ପୃଷ୍ଠା:Odisha Itihasa.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାଣିବା ଅସମ୍ଭବ ନୁହେଁ । ପ୍ରଶ୍ନ ଉଠେ, ଯଦି କଳିଙ୍ଗ ଅନେକଗୁଡିଏ ସ୍ଥାନୀୟ ଓ ଛୋଟଛୋଟ ରାଜ୍ୟର ସମୂହ ଥିଲା, ତେବେ ଏତେ ଅଧିକ ସଂଖ୍ୟକ ଲୋକ ଯୁଦ୍ଧରେ ମଗଧ ବିରୁଦ୍ଧରେ ଭାଗ ନେଲେ କେମିତି ? ଏହାର ଗୋଟିଏ ଉତ୍ତର ହେବ ଯେ କଳିଙ୍ଗ ଯୁଦ୍ଧରେ 'ଲକ୍ଷ' ସଂଖ୍ୟାରେ ଲୋକ ନିହତ ହେବା ଏବଂ 'ଦେଢ଼ ଲକ୍ଷ' ସଂଖ୍ୟାରେ ଲୋକ ଆହତ ହେବା ହୁଏତ କିଛିଟା ଅତିରଞ୍ଜନ । 'ଲକ୍ଷ' ଏଠାରେ ନିର୍ଦ୍ଦିଷ୍ଟ ସଂଖ୍ୟା ଭାବରେ ନ ହୋଇ ରୂଢ଼ି ଭାବରେ ହୁଏତ ବ୍ୟବହୃତ ହୋଇଛି । ଦ୍ୱିତୀୟତଃ, ହତାହତଙ୍କ ମଧ୍ୟରେ ସମସ୍ତେ କଳିଙ୍ଗର ସୈନ୍ୟ ଥିଲେ ବୋଲି କେଉଁଠି ଉଲ୍ଲିଖିତ ହୋଇନାହିଁ । ବରଂ ବ୍ରାହ୍ମଣ, ଶ୍ରମଣ ଓ ସାଧାରଣ ଲୋକ ଅନେକ ସଂଖ୍ୟାରେ ମୃତାହତ ହୋଇଛନ୍ତି ବୋଲି ଅଶୋକ ଗ୍ଳାନି ପ୍ରକାଶ କରିଛନ୍ତି । ହୁଏତ ଉଦ୍ଧତ ମଗଧ ସେନା ଯୁଦ୍ଧ ସମୟରେ ଅସଂଖ୍ୟ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥାଇ ପାରନ୍ତି । ଏହା ଅଶୋକଙ୍କୁ ସାମରିକ ଅଭିଯାନର ଦୁଷ୍ପରିଣାମକୁ ଅଧିକ ସ୍ପଷ୍ଟ ଭାବେ ଦେଖିବାକୁ ଅବସର ଦେଇଛି । ତୃତୀୟତଃ, କଳିଙ୍ଗ ଯୁଦ୍ଧ ପରେ ମଧ୍ୟ କଳିଙ୍ଗ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳ ବା ଆଟବିକ ରାଜ୍ୟଗୁଡିକ ଅଶୋକ ଜୟ କରି ପାରିନଥିଲେ । ଅର୍ଥାତ୍‍ କଳିଙ୍ଗ କୌଣସି ବିଶାଳ ସାମ୍ରାଜ୍ୟ ନଥିଲା ଏବଂ ତାକୁ ଆଧୁନିକ ଓଡ଼ିଶାର ପ୍ରାକୃତିକ ସୀମାଞ୍ଚଳ ସହ ତୁଳନା କରି ହେବ ନାହିଁ । ଅନେକ ସ୍ଥାନୀୟ ରାଜ୍ୟର ସମୂହ, ବିଶାଳ କଳିଙ୍ଗର ଏକ କ୍ଷୁଦ୍ର ଅଂଶବିଶେଷ ମାତ୍ର ଅଶୋକଙ୍କ କର୍ତ୍ତୃତ୍ୱକୁ ଆସିଥିଲା । କେତେକ ସ୍ଥାନୀୟ ରାଜା ଯଦି ମଗଧର ରାଜପ୍ରତିିଧିଙ୍କଠାରେ ବାର୍ଷିକ ଦେୟ ଦେଉଥିଲେ, ଅନ୍ୟ ବହୁତ ପାର୍ବତ୍ୟ ରାଜ୍ୟ ବା ଆଟବିକ ରାଜ୍ୟ ସ୍ୱାଧୀନ ମଧ୍ୟ ରହିଥିଲେ । ଯେଉଁ ସ୍ଥାନୀୟ ରାଜ୍ୟ ମଗଧକୁ ବାର୍ଷିକ ଦେୟ ଦେଇ ଅଶୋକଙ୍କ ବଶ୍ୟତା ସ୍ୱୀକାର କରିଥିଲେ, ସେଗୁଡିକ ମଧ୍ୟ ମଗଧ ପ୍ରଶାସନର ଦୂରରେ ରହି ନିଜ ନିଜର ଶାସନ ପୂର୍ବବତ ଅବ୍ୟାହତ ରଖିଥିଲେ । ଅଶୋକଙ୍କ ପରେ କଳିଙ୍ଗରେ ମଗଧ ଶାସନ ଅଧିକ କାଳ ଯାଏଁ ତିଷ୍ଠି ପାରି ନଥିଲା । ମୌର୍ଯ୍ୟ ବଂଶର ଶେଷ ସମ୍ରାଟ ବୃହଦ୍ରଥଙ୍କୁ ତାଙ୍କ ସେନାପତି ପୁଷ୍ୟମିତ୍ର ସୁଙ୍ଗ ହତ୍ୟା କରି ମଗଧ ଅଧିକାର କରିନେଲେ । ଏହାର ବହୁ ପୂର୍ବରୁ ମଗଧରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ କଳିଙ୍ଗର ସ୍ଥାନୀୟ ରାଜାମାନେ ହୁଏତ ବାର୍ଷିକ ଦେୟ ଦେବା ବନ୍ଦ କରି ସାରିଥିଲେ । ଏହା ସାଙ୍ଗରେ ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ ଲାଭ କଲେ ବୋଲି ଅନୁମାନ କରାଯାଇପାରେ ।

...

୩୦ . ଓଡ଼ିଶା ଇତିହାସ