ପୃଷ୍ଠା:Odisha Itihasa.pdf/୩୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ସମ୍ବଲପୁରରେ ସରକାରୀ କଲେଜ ଖୋଲିବାକୁ ନିଷ୍ପତ୍ତି ହେଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଥିଲା ଏକ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

ମିଳିତ ମନ୍ତ୍ରିମଣ୍ଡଳର ଭିତ୍ତି ଥିଲା ଦ୍ୱିଧାପୂର୍ଣ୍ଣ । ମନ୍ତ୍ରିମଣ୍ଡଳ ନେଇଥିବା କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବଦଳରେ ଲୋକ ତା'ର ବିଫଳତା ଏବଂ ଲୋକ ବିରୋଧୀ ଚରିତ୍ରକୁ ଗଣି ବସିଲେ । ମନ୍ତ୍ରିମଣ୍ଡଳର ଶାସନ କାଳ ମଧ୍ୟରେ ଅଗଷ୍ଟ ବିପ୍ଳବ ହେଲା । ସେହି ସମୟରେ ଯେଉଁ ଅକଥନୀୟ ଦମନ ଲୀଳା ଚାଲିଲା, ତା' ପଛରେ ମିଳିତ ମନ୍ତ୍ରିମଣ୍ଡଳର ହାତ ଥିଲା ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେଲା । କାରଣ ଯେଉଁଭଳି ଭାବେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ (୧୯୩୭-୩୯) ପ୍ରଜାମଣ୍ଡଳ ଆନ୍ଦୋଳନକୁ ପରୋକ୍ଷ ସୁରକ୍ଷା ଦେଇଥିଲା, ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବ ପ୍ରତି ସେହି ଧରଣର ସହାନୁଭୂତିଶୀଳ ମନୋଭାବ ରଖିଲା ନାହିଁ । ବରଂ କଂଗ୍ରେସର ବିଧାନସଭା ସଦସ୍ୟମାନଙ୍କୁ ଏହା ଜେଲରେ ରଖିବାକୁ ଚାହିଁଲା, ଯେହେତୁ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳ ତିଷ୍ଠି ରହିବାଲାଗି କଂଗ୍ରେସ ସଭ୍ୟଙ୍କର ବିଧାନସଭାରେ ଅନୁପସ୍ଥିତ ରହିବା ଏକ ଆବଶ୍ୟକତା ଥିଲା । ଏହା ମନ୍ତ୍ରିମଣ୍ଡଳର ଜନ ବିରୋଧୀ ସ୍ୱଭାବ ଏବଂ କ୍ଷମତା ଲୋଭକୁ ଦର୍ଶାଉଥିଲା । ଇଂରେଜ ସରକାର ହାତରେ କଣ୍ଢେଇ ସାଜି ଏହା ଲୋକଙ୍କୁ ଦମନ କଲା ବୋଲି ଲୋକ ଅଭିଯୋଗ କଲେ । ଯୁଦ୍ଧପାଣ୍ଠି ସଂଗ୍ରହ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସରକାରର ଏକ ପ୍ରମୁଖ କାର୍ଯ୍ୟ । ଏହାରି ମାଧ୍ୟମରେ ଭାରତୀୟ ବର୍ଗର ଯୁଦ୍ଧ ପ୍ରତି ସମର୍ଥନ ରହିଛି ବୋଲି ସରକାର ପ୍ରମାଣ କରିବାକୁ ଚାହୁଁଥିଲେ । ଏହା ସରକାରଙ୍କ ପ୍ରତି କଂଗ୍ରେସର ମନୋଭାବକୁ ଭୁଲ ବୋଲି ମଧ୍ୟ ସିଦ୍ଧ କରୁଥିଲା । ଆର୍ଥିକ ଦୃଷ୍ଟିରୁ ଲୋକ ଯେହେତୁ ଅସଂପନ୍ନ, ସେମାନଙ୍କ ପକ୍ଷେ ଯୁଦ୍ଧପାଣ୍ଠିକୁ ଅର୍ଥଦେବା କାଠିକର ଲା । ପୁଣି ଯୁଦ୍ଧପାଇଁ ଆଦିବାସୀ ଅଞ୍ଚଳରୁ ସ୍ୱେଚ୍ଛାସେବକ ନାଁରେ କୁଲି ସଂଗ୍ରହ କରାଯାଉଥିଲା । ଲୋକଙ୍କର ବିରୋଧ ସତ୍ତ୍ୱେ ଗଡ଼ଜାତ ରାଜା ଓ ଜମିଦାରମାନେ ସରକାରର ପ୍ରିୟପାତ୍ର ହେବା ଉଦ୍ଦେଶ୍ୟରେ ବଢ଼ିଚଢ଼ି ଲୋକଙ୍କଠାରୁ ପାଣ୍ଠି ଓ ଗାଁମାନଙ୍କରୁ କୁଲି ସଂଗ୍ରହ କରୁଥିଲେ । ଏଥିପାଇଁ ସେମାନେ ବଳ ପ୍ରୟୋଗ ମଧ୍ୟ କରୁଥିଲେ । ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ଯୁଦ୍ଧପାଣ୍ଠି ସଂଗ୍ରହ ଭାର ମନ୍ତ୍ରୀ ଓ ବିଧାନସଭା ସଭ୍ୟମାନଙ୍କ ଉପରେ ପଡ଼ିଲା । ତା'ଠାରୁ ବିଡ଼ମ୍ବନାର ବିଷୟ ଯେ ମନ୍ତ୍ରିମଣ୍ଡଳର ଦୁଇ ଜଣ ପ୍ରମୁଖ ସହଯୋଗୀ ଖଲିକୋଟ ରାଜା ଏବଂ ନୀଳକଣ୍ଠ ଦାସ ଜାତୀୟ ଯୁଦ୍ଧ ଫ୍ରଣ୍ଟ (National War Front) ଓଡ଼ିଶା ଶାଖାର ମୁଖ୍ୟ ହେବାପାଇଁ ଗୋଷ୍ଠୀ କନ୍ଦଳରେ ଲାଗିଲେ । ଏହି ଯୁଦ୍ଧ ଫ୍ରଣ୍ଟ ମାଧ୍ୟମରେ ହିଁ ଯୁଦ୍ଧପାଣ୍ଠି ଆଦି ସଂଗୃହୀତ ହେଉଥିଲା । ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନିଜର ସମର୍ଥନ ଦେଇ ଯୁଦ୍ଧ ଫ୍ରଣ୍ଟ୍‍ର ମୁଖ୍ୟ ପଦରେ ନିଯୁକ୍ତ କରିବାରୁ ଖଲିକୋଟ ରାଜା ଅସନ୍ତୁଷ୍ଟ ହେଲେ ଏବଂ ନିଜର ଜଣେ ସମର୍ଥକଙ୍କ ସହ ମିଳିତ ମନ୍ତ୍ରିମଣ୍ଡଳକୁ ବିରୋଧ କଲେ । ତାଙ୍କୁ ମନ୍ତ୍ରିମଣ୍ଡଳର ଅର୍ଥମନ୍ତ୍ରୀ ଗୋଦାବରୀଶ ମିଶ୍ର ସମର୍ଥନ କଲେ । ଫଳରେ ମନ୍ତ୍ରିମଣ୍ଡଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ପ୍ରଧାନମନ୍ତ୍ରୀ ଓ ନୀଳକଣ୍ଠ ଦାସ ଗୋଟାଏ ଗୋଷ୍ଠୀରେ ଏବଂ ଗୋଦାବରୀଶ ଓ ଖଲିକୋଟ ରାଜା ଅନ୍ୟ ପକ୍ଷରେ । ଗୋଦାବରୀଶ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ନୀତିକୁ ମଧ୍ୟ ପସନ୍ଦ କରୁ ନଥିଲେ । ଏହା ଗୋଷ୍ଠୀ କନ୍ଦଳକୁ

ଓଡ଼ିଶା ଇତିହାସ . ୩୨୭