ପୃଷ୍ଠା:Odisha Itihasa.pdf/୩୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୨୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରାଗଲା । ଢେଙ୍କାନାଳରେ ଅଗଷ୍ଟ ବିପ୍ଳବରେ ଭାଗନେବା ଅପରାଧରେ ମୋଟ ୩୦୦ଜଣଙ୍କୁ ଗିରଫ କରାଗଲା ଏବଂ ଲୋକଙ୍କ ପାଖରୁ ପ୍ରାୟ ୮୦,୦୦୦ଟଙ୍କା ପିଟୁଣି ଟିକସ ଆଦାୟ କରାଗଲା । ଅନେକ ଗ୍ରାମବାସୀଙ୍କ ଘର ପୋଲିସ ତଲାସୀ କଲା ଏବଂ ସେମାନଙ୍କ ଆସବାବପତ୍ରକୁ ବାଜ୍ୟାପ୍ତ କଲା । ଢେଙ୍କାନାଳ ପୋଲିସର ଦମନ ଲୀଳା ସମଗ୍ର ଓଡ଼ିଶାରେ ଆତଙ୍କର ବାତାବରଣ ସୃଷ୍ଟି କଲା ।

ତାଳଚେର ପରି ଢେଙ୍କାନାଳରେ ମଧ୍ୟ ଆନ୍ଦୋଳନକାରୀ ଅନେକ ହିଂସାକାଣ୍ଡ ଭିଆଇଥିଲେ । ମାତ୍ର ସବୁଗୁଡ଼ିକୁ ଗରିଲା ବାହିନୀ କାର୍ଯ୍ୟକାରୀ କରିଥିଲେ । ତାଳଚେରରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଢେଙ୍କାନାଳରେ ଗରିଲା ବାହିନୀ ଅଧିକ ଶୃଙ୍ଖଳିତ ଢଙ୍ଗରେ ଓ ବିଶେଷକରି ଅତର୍କିତ ଭାବରେ ସରକାରୀ କଳ ଉପରେ ଆକ୍ରମଣ କରୁଥିଲେ । ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱଯୋଗୁଁ ଏସବୁ ସଂଭବପର ହୋଇ ପାରିଥିଲା । ଲୌକିକ ସ୍ତରରେ ତାଙ୍କୁ ବୀର' ବୋଲି କୁହାଯାଉଥିଲା ।

ନୟାଗଡ଼ରେ ଆନ୍ଦୋଳନ ଅଗଷ୍ଟ ମାସ ୯ ତାରିଖରେ ନୟାଗଡରେ ରାଜାଙ୍କ କଚେରି, କାର୍ଯ୍ୟାଳୟ ଓ ଥାନାକୁ କବ୍‍ଜା କରିବାନିମିତ୍ତ ପ୍ରଜାମଣ୍ଡଳ ପକ୍ଷରୁ ପ୍ରସ୍ତୁତି ଚାଲିଲା । ଏହାର ସୂଚନାପାଇ ବାଞ୍ଛାନିଧି ସେନାପତି, ଲକ୍ଷ୍ମଣ ମହାରଣା, ନାରାୟଣ ନନ୍ଦ, ଉଦୟନାଥ ପୃଷ୍ଟି, କୁବେର ସାହୁ ଆଦି ଅନେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଗୋଡ଼ିପଡ଼ା ଥାନା ଅନ୍ତର୍ଗତ ମହୁଲିଆରେ ପ୍ରଜାମଣ୍ଡଳର ସଭା ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାର୍ଜ କଲା । ଫଳରେ ଲଡ଼ୁକେଶ୍ୱର ମିଶ୍ର, ଭୁବନେଶ୍ୱର ଭୂୟାଁ ଓ ଗୌରାଙ୍ଗ ମହଲା ଆହତ ହେଲେ । ଉଦୟନାଥ ପୃଷ୍ଟି, ବିନାୟକ ମିଶ୍ର ଓ ଭରତ ସାହୁ ଆଦି ୧୩ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିନେଲା । ଏହା ପରେ ଓଡ଼ଗାଁ ଓ ଲାଠିପଦାରେ ମଧ୍ୟ ସଭା ଓ ଶୋଭାଯାତ୍ରା ଆୟୋଜିତ ହେଲା ଏବଂ ତାକୁ ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାଳନା କଲା । ଭାଗବତ ଜାନି, କୁଶିଆ ପ୍ରଧାନ, ସୁଲି ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ ଆଦି କେତେକ ଆଦିବାସୀ ନେତାଙ୍କୁ ମଧ୍ୟ ଗିରଫ କରି ନୟାଗଡ଼ ଜେଲରେ ରଖାଗଲା । । ପୋଲିସର ପ୍ରବଳ ଦମନ ସତ୍ତ୍ୱେ ୧୭ ଅଗଷ୍ଟ ୧୯୪୨ ଦିନ ନୟାଗଡ଼ ଓ ଓଡ଼ଗାଁରେ ହରତାଳ ପାଳିତ ହେଲା । ଓଡ଼ଗାଁର ମହାଜନ ଭଗବାନ ଚୌଧୁରୀଙ୍କ ଖମାରକୁ ଆନ୍ଦୋଳନକାରୀ ଲୁଟି ନେଲେ । ଏହା ପରେ ସେଠାରେ ପୋଲିସର ଅକଥନୀୟ ଦମନ ଲୀଳା ଆରମ୍ଭ ହେଲା । ରାଜା ବିରୋଧୀମାନଙ୍କ ଘର ଉପରେ ବାହାରୁ ଆସିଥିବା ଶିଖ ପୋଲିସ୍‍ ବାହିନୀ ଆକ୍ରମଣ କଲେ । ଦୋକାନଗୁଡ଼ିକୁ ଲୁଟିନେଲେ । ଏପରିକି ସେମାନଙ୍କ ଅତ୍ୟାଚାରରୁ ମହିଳାମାନେ ମଧ୍ୟ ତ୍ରାହି ପାଇଲେ ନାହିଁ । ଏହା ଫଳରେ ଆନ୍ଦୋଳନର ଦମନ ହେଲା ବୋଲି ବାହାରକୁ ଜଣାପଡ଼ୁଥିଲେ ସୁଦ୍ଧା ଗୋପନ ଭାବେ ତା'ପାଇଁ ପ୍ରସ୍ତୁତି ଚାଲିଥିଲା ।{{right|ଓଡ଼ିଶା ଇତିହାସ . ୩୧୯