ପୃଷ୍ଠା:Odisha Itihasa.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖାରବେଳ ପରବର୍ତ୍ତୀ ଓଡ଼ିଶା

ଖାରବେଳ ପରବର୍ତ୍ତୀ ଓଡ଼ିଶାର ଇତିହାସ ପ୍ରାୟ ୮୦୦ ବର୍ଷ ଧରି ଖୁବ୍‍ ସ୍ପଷ୍ଟ ନୁହେଁ । ଏହି ଇତିହାସକୁ ଲିପିବଦ୍ଧ କରିବାପାଇଁ ଉପଲବ୍ଧ ଐତିହାସିକ ତଥ୍ୟ ପ୍ରମାଣ ଯଥେଷ୍ଟ ନୁହେଁ । ତେଣୁ, ତା'ର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଧାରାବାହିକ ବିଶ୍ଳେଷଣ ଆଜି ପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ । ବିଭିନ୍ନ ସ୍ଥାନରୁ ଆବିଷ୍କୃତ କେତେକ ତାମ୍ରଶାସନ, ମୁଦ୍ରା, ପ୍ରଶସ୍ତି ଓ ଅଭିଲେଖକୁ ଆଧାର କରି ଉକ୍ତ ସମୟର ଇତିହାସ ରଚନା କରିବାକୁ ଐତିହାସିକମାନେ ପ୍ରୟାସ କରିଛନ୍ତି । ଏଥିରୁ ମନେହୁଏ ଯେ, ଖାରବେଳ ପରବର୍ତ୍ତୀ ସମୟରେ ଓଡ଼ିଶା ଏକଶାସନାଧୀନ ନଥିଲା । ଏହା ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଶାସକଙ୍କ ନିୟନ୍ତ୍ରଣକୁ ଆସିଥିଲା । ଏହି ସମୟରେ ଯେଉଁ ରାଜକୁଳମାନେ ଶାସନ କରିଥିଲେ, ସେମାନଙ୍କ ମଧ୍ୟରେ ରହିଥିଲେ ସାତବାହନ, ମୁରୁଣ୍ତ, ଗୁପ୍ତ, ମାଠର, ନଳ, ମାଣ, ଶରଭପୁରୀୟ ଓ ପୂର୍ବ-ଗଙ୍ଗବଂଶ । ଏହି ରାଜବଂଶମାନେ ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶାସନ କରିଥିଲେ ବୋଲି ଯତ୍‍କିଞ୍ଚିତ୍‍ ପ୍ରମାଣ ରହିଛି । କିନ୍ତୁ ସେମାନଙ୍କ ଶାସନ ସମ୍ବନ୍ଧରେ ସବିଶେଷ ବିବରଣୀ, ତତ୍‍କାଳୀନ ସାମାଜିକ ଓ ଆର୍ଥିକ ଅବସ୍ଥା, ଲୋକ ସଂସ୍କୃତି ଆଦି ସୁସ୍ପଷ୍ଟ ନୁହେଁ ।

ସାତବାହନ

ଖାରବେଳଙ୍କ ଚେଦୀ ବଂଶର ସମସାମୟିକ ହେଲେ ଦକ୍ଷିଣର ସାତବାହନ ବଂଶ । ଖାରବେଳ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ରହିଛି । ଚେଦୀ ବଂଶର ପତନ ପରେ ସାତବାହନମାନେ ଦ୍ୱିତୀୟ ଶତାବ୍ଦୀର ଆଦ୍ୟ ଭାଗରେ କଳିଙ୍ଗ ଓ କୋଶଳ ରାଜ୍ୟ ଜୟ କରିଥିଲେ ବୋଲି ବିଶ୍ୱାସ କରାଯାଏ । ପ୍ରଥମେ ଶିଶୁପାଳଗଡ଼ରେ ଏବଂ ପରେ ଶାଲିହୁଣ୍ତମ, ରାମତୀର୍ଥ ଓ ସଂଘରାମା ଆଦି ସ୍ଥାନରେ କେତେକ ସାତବାହନକାଳୀନ

୩୬ . ଓଡ଼ିଶା ଇତିହାସ