ପୃଷ୍ଠା:Odisha Itihasa.pdf/୩୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାଇପଦା-କଳାମାଟିଆ ପୋଲିସ୍‍ ଫାୟାରିଂ ଘଟଣା ଜଣାପଡ଼ିବା ପରେ ୨୭ ଅଗଷ୍ଟ ଦିନ ଯାଜପୁରରେ ତା'ର ଖୁବ୍‍ ପ୍ରତିବାଦ ହେଲା । କାଇପଦାରେ ଗିରଫ କର୍ମୀମାନଙ୍କୁ ଯାଜପୁରରେ ରଖାଯାଇଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ହଜାର ହଜାର ଲୋକ ପୋଲିସ ଷ୍ଟେସନକୁ ଘେରାଉ କରିବାକୁ ଆସିଲେ । ପଦ୍ମନାଭ ରାୟ, ବୈଦ୍ୟନାଥ ଦାସ, ଗୋପୀନାଥ ସାହୁ ଓ ଦୁର୍ଯ୍ୟୋଧନ ରାଉତ ଥିଲେ ସେମାନଙ୍କର ନେତା । ପୋଲିସକୁ ସେମାନେ ଗିରଫ କଂଗ୍ରେସ କର୍ମୀମାନଙ୍କୁ ମୁକ୍ତ କରିବାକୁ ତଥା ଚାକିରିରୁ ଇସ୍ତଫା ଦେଇ ଆନ୍ଦୋଳନରେ ଯୋଗ ଦେବାକୁ ଦାବି କଲେ । ଉପସ୍ଥିତ ଭିଡ଼କୁ ନିୟନ୍ତ୍ରଣ କରିବା ସକାଶେ ପୋଲିସ ସହରରେ ୧୪୪ ଧାରା ଜାରିକଲେ ଏବଂ ହେଲିକପ୍‍ଟରରୁ ଲୁହବୁହା ଗ୍ୟାସ୍‍ ପକାଇଲେ । ଫଳରେ ଲୋକ ଇତସ୍ତତଃ ଦୌଡ଼ି ପଳାଇଲେ । ବାଟରେ କେତେକ କର୍ମୀ ରାମବାଗଠାରେ ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇ ଦେଲେ ।

୨୨ଅଗଷ୍ଟ ଦିନ ମାହାଙ୍ଗାର କୁଆଁପାଳ ପୋଷ୍ଟ ଅଫିସ୍‍ରେ ଏବଂ ବାଲିଚନ୍ଦ୍ରପୁର ତହସିଲ ଅଫିସ୍‍ରେ ଲୋକେ ନିଆଁ ଲଗାଇ ଦେଲେ । ଜଣେ କନେଷ୍ଟବଲ୍‍ ଓ ଦୁଇଜଣ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ମଧ୍ୟ ନିଆଁ ଲଗାଇ ଦିଆଗଲା । ଏହାପରେ ମାହାଙ୍ଗା ଗାନ୍ଧୀ ନାମରେ ପରିଚିତ ସଚ୍ଚିଦାନନ୍ଦ ଜେନା ଓ ବିରଜା ପ୍ରସାଦ ରାୟଙ୍କୁ ପୋଲିସ ଗିରଫ କରି ଜେଲ୍‍କୁ ପଠାଇଲେ । ବଡ଼ଚଣାର ଗୋପାଳପୁର ଡାକବଙ୍ଗଳାକୁ ଉତ୍ତ୍ୟକ୍ତ ଜନତା ୨୧ ତାରିଖ ଦିନ ପୋଡ଼ିଦେଲେ ଏବଂ ଚୌକିଦାରର ପୋଷାକ କାଢ଼ି ନେଲେ । ୨୬ ତାରିଖରେ କୃଷ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନେକ ଲୋକ ବଡ଼ଚଣା ଥାନା ଆକ୍ରମଣ କରି ସେଠାରେ କାର୍ଯ୍ୟରତ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ନିଆଁ ଲଗାଇ ଦେଇଥିଲେ । ୩୧ ତାରିଖ ଦିନ ତିର୍ତ୍ତୋଲ୍‍ର ବାଲିପାଟଣାଠାରେ ପ୍ରାୟ ୫୦୦ ଲୋକ ପୋଲିସ୍‍ ଉପରେ ଆକ୍ରମଣ କରି ଜଣେ କଂଗ୍ରେସ କର୍ମୀଙ୍କୁ ମୁକ୍ତ କରିଥିଲେ ।

କୋରାପୁଟ ପରି କଟକ ଜିଲ୍ଲାରେ ମଧ୍ୟ ଲୋକ ସମବେତ ହୋଇ ଥାନା ଓ ସରକାରୀ କୋଠାଘର ଉପରେ ଆକ୍ରମଣ କରିଥିଲେ । ଅନେକ ସ୍ଥାନରେ ସେମାନଙ୍କର ମୁଖ୍ୟ ଦାବି ଥିଲା ଗିରଫ କର୍ମୀଙ୍କର ମୁକ୍ତି । ପୋଲିସ ଓ ଚୌକିଦାରମାନଙ୍କ ୟୁନିଫର୍ମ କାଢ଼ି ତହିଁରେ ସେମାନେ ନିଆଁ ଲଗାଇ ଦେଉଥିଲେ । କେତେକ ସ୍ଥାନରେ ଉତ୍ତ୍ୟକ୍ତ ଜନତା ଗିରଫ କଂଗ୍ରେସ କର୍ମୀଙ୍କୁ ପୋଲିସ କବଳରୁ ମୁକ୍ତ କରିବାରେ ମଧ୍ୟ ସଫଳ ହୋଇଥିଲେ । ପୋଲିସ ବିରୁଦ୍ଧରେ ଏକତ୍ରିତ ଭିଡ଼କୁ ଇତସ୍ତତଃ କରିବାପାଇଁ ସରକାରଙ୍କ ପକ୍ଷରୁ ଗୁଳିଚାଳନା ସହିତ କେତେକ ସ୍ଥାନରେ ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମରେ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରାଯାଇଥିଲା । ଏହା ସରକାରଙ୍କ ଅସହାୟତାକୁ ଦର୍ଶାଉଥିଲା ।

ବାଲେଶ୍ୱର ଆନ୍ଦୋଳନ କଟକ ପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅଗଷ୍ଟ ବିପ୍ଳବ ଗୁରୁତର ଆକାର ଧାରଣ କରିଥିଲା । ଅଗଷ୍ଟ ୧୭ ତାରିଖ ଦିନ ଏହି ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଲୋକେ ଥାନା୩୦୮ . ଓଡ଼ିଶା ଇତିହାସ