ପୃଷ୍ଠା:Odisha Itihasa.pdf/୩୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୪୬ ଜାନୁଆରି ମାସରେ ମହତାବ ମନ୍ତ୍ରିମଣ୍ଡଳର ଗଠନ ପୂର୍ବରୁ ଓଡ଼ିଶା ସରକାର ଓ ମାଡ଼୍ରାସ୍‍ ସରକାର (ସେତେବେଳେ ଆନ୍ଧ୍ରପ୍ରଦେଶ ଗଠିତ ହୋଇ ନଥିଲା) ମଧ୍ୟରେ ମାଛକୁଣ୍ଡ- ଡୁଡୁମା ଜଳ ପ୍ରକଳ୍ପକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତା' ଅନୁଯାୟୀ କୋରାପୁଟର କୋଲାବ ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଓ ଉତ୍ପାଦିତ ଜଳ ବିଦ୍ୟୁତ୍‍କୁ ଉଭୟ ରାଜ୍ୟ ୭୦:୩୦ (ମାଡ୍ରାସ୍‍ ୭୦ ଭାଗ ଓ ଓଡ଼ିଶା ୩୦ ଭାଗ) ଅନୁପାତରେ ଭାଗ କରିନେବେ । ମହତାବ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ନେତୃବୃନ୍ଦ ଯେଉଁମାନେ କଂଗ୍ରେସର ସୋସିଆଲିଷ୍ଟ ଗୋଷ୍ଠୀ ଗଠନ କରିଥିଲେ, ଏହି ଚୁକ୍ତିନାମାକୁ ତୀବ୍ର ବିରୋଧ କଲେ । ଚୁକ୍ତିନାମାକୁ ସମର୍ଥନ କରୁଥିବାରୁ ସେମାନେ ମହତାବ ସରକାରଙ୍କୁ ଅନେକ ସମାଲୋଚନା କଲେ । ସରକାରଙ୍କ ମତ ଥିଲା ଯେ, ପ୍ରକଳ୍ପ ନିର୍ମାଣପାଇଁ ଓଡ଼ିଶା ଏତେ ପରିମାଣର ବ୍ୟୟବରାଦ କରିପାରିବ ନାହିଁ । ଦ୍ୱିତୀୟତଃ ସେଠାରେ ଉତ୍ପାଦିତ ହେବାକୁ ଥିବା ଜଳବିଦ୍ୟୁତ୍‍କୁ ବ୍ୟବହାର କରିବା ନିମିତ୍ତ ଓଡ଼ିଶାରେ ଆବଶ୍ୟକୀୟ ଆଧୁନିକ ଶିଳ୍ପ ଉଦ୍ୟୋଗ ନାହିଁ । ଏ ନେଇ ୧୯୪୬ ସେପ୍ଟେମ୍ବରରେ ବିଧାନସଭାରେ ଆଲୋଚନା ହେଲା ଓ ମହତାବ ଚୁକ୍ତିନାମାର ସମର୍ଥନ କଲେ । ମହତାବଙ୍କ ଯୁକ୍ତି ଯଦିଓ ମୁତଫରକା ନଥିଲା, ତାଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛି ବୋଲି ମାଛକୁଣ୍ଡ ଯୋଜନା ପରେ ଅପବାଦ ରଟିଲା । ପ୍ରକଳ୍ପଯୋଗୁଁ ମାଛକୁଣ୍ଡର ଦକ୍ଷିଣକୁ ଥିବା ଅଞ୍ଚଳ ମାଡ଼୍ରାସ୍‍ ଅଧୀନକୁ ଚାଲିଯିବ ବୋଲି ଆଶଙ୍କା ସୃଷ୍ଟି ହେଲା ।

ମୋଟ କଥା ହେଲା ଯେ, ମହତାବ ମନ୍ତ୍ରିମଣ୍ଡଳ ୨୩ ଏପ୍ରିଲ୍‍ ୧୯୪୬ରେ ଗଠିତ ହେଲା ପରେ ପ୍ରାୟ ବର୍ଷେ ଚାରି ମାସ କାଳ ଇଂରେଜର ଶାସନ ରହିଥିଲା । ତେଣୁ ମହତାବ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତ ହୋଇ ନଥିଲା । ମନ୍ତ୍ରିମଣ୍ଡଳର ଅନେକ କାର୍ଯ୍ୟ ଉପରେ ଇଂରେଜ ସରକାରର କର୍ତ୍ତୃତ୍ୱ ଶେଷ ହୋଇ ନଥିଲା । ତେଣୁ ମନ୍ତ୍ରିମଣ୍ଡଳକୁ ସରକାରର ଊର୍ଦ୍ଧ୍ୱରେ ବୋଲି ବିଚାର କରିବା ଉଚିତ ହେବ ନାହିଁ । ମାତ୍ର, କଂଗ୍ରେସ ଦଳ ମଧ୍ୟରେ ଥିବା ପ୍ରଗତିଶୀଳ ଗୋଷ୍ଠୀ, ଯାହାକୁ ତରୁଣ ତୁର୍କ ବୋଲି କୁହାଯାଉଥିଲା, ଏହାକୁ ବୁଝି ପାରୁ ନଥିଲେ ଏବଂ ମନ୍ତ୍ରିମଣ୍ଡଳର ସମାଲୋଚନା କରୁଥିଲେ । ବିଶେଷକରି ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଏହି ଗୋଷ୍ଠୀର ନେତୃତ୍ୱ ନେଉଥିଲେ । ମନ୍ତ୍ରିମଣ୍ଡଳରେ ଯୋଗଦେବା ପରେ ମଧ୍ୟ ନବକୃଷ୍ଣ ଚୌଧୁରୀ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରିବାରୁ ବିରତ ହେଉ ନଥିଲେ । ତରୁଣ ତୁର୍କ ଗୋଷ୍ଠୀ ବ୍ୟତୀତ ଆହୁରି ଅନେକ ବର୍ଗ ମଧ୍ୟ ମହତାବ ମନ୍ତ୍ରିମଣ୍ଡଳଠାରୁ ରାଜ୍ୟପାଇଁ ଅଧିକ ଆଶା କରିବାକୁ ଲାଗିଲେ । ସେମାନେ ମନ୍ତ୍ରିମଣ୍ଡଳକୁ ସମାଲୋଚନା କଲାବେଳେ ଆବଶ୍ୟକ ମତେ ବ୍ୟାବହାରିକ ମନୋଭାବ ପ୍ରଦର୍ଶନ କଲେ ନାହିଁ । ଏହା ସେମାନଙ୍କୁ ଅଧିକରୁ ଅଧିକ ନିରାଶ କଲା । ପରିଶେଷରେ ସେମାନେ କଂଗ୍ରେସ ଦଳ ତ୍ୟାଗ କଲେ । କଂଗ୍ରେସ ଦଳରୁ ଏଭଳି ଲୋକ ଓ ଗୋଷ୍ଠୀ ଚାଲିଯିବା ପରେ ଦଳ ତା'ର ପ୍ରକୃତ ଶକ୍ତି ହରାଇଲା । ଉଦାହରଣ ସ୍ୱରୂପ, ୧୯୪୮ରେ କଂଗ୍ରେସରୁ ବାହାରିଯାଇ ତରୁଣ ତୁର୍କ ଗୋଷ୍ଠୀର ଅନେକ ନେତା ସୋସିଆଲିଷ୍ଟ ଦଳ ଗଠନ କଲେ ।୩୩୪ . ଓଡ଼ିଶା ଇତିହାସ