ପୃଷ୍ଠା:Odisha Itihasa.pdf/୩୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୋଲି ତାଳଚେରରୁ ପ୍ରଥମେ ବିହାର, ବଂଗ ଓ ଆସାମ ଚାଲିଗଲେ । ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ଦଳ ସହ ମଧ୍ୟ ଯୋଗସୂତ୍ର ରକ୍ଷା କରି ସେମାନଙ୍କ ସହାୟତାରେ ଯୁଦ୍ଧ କରିବାକୁ ଉଦ୍ୟମ କରିଥିଲେ ।

ଢେଙ୍କାନାଳରେ ଆନ୍ଦୋଳନ
୧୯୩୮-୩୯ର ଢେଙ୍କାନାଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ପରେ, ୧୯୪୨ର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହାର ପରିବର୍ଦ୍ଧିତ ରୂପ ଦେଖାଗଲା, ଯାହା ଅଗଷ୍ଟ ବିପ୍ଳବ ନାମରେ ପରିଚିତ । ଅଗଷ୍ଟ ୧୬ ତାରିଖରେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଜାମଣ୍ଡଳର ନେତାମାନେ କୃତ୍ତିିବାସ ପ୍ରଧାନଙ୍କ ସଭାପତିତ୍ୱରେ ଖଣ୍ଡବନ୍ଧଠାରେ ବୈଠକ କଲେ । ଏହାର ସୂଚନା ପାଇ ପୋଲିସ ଆନ୍ଦୋଳନର ନେତା ମହେଶ୍ୱର ସୁବାହୁ ସିଂହ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବ୍ରଜକିଶୋର ଧଳ, ଶ୍ରୀକାନ୍ତ ରାଉତ ଓ ନରୋତ୍ତମ ଦାସ ଆଦିଙ୍କୁ ୧୮ରୁ ୨୩ ଅଗଷ୍ଟ ମଧ୍ୟରେ ଗିରଫ କଲା । ପ୍ରଜାମଣ୍ଡଳର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ପୂର୍ବରୁ ଜେଲ୍‍ରେ ଥାଇ ଏପ୍ରିଲ୍‍ ୧୯୪୨ରେ ଖଲାସ ହୋଇଥିଲେ । ସେ ଆନ୍ଦୋଳନର ନେତୃତ୍ୱ ନେଲେ । ତାଙ୍କ ଘର ତଲାସୀ ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇ ପାରିଲା ନାହିଁ । ବୈଷ୍ଣବଙ୍କ ନେତୃତ୍ୱରେ ଏକ ୧୯ ଜଣିଆ ଗରିଲା ବାହିନୀ ଗଠିତ ହେଲା ଏବଂ ଆନ୍ଦୋଳନପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଲା । ଗରିଲା ବାହିନୀର ଅନ୍ୟ ସଦସ୍ୟ ଥିଲେ ମୂଷା ମଲ୍ଲିକ, ବାଇଧର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, କୁଳମଣି ପ୍ରଧାନ ଓ ପଦ୍ମନାଭ ସାହୁ ଆଦି । ଅଗଷ୍ଟ ୨୬ ତାରିଖ ଦିନ ପୂର୍ବ ନିଷ୍ପତ୍ତି ମତେ ରାଜ୍ୟର ମଢି (କାମାକ୍ଷାନଗର) ସ୍ଥିତ ଥାନା ସେମାନେ ଆକ୍ରମଣ କଲେ । ଥାନାର କାଗଜପତ୍ର ପୋଡ଼ିଦେବା ସହିତ ୪ଟି ବନ୍ଧୁକ, ୬୦ ରାଉଣ୍ଡ ଗୁଳି ଏବଂ ପ୍ରାୟ ୨୦୦୦୦ ଟଙ୍କା ସେମାନେ ଲୁଟ୍‍ କରିନେଲେ । ଏହା ପରେ ସେମାନେ ତହସିଲ, ଫରେଷ୍ଟ ଅଫିସ୍‍ ଓ ଥାନାବାବୁଙ୍କ ବସାଗୃହକୁ ପୋଡ଼ିଦେଲେ । ଦେଶୀ ବନ୍ଧୁକ, ଧନୁ, ତୀର, ବର୍ଚ୍ଛା ଓ ଲାଠି ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେମାନେ ଏହି ଆକ୍ରମଣ କରିଥିଲେ । ଗରିଲା ବାହିନୀର ଏହି କାଣ୍ଡ ଦେଖି ହଜାର ହଜାର ଲୋକ ରୁଣ୍ଡ ହେଲେ ଓ ସମସ୍ତେ ମିଶି ରାଜାଙ୍କ କୋଠଘରକୁ ଲୁଟିନେଲେ । ତା'ପରଠାରୁ ମଢ଼ିଠାରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠିତ ହେଲା ।

ସେପ୍ଟେମ୍ବର ୪ ତାରିଖରେ ଗରିଲା ବାହିନୀ ଚାନ୍ଦପୁର ଥାନା ଓ ତହସିଲ ଅଫିସ୍‍ରେ ନିଆଁ ଲଗାଇଦେଲେ । ଏହା ପରେ ସେମାନେ ପର୍ଜଙ୍ଗ ଥାନା ଆକ୍ରମଣପାଇଁ ଯାଉଥିବା ବେଳେ ପୋଲିସ ସହିତ ସେମାନଙ୍କର ଖଣ୍ଡଯୁଦ୍ଧ ହେଲା । ତେଣିକି ପୋଲିସ ଗୁଳିରେ ବାହିନୀର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ଆହତ ହେଲେ ଏବଂ ବୀର ସାହୁ ଓ ବେଣୁ ସାହୁ ନାମକ ଦୁଇଜଣ କର୍ମୀଙ୍କର ମୃତ୍ୟୁ ହେଲା । ଗରିଲା ବାହିନୀର ଅନ୍ୟ ନେତାମାନଙ୍କୁ ପୋଲିସ୍‍ ଗିରଫ କଲା । ଅଦାଲତରେ ବିଚାର ହୋଇ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ବୈଷ୍ଣବ ଧରାପଡ଼ିଲେ ନାହିଁ । ତାଙ୍କୁ ମୃତ ବା ଜୀବିତ ଅବସ୍ଥାରେ ଧରାଇଦେବାପାଇଁ ସରକାରଙ୍କ ପକ୍ଷରୁ୩୧୮ . ଓଡ଼ିଶା ଇତିହାସ