମହାପାତ୍ର ଆଦି ଓଡ଼ିଶାର ପ୍ରତିନିଧିମାନେ ପ୍ରସ୍ତାବ ଗୃହୀତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦେଶୀୟ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ନୀତିଗତ ଭାବେ ହସ୍ତକ୍ଷେପ ନ କରିବାପାଇଁ କଂଗ୍ରେସ ଯଦିଓ ନିଷ୍ପତ୍ତି ନେଇଥିଲା, ଏହି ପ୍ରସ୍ତାବ କଂଗ୍ରେସ ନେତାମାନଙ୍କୁ ଗଡ଼ଜାତ ଆନ୍ଦୋଳନ ସହିତ ଯୋଗାଯୋଗ କରିବାକୁ ଅବସର ପ୍ରଦାନ କଲା ।

୧୯୩୭-୩୯ରେ ନୀଳଗିରି, ଢେଙ୍କାନାଳ, ତାଳଚେର, ରଣପୁର, ଗାଙ୍ଗପୁର ଓ ଆଠଗଡ଼ ଆଦି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ନେଲା । ଏହା ପଛରେ କଂଗ୍ରେସ{{right|ଓଡ଼ିଶା ଇତିହାସ . ୨୮୫