ପୃଷ୍ଠା:Odisha Itihasa.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଶୁଳ୍କିି (ଶୁଳ୍‍କି) ବଂଶଶାସିତ କୋଦାଳକ ମଣ୍ଡଳ

ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳକୁ ନେଇ କୋଦାଳକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପିତ ହୋଇଥିଲା। ସେଠାରେ ଶୁଳ୍କି ବଂଶର ରାଜାମାନେ ରାଜତ୍ୱ କରୁଥିଲେ। କାଞ୍ଚନସ୍ତମ୍ଭ ଥିଲେ ଶୁଳ୍କିବଂଶର ପ୍ରଥମ ରାଜା। କାଞ୍ଚନ ସ୍ତମ୍ଭଙ୍କର ପୌତ୍ର ରଣସ୍ତମ୍ଭ ଭୌମ ସମ୍ବତ ୧୦୩ (ଖ୍ରୀଷ୍ଟାବ୍ଦ ୮୩୯)ରେ ପ୍ରଦାନ କରିଥିବା ତାମ୍ର ଶାସନରୁ ଶୁଳ୍କିମାନଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ। ଶୁଳ୍କିମାନଙ୍କ ପ୍ରାଚୀନତା,ଶାସନ ଓ ବଂଶାବଳୀକୁ ନେଇ ଐତିହାସିକମାନଙ୍କ ମଧ୍ୟରେ ଏକମତ ନାହିଁ। ସମ୍ଭବତଃ ସେମାନେ ମଧ୍ୟ-ଏସିଆରୁ ଶକ ଓ କୁଶାଣମାନଙ୍କ ଏକ ଯବନ ଜନଜାତି ଭାବରେ ଭାରତକୁ ଆସିଥିଲେ। ଏକ କିମ୍ବଦନ୍ତୀ ଅନୁଯାୟୀ ସ୍ଥାନୀୟ ଶବର ମୁଖ୍ୟ ଢେକଟାକୁ ପରାସ୍ତ କରି ସେମାନେ ଢେଙ୍କାନାଳ ଅଞ୍ଚଳରେ ମଣ୍ଡଳ ରାଜ୍ୟ ପ୍ରତିଷ୍ଠା କରିଥିଲେ। କୋଦାଳକ ସେମାନଙ୍କ ରାଜଧାନୀ ଥିଲା, ଯାହାକୁ ତାଳଚେର ନିକଟସ୍ଥ କୁଆଳୋ ଗ୍ରାମ ସହିତ ଚିହ୍ନିତ କରାଯାଏ। କୁଆଳୋଠାରେ ବହୁ ମନ୍ଦିର ଓ ପ୍ରାଚୀନ ସ୍ଥାପତ୍ୟର ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳିଥାଏ

ଓଡ଼ିଶା ଇତିହାସ . ୫୭