ପୃଷ୍ଠା:Odisha Itihasa.pdf/୩୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା କ୍ରମଶଃ ଅଧିକରୁ ଅଧିକ ଜଟିଳ ହୋଇପଡ଼ୁଥିବା ଗଡ଼ଜାତ ପ୍ରସଙ୍ଗକୁ ଏକରକମ ସମାଧାନ ଦେଇଗଲା । ଆନ୍ଦୋଳନର ସମାଧାନପାଇଁ ରାଜା ପ୍ରଜାମଣ୍ଡଳ ସହିତ ରାଜିନାମା ସ୍ୱାକ୍ଷର କଲେ । ତଦନୁଯାୟୀ ରାଜ୍ୟରେ ପ୍ରଜାମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧୀନରେ ସରକାର ଗଠିତ ହେଲା । ଏହା ସତ୍ତ୍ୱେ ଆନ୍ଦୋଳନ ଭୀଷଣ ରୂପ ନେବାରୁ ୧୪ ନଭେମ୍ବରରେ ସେଠାରେ ଓଡ଼ିଶା ମିଲିଟାରୀ ପୋଲିସ ପ୍ରବେଶ କଲେ ଏବଂ ରାଜା ବିନା କୌଣସି ପ୍ରତିରୋଧରେ କ୍ଷମତା ହସ୍ତାନ୍ତର କଲେ । ଅଗଷ୍ଟ ୧୫ ତାରିଖ ୧୯୪୭ରେ ଦେଶରୁ ଇଂରେଜମାନେ ଯିବା ପରେ ଏବଂ ଦେଶ ସ୍ୱାଧୀନ ହେବା ପରେ ନୀଳଗିରି ରାଜା ପ୍ରାଦେଶିକ ହସ୍ତକ୍ଷେପକୁ ପ୍ରତିରୋଧ କରିପାରିବେ ନାହିଁ ବୋଲି ବୁଝିପାରିଲେ । ଅନ୍ୟ ପକ୍ଷରେ, ଓଡ଼ିଶା ସରକାର ଏବଂ ଭାରତ ସରକାର ଏହି ଅନୁଭୂତି ପରେ ଦୃଢ଼ ନିଶ୍ଚିତ ହେଲେ ଯେ, ସାମାନ୍ୟ ଚାପ ପ୍ରୟୋଗ କଲେ ଦେଶୀୟ ରାଜ୍ୟମାନେ ଦେଶ ସହିତ ମିଶ୍ରଣକୁ ପ୍ରତିରୋଧ କରିବେ ନାହିଁ । ଜବାହରଲାଲ୍‍ ନେହରୁଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରରେ ଗୃହମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ । ମହତାବଙ୍କ ପରି ସେ ମଧ୍ୟ ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ସମ୍ମିଶ୍ରଣପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଥିଲେ । ପ୍ରକୃତରେ ଯଦି ଦେଖାଯାଏ, ଜନମତକୁ ମହତାବ ଓ ପଟେଲ୍‍ ଭଳି ନେତୃବର୍ଗ ପ୍ରତିଫଳିତ କରୁଥିଲେ ମାତ୍ର । ୧୪ ଡିସେମ୍ବର ୧୯୪୭ରେ ପଟେଲ୍‍ ଓଡ଼ିଶା ଆସି ଓଡ଼ିଶାର ପ୍ରଧାନମନ୍ତ୍ରୀ, କେତେକ ମହତ୍ତ୍ୱପୂର୍ଣ୍ଣ ଉଚ୍ଚ ଅଧିକାରୀ ଓ ଅନେକ ଗଡ଼ଜାତ ରାଜାଙ୍କ ସହ ବୈଠକ କଲେ ଏବଂ ମିଶ୍ରଣ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସୁସ୍ପଷ୍ଟ କଲେ । ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଯିବା ବାଟରେ ତାଙ୍କୁ ଲୋକେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରା କରି ମିଶ୍ରଣପାଇଁ ଦାବି ଜଣାଇଥିଲେ । ଏଥିରେ ପ୍ରଭାବିତ ହୋଇ ସର୍ଦ୍ଦାର ପଟେଲ ମିଶ୍ରଣ ପ୍ରସ୍ତାବକୁ ଅଧିକ ଦୃଢ଼ତାର ସହିତ ଆଗତ କଲେ । ସେ କହିଥିଲେ:

"ଓଡ଼ିଶାର ଗଡ଼ଜାତରେ ଥିବା ଉଭୟ ରାଜା ଓ ପ୍ରଜାଙ୍କ ସୁରକ୍ଷା ବିପଦପୂର୍ଣ୍ଣ । ସେହି କାରଣରୁ ସାର୍ବଭୌମ ଭାରତର ପ୍ରତିିନିଧି ବା ଅନ୍ୟ କୌଣସି ବିଦେଶୀ ଶକ୍ତିର ଦୂତ ହୋଇ ନୁହେଁ, ବରଂ ମୁଁ କଟକକୁ ଆସିଛି ରାଜାମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ ଦେବାପାଇଁ । ପ୍ରଜାଙ୍କ ସ୍ୱାର୍ଥରେ ତଥା ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ସେମାନେ ମିଶ୍ରଣ ଚୁକ୍ତିକୁ ସ୍ୱୀକାର କରିିନିଅନ୍ତୁ ।"

ସର୍ଦ୍ଦାର ପଟେଲ ଆହୁରି ମଧ୍ୟ ଉଲ୍ଲେଖ କଲେ ଯେ, ପ୍ରଦେଶର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଶୀଘ୍ର ମିଶ୍ରଣ ହେବା କଥା । ଯଦି ତାଙ୍କର ପରାମର୍ଶକୁ ରାଜାମାନେ ଉପେକ୍ଷା କରନ୍ତି, ପ୍ରଜା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଦିଲ୍ଲୀକୁ ଠେଲି ଦେବେ । ସେତେବେଳେ ଗୃହମନ୍ତ୍ରୀ ଭାବରେ ତାଙ୍କଠାରୁ ରାଜାମାନେ କୌଣସି ସହଯୋଗ ଚାହିଁଲେ, ତାହା ମିଳିବା ନୋହିବ । ସେ ଆହୁରି ଧମକପୂର୍ଣ୍ଣ ଭାବେ କହିଲେ, "ଗଡ଼ଜାତମାନେ ହେଲେ ପ୍ରଦେଶର ରୋଗ ସଦୃଶ । ହୁଏତ ସେମାନଙ୍କୁ ରୋଗମୁକ୍ତ କରିବାକୁ ହେବ ଅଥବା ରୋଗକୁ ନିଶ୍ଚିହ୍ନ କରିବାକୁ ହେବ । ଯଦି ସେମାନେ ମୋ' କଥା ଶୁଣନ୍ତି, ରୋଗରୁ ମୁକ୍ତି ମିଳିବ ନଚେତ୍‍ ପ୍ରଜାଙ୍କଦ୍ୱାରା ସେମାନେ ନିର୍ମୂଳ ହେବେ ।" ସେ ରାଜାମାନଙ୍କର କୌଣସି ଦାବିକୁ ଗ୍ରହଣ କଲେ ନାହିଁ । ଶେଷରେ ମୟୂରଭଞ୍ଜ, ଷଢେ଼ଇକଳା୩୩୬ . ଓଡ଼ିଶା ଇତିହାସ