ପୃଷ୍ଠା:Odisha Itihasa.pdf/୩୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବେ ଗଣା ହେବ । କଟକରେ ଉଚ୍ଚନ୍ୟାୟାଳୟ, ବାରବାଟୀ ଷ୍ଟାଡ଼ିୟମ୍‍ ଓ ଅଲ୍‍ ଇଣ୍ଡିଆ ରେଡ଼ିଓ ଷ୍ଟେସନର ସ୍ଥାପନ ମଧ୍ୟ ଏହି ସମୟର ଉପଲବ୍ଧି । ହୀରାକୁଦ ବନ୍ଧ ଓ ଦକ୍ଷିଣ ଓଡ଼ିଶାରେ ମାଛକୁଣ୍ଡ-ଡୁଡ଼ୁମା ଜଳପ୍ରକଳ୍ପ ଥିଲା ମହତାବଙ୍କ ମନ୍ତ୍ରିମଣ୍ଡଳର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରକଳ୍ପକୁ ନେଇ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । ୧୯୪୫ ମସିହାରେ ମହାନଦୀ ଉପରେ ହୀରାକୁଦଠାରେ ନଦୀବନ୍ଧ ନିର୍ମାଣପାଇଁ ଶିଳାନ୍ୟାସ ଦିଆଯାଇଥିଲା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାଲାଗି ମହତାବଙ୍କ ସରକାର ଉଦ୍ୟମ କଲେ । ଏହି ବହୁମୁଖୀ ନଦୀବନ୍ଧ ଯୋଜନାଦ୍ୱାରା ବନ୍ୟା ନିୟନ୍ତ୍ରଣ, ବିଜୁଳି ଶକ୍ତି ଉତ୍ପାଦନ ଏବଂ ସଂବଲପୁର ଓ ବଲାଙ୍ଗୀର ଅଞ୍ଚଳରେ ବ୍ୟାପକ ଜଳସେଚନ ହେବାର ଯୋଜନା ରହିଲା । ମାତ୍ର ନଦୀବନ୍ଧ ବିରୋଧରେ ପଶ୍ଚିମ ଓଡ଼ିଶାରେ ଏବଂ ବିଶେଷକରି ସମ୍ବଲପୁରରେ ଏକ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହେଲା । ଆନ୍ଦୋଳନରେ କଂଗ୍ରେସର ତୁଙ୍ଗ ନେତା ଲକ୍ଷ୍ମୀନାରାୟଣ ମିଶ୍ର, ବୋଧରାମ ଦୁବେ ଆଦି ସକ୍ରିୟ ଭାବେ ଅଂଶଗ୍ରହଣ କଲେ । ଆନ୍ଦୋଳନକୁ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ସମର୍ଥନ ଦେଲେ । ସେହି ଆଳରେ ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ କରିବାପାଇଁ ଦାବି ଉଠିଲା । ରାଜାବିରୋଧୀ ଗୋଷ୍ଠୀ ଅଭିଯୋଗ କଲେ ଯେ, ନିଜର ବ୍ୟକ୍ତିଗତ ଓ ରାଜ କର୍ତ୍ତୃତ୍ୱ ବଜାୟ ରଖିବାଲାଗି ପାଟଣା ରାଜା ଓଡ଼ିଶାକୁ ଭାଗ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ତା'ପାଇଁ ହୀରାକୁଦ ବନ୍ଧବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେଉଛନ୍ତି ।

ଆନ୍ଦୋଳନ ପଛରେ ଏକ ପ୍ରମୁଖ କାରଣ ହେଲା ବିସ୍ଥାପନ । ହୀରାକୁଦ ବନ୍ଧଯୋଗୁଁ ହଜାର ହଜାର ଚାଷୀଙ୍କର ଜମି ଜଳମଗ୍ନ ହେଲା । ପ୍ରାୟ ୩୦୦ ଗାଁ ମଧ୍ୟ ବୁଡ଼ିଗଲା । ଭିଟାମାଟି ହରାଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିଲା ନାହିଁ । ତେଣୁ ଲୋକଙ୍କର ବିରୋଧ ବୃଦ୍ଧି ପାଇଲା । ଦ୍ୱିତୀୟତଃ ମହାନଦୀରେ ବନ୍ୟାଯୋଗୁଁ ସାଧାରଣତଃ ଉପକୂଳ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିଲା । ତେଣୁ ଉପକୂଳର ବନ୍ୟା ସୁରକ୍ଷାଲାଗି ପଶ୍ଚିମ ଓଡ଼ିଶାର ଲୋକେ କାହିଁକି ବାସ୍ତୁହରା ହେବେ ବୋଲି ଆଞ୍ଚଳିକ ବିଦ୍ୱେଷ ସୃଷ୍ଟି ହେଲା । ଏହା ଛଡ଼ା ଜଳ ବିଦ୍ୟୁତ୍‍ ଉତ୍ପାଦନ ପ୍ରକଳ୍ପ ସହ ଲୋକଙ୍କ ପ୍ରତ୍ୟକ୍ଷ ଅନୁଭୂତି ନଥିଲା । ତେଣୁ ଏ ନେଇ ସୃଷ୍ଟି ହେଉଥିବା ଗୁଜବକୁ ଲୋକେ ବିଶ୍ୱାସ କଲେ । ଗୁଜବ ଅନୁଯାୟୀ ବିଜୁଳି ଉତ୍ପାଦନ ହେବା ଫଳରେ ପାଣିରୁ ସାର ଅଂଶ ଲୋପ ହେବ ଓ ଉକ୍ତ ପାଣି ଜଳ ସେଚନନିମିତ୍ତ ଉପଯୋଗୀ ହେବ ନାହିଁ । ଆନ୍ଦୋଳନ ଏତେ ତୀବ୍ର ଆକାର ଧାରଣ କଲା ଯେ, ୧୯୫୧- ୫୨ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡ଼ିଲା । ଏସବୁ ବିରୋଧ ସତ୍ତ୍ୱେ ୧୯୪୭ ଅଗଷ୍ଟ ମାସରେ ବିଧାନସଭାରେ ହୀରାକୁଦ ବନ୍ଧ ସଂପୂର୍ଣ୍ଣ କରିବାକୁ ପ୍ରସ୍ତାବ ପାସ ହେଲା ଏବଂ ୧୯୫୬ରେ ବନ୍ଧ ନିର୍ମାଣ ଶେଷ ହେଲା । ଏହାକୁ ଉଦ୍‍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହରୁ ହୀରାକୁଦ ଆସିଥିଲେ ।{{right|ଓଡ଼ିଶା ଇତିହାସ . ୩୩୩