ପୃଷ୍ଠା:Odisha Itihasa.pdf/୨୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମ୍ୟୁନିଷ୍ଟମାନଙ୍କର ଆସ୍ଥା ନଥିଲା । ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟାଗ୍ରହ ମାର୍ଗରେ ମଧ୍ୟ ସେମାନଙ୍କର ଭରସା ନଥିଲା । ଭାରତ ବାହାରେ ଥିବା କମ୍ୟୁନିଷ୍ଟ ଆନ୍ଦୋଳନ ସହ ସେମାନଙ୍କର ସଂପୃକ୍ତି ଥିଲା । ସେହି ଦୃଷ୍ଟିରୁ ଦେଖିଲେ, କମ୍ୟୁନିଷ୍ଟମାନଙ୍କର ଜାତୀୟତାବାଦ ଦେଶ ମଧ୍ୟରେ ସୀମିତ ନଥିଲା । ସେମାନଙ୍କ ସ୍ଲୋଗାନ୍‍ ଥିଲା- "ଦୁନିଆଁର ସର୍ବହରା ଏକ ହୁଅ ।" ଇଂଲଣ୍ଡର ବିଶ୍ୱ ସ୍ତରରେ କମ୍ୟୁନିଷ୍ଟମାନଙ୍କ ପ୍ରତି ଶତ୍ରୁତା ଭାବ ରହିଥିଲା । ଇଂରେଜ ସରକାର ସେମାନଙ୍କୁ ନିଷେଧ କରିଥିଲେ । ତେଣୁ କଂଗ୍ରେସର ଆଢ଼ୁଆଳରେ ଭାରତରେ କମ୍ୟୁନିଷ୍ଟମାନେ କାର୍ଯ୍ୟ କରୁଥିଲେ । ସୋସିଆଲିଷ୍ଟମାନେ କଂଗ୍ରେସ ଓ ଗାନ୍ଧିଜୀଙ୍କ ସମାଲୋଚନା କରିବା ସତ୍ତ୍ୱେ ଶତ୍ରୁତା ରଖି ନଥିଲେ । କମ୍ୟୁନିଷ୍ଟମାନଙ୍କୁ ସେମାନେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ଉଭୟ ସାମ୍ୟ ଓ ରାଷ୍ଟ୍ରୀୟତାକୁ ସେମାନେ ସମାନ ମହତ୍ତ୍ୱ ଦେଉଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟମାନେ କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହିବା ସତ୍ତ୍ୱେ ତା' ମଧ୍ୟରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ କରିଥିଲେ । ନବଯୁଗ ସାହିତ୍ୟ ସଂସଦ ସେମାନଙ୍କ କର୍ତ୍ତୃତ୍ୱରେ ରହିଥିଲା । ଭଗବତୀ ଚରଣ ପାଣିଗ୍ରାହୀଙ୍କ ସଂପାଦନାରେ 'ଆଧୁିନିକ' ନାମକ ଏକ ମାସିକ ପତ୍ରିକା ମଧ୍ୟ ୧୯୩୬-୩୭ରେ ସେମାନେ ପ୍ରକାଶ କରୁଥିଲେ । ସେମାନେ ନିଖିଳ ଓଡ଼ିଶା ଛାତ୍ର ସମ୍ମେଳନ ଗଢ଼ି ତାହାରି ମାଧ୍ୟମରେ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ସୃଷ୍ଟି କରୁଥିଲେ । ୧୯୩୭ରେ ସମ୍ମେଳନ ରାଜନୈତିକ ଦାବିମାନ ଉତ୍ଥାପନ କଲା । ୧୯୩୭ ଅଗଷ୍ଟ ୨୨ ତାରିଖରେ ଅନନ୍ତ ପଟ୍ଟନାୟକ ମହାତ୍ମାଗାନ୍ଧୀଙ୍କର ଦୃଢ଼ ସମାଲୋଚନା କରି ଲେଖିଥିଲେ ଯେ, "ଗାନ୍ଧୀବାଦ ଯୁବ ସମାଜକୁ ଦୁର୍ବଳ କରି ଦେଇଛି । ନଚେତ୍‍ ସ୍ପେନ୍ ତଥା ଜାପାନରେ ଯୁବ ସମାଜ ବର୍ତ୍ତମାନ ଯେପରି କାର୍ଯ୍ୟ କରୁଛି, ଆମେ ମଧ୍ୟ ସେପରି କରିପାରନ୍ତୁ । ଗୁଳିଗୋଳା ତଥା ରକ୍ତପାତ ବ୍ୟତୀତ କୌଣସି ଦେଶରେ ସ୍ୱାଧୀନତା ସମ୍ଭବ ନୁହେଁ ।" ସେ ଛାତ୍ର ସମାଜକୁ ଅସ୍ତ୍ର ଶିକ୍ଷା କରି ଏପରି ଏକ ପରିସ୍ଥିତି ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ, ଯଦ୍ଦ୍ୱାରା ଇଂରେଜ ସରକାରର ପତନ ନିଶ୍ଚିତ ହେବ । କମ୍ୟୁନିଷ୍ଟ ବିଚାରର ଏକ ପ୍ରମୁଖ ସ୍ଥଳୀ ଥିଲା କଟକର ରେଭେନ୍‌ସା କଲେଜ । 'ଦେଶକଥା' ଜୁଲାଇ ୧୯୩୮ରେ ତାଚ୍ଛଲ୍ୟ କରି ଲେଖିଥିଲା, "କିଛି ଦିନ ମଧ୍ୟରେ ରେଭେନ୍‌ସା ମହାବିଦ୍ୟାଳୟ ସୋଭିଏତ୍‍ ରାଷ୍ଟ୍ରରେ ପରିଣତ ହେବ । ତା'ପାଇଁ ପୁରୁଷ ଓ ନାରୀ ରୁଷୀୟମାନେ ଏବେଠାରୁ ପ୍ରଚାରରେ ଲାଗିଛନ୍ତି । ....ସେମାନଙ୍କ ମତକୁ ଯିଏ ବିରୋଧ କରନ୍ତି, ସେ ପ୍ରତିକ୍ରିୟାଶୀଳ ବୋଲି ଅଭିହିତ ହୁଅନ୍ତି ।"

୧୯୩୮ ମସିହା ବେଳକୁ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅଧିକ ହେଲା । କମ୍ୟୁନିଷ୍ଟମାନେ ଗାନ୍ଧିଜୀଙ୍କ ନେତୃତ୍ୱ, ଦେଶର ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ କରୁଛି ବୋଲି ଅଭିଯୋଗ କଲେ । କଂଗ୍ରେସ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କୁ ଅନନ୍ତ ପଟ୍ଟନାୟକ ପୁଞ୍ଜିବାଦୀ ଆଖ୍ୟା ଦେଇ ସୋସିଆଲିଷ୍ଟମାନଙ୍କ ତୁଳନାରେ ଏକ ଉଗ୍ରତର କଂଗ୍ରେସ ବିରୋଧୀ ଚିନ୍ତାଧାରା ପ୍ରକଟ କଲେ । ସେମାନେ କଂଗ୍ରେସ ସୋସିଆଲିଷ୍ଟ ଦଳର ନେତା ଭାବରେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଜଣେ କମ୍ୟୁନିଷ୍ଟକୁ ସ୍ଥାପିତ କରିବାକୁ ପ୍ରୟାସ କରୁଥିଲେ । ୧୯୩୯ ମସିହା ମେ ମାସରେ କମ୍ୟୁନିଷ୍ଟ ଛାତ୍ର ନେତା ବୈଦ୍ୟନାଥ ରଥ ଏ ସଂପର୍କରେ ଚିଠି ମଧ୍ୟ ଲେଖିଥିଲେ ।{{right|ଓଡ଼ିଶା ଇତିହାସ . ୨୯୭