ପୃଷ୍ଠା:Odisha Itihasa.pdf/୨୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଚ୍ଛେଦ କରିବାକୁ ତଥା ପ୍ରଜାଙ୍କୁ ଜଙ୍ଗଲରେ ପ୍ରବେଶ ଅଧିକାର ଦେବାକୁ ନିର୍ଦେଶ ଦେଲେ । ଓଡ଼ିଶାର ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ମଧ୍ୟ ରାଜାଙ୍କ ସହ ଆଲୋଚନା କଲେ । ଫଳରେ ୧୯୪୧ ପର୍ଯ୍ୟନ୍ତ ପ୍ରଜାଙ୍କ ଉପରେ ଦମନ ନୀତି କୋହଳ ହେଲା । ଅନେକ ସଂଖ୍ୟକ ପ୍ରଜା ଏହି ସମୟରେ ନିଜ ରାଜ୍ୟକୁ ଶରଣାର୍ଥୀ ଶିବିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୯୪୧ ମସିହାର ଶେଷ ଆଡ଼କୁ ପୁଣି ରାଜାଙ୍କର ଉତ୍ପୀଡ଼ନ ବୃଦ୍ଧି ପାଇଲା, ଯାହାର ପରିଣାମ ସ୍ୱରୂପ ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରରେ ସଂଗ୍ରାମ ଉଗ୍ର ରୂପ ଧାରଣ କଲା । ତାକୁ ଦମନ କରିବା ନିମିତ୍ତ ସରକାର ମେସିନ୍ ଗନ୍‍ ଓ ବୋମା ଏବଂ ହେଲିକପ୍ଟରର ପ୍ରୟୋଗ କରିଥିଲେ ।

ମୟୂରଭଞ୍ଜ ମୟୂରଭଞ୍ଜ ଥିଲା ଓଡ଼ିଶାର ସର୍ବବୃହତ ଗଡ଼ଜାତ । ଏହାର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ଉତ୍କଳ ସମ୍ମିଳନୀର ଜଣେ ସମ୍ମାନନୀୟ ନେତା ଥିଲେ । ଆଧୁନିକ ଶିକ୍ଷା ଓ ଗମନାଗମନର ପ୍ରସାରପାଇଁ ସେ ରେଳପଥ ବିସ୍ତାର ଆଦି ଅନେକ ପଦକ୍ଷେପ ନେଇଥିଲେ । ରାଜ୍ୟରେ ଉଚ୍ଚ ନ୍ୟାୟାଳୟ, ପ୍ରଜାପରିଷଦମାନ ମଧ୍ୟ ଗଠିତ ହୋଇଥିଲା । ସେହି ଦୃଷ୍ଟିରୁ ଦେଖିଲେ, ରାଜତନ୍ତ୍ର ଉପରେ ପର୍ଯ୍ୟବସିତ ହେବା ସତ୍ତ୍ୱେ ମୟୂରଭଞ୍ଜର ଶାସନ ବ୍ୟବସ୍ଥା ଅନ୍ୟ ଗଡ଼ଜାତ ତୁଳନାରେ ପ୍ରଗତିଶୀଳ ଓ ସଂସ୍କାରୀ ଥିଲା ।

ମୟୂରଭଞ୍ଜ ଥିଲା ଏକ ଆଦିବାସୀ ବହୁଳ ରାଜ୍ୟ । ରାଜାଙ୍କର ସଂସ୍କାର ଓ ପ୍ରଗତିମୂଳକ କାର୍ଯ୍ୟଯୋଗୁଁ ସେଠାରେ ଅନେକ ବାହାର ଲୋକ ଚାକିରିଆ ଓ ବ୍ୟବସାୟୀ ଭାବରେ ଆସି ବସବାସ କଲେ । ସେମାନଙ୍କୁ ହାଟୁଆ ଏବଂ ନିଜକୁ ଦେଶଲୋକ ବୋଲି ଆଦିବାସୀମାନେ କହୁଥିଲେ । ଦେଶଲୋକଙ୍କର ଜମି ହାଟୁଆମାନଙ୍କ ପାଖକୁ ହସ୍ତାନ୍ତର ହେବାକୁ ଲାଗିଲା । ଏହାକୁ ଗଡ଼ଜାତର ପ୍ରାଶାସନିକ ବ୍ୟବସ୍ଥା ପ୍ରୋତ୍ସାହିତ କରୁଥିଲା । ତେଣୁ ହାଟୁଆମାନଙ୍କ ବିରୁଦ୍ଧରେ ଦେଶଲୋକ ଅନେକ ସମୟରେ ସଂଘର୍ଷ କରୁଥିଲେ ।

ରାଜ୍ୟରେ ବେଠି, ଭେଟି, ମାଗଣ ଆଦି ବ୍ୟବସ୍ଥା ପ୍ରଚଳିତ ଥିଲା । ରାଜା ଶିକ୍ଷିତ ଓ ସଂସ୍କାରୀ ହେବା ସତ୍ତ୍ୱେ ଏହିସବୁ ସାମନ୍ତବାଦୀ କର ଅସୁଲିକୁ ଉଚ୍ଛେଦ କରି ପାରି ନଥିଲେ । ୧୯୩୭- ୩୮ରେ ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ଗଠିତ ଷ୍ଟେଟ୍‍ସ ପିପୁଲ୍‍ସ ଏନ୍‍କ୍ୱାରି କମିଟି ପାଖରେ ମୟୂରଭଞ୍ଜ ପ୍ରଜାମଣ୍ଡଳର ପ୍ରମୁଖ ନେତା ଶରତଚନ୍ଦ୍ର ଦାସ ରାଜ୍ୟରେ ଅସୁଲ୍‍ ହେଉଥିବା ବେନିୟମ କରର ଏକ ବିସ୍ତୃତ ତାଲିକା ପ୍ରଦାନ କରିଥିଲେ । ତା' ଅନୁଯାୟୀ :

{{center block| ଜାଳେଣି କାଠ ପାଇଁ ମାସିକ କର ଚାରି ଅଣା;
ଗୋଚର ଜମି ବ୍ୟବହାର କରିବାପାଇଁ ପଶୁ ପିଛା ଦୁଇ ଅଣା;
ହାଟରେ ଗୋରୁଗାଈ ବିକିଲେ ମୁଣ୍ଡପିଛା କର ଚାରି ଅଣା;
ରାଜକର୍ମଚାରୀଙ୍କପାଇଁ ବିନା ମୂଲ୍ୟରେ ରସଦ ଯୋଗାଣ;
ରାସ୍ତାଘାଟର ମରାମତିପାଇଁ ବାଧ୍ୟତାମୂଳକ ବେଠି;
୨୯୦ . ଓଡ଼ିଶା ଇତିହାସ