ପୃଷ୍ଠା:Odisha Itihasa.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗବଂଶର ଅନ୍ୟତମ ଶ୍ରେଷ୍ଠ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ଯାଇ କୋଶଳ କ୍ଷେତ୍ର ପୁଣି ଥରେ ଗଙ୍ଗସାମ୍ରାଜ୍ୟରେ ଅର୍ଥାତ ପ୍ରାକୃତିକ ଓଡ଼ିଶା ରାଜ୍ୟରେ ସଂଯୁକ୍ତ ହେଲା । ଚୋଡ଼ଗଙ୍ଗ ଦେବ ଗଙ୍ଗ ରାଜ୍ୟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଅନେକଗୁଡ଼ିଏ ଦୁର୍ଗ ନିର୍ମାଣ କରିଥିଲେ । ଏହି ଦୁର୍ଗଗୁଡ଼ିକ ଯାଜପୁର, ଅମରାବତୀ (ଛତିଆ) ଚୌଦ୍ୱାର, କଟକ ଓ ସାରଙ୍ଗଗଡ଼ (ବାରଙ୍ଗ)ରେ ଅବସ୍ଥିତ ଥିଲା । ସମ୍ଭବତଃ ଦୁର୍ଗଗୁଡ଼ିକୁ ଗଙ୍ଗରାଜା ଅସ୍ଥାୟୀ ସୈନ୍ୟ ଛାଉଣି ରୂପେ ବ୍ୟବହାର କରୁଥିଲେ । ଯୁଦ୍ଧ ପୂର୍ବରୁ ସାମୟିକ ସୈନ୍ୟ ପ୍ରଶିକ୍ଷଣପାଇଁ ମଧ୍ୟ ଦୁର୍ଗକୁ ବ୍ୟବହାର କରାଯାଉଥିଲା । ଏଥିରୁ ସାବ୍ୟସ୍ତ ହୁଏ ଯେ, ଗଙ୍ଗମାନେ ଚୋଡ଼ଗଙ୍ଗଙ୍କ ସମୟରୁ ହିଁ ଆକ୍ରମଣାତ୍ମକ ନୀତି ଅବଲମ୍ବନ କରି ରାଜ୍ୟକୁ ପ୍ରତିଷ୍ଠା ଦେବାକୁ ତ‌ଥା ରାଜ୍ୟ ବିିସ୍ତାର କରିବାକୁ ଉଦ୍ୟମ କରିଥିଲେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ନାଗରୀ ତାମ୍ରଶାସନରୁ ଜଣାଯାଏ ଯେ ବେଙ୍ଗୀ, ଉତ୍କଳ, ମନ୍ଦାର ଓ ଦକ୍ଷିଣ କୋଣରୁ ଚୋଡ଼ଗଙ୍ଗ କର ଆଦାୟ କରୁଥିଲେ, ଯାହା ରାଜ୍ୟକୁ ସମୃଦ୍ଧି ପ୍ରଦାନ କରିଥିଲା ।

ପୁରୀର ଚୁଡ଼ଙ୍ଗ ସାହି, ଭୁବନେଶ୍ୱର ନିକଟସ୍ଥ ଧଉଳି ପାର୍ଶ୍ୱରେ କୌଶଲ୍ୟା ଗଙ୍ଗ ହ୍ରଦ ଓ ଗଙ୍ଗେଶ୍ୱରପୁର ଗ୍ରାମ ଚୋଡ଼ଗଙ୍ଗ ଦେବଙ୍କ କୃତି ବୋଲି ବିଶ୍ୱାସ କରାଯାଏ ।

ନିଜ ପୂର୍ବପୁରୁଷଙ୍କ ପରି ଚୋଡ଼ଗଙ୍ଗ ଦେବ ଆରମ୍ଭରେ ଶୈବ ଥିଲେ । ମାତ୍ର ଓଡ଼ିଶା ଅଧିକାର ପରେ ସେ ଜଗନ୍ନାଥଭକ୍ତ ପାଲଟିଗଲେ । ଆଞ୍ଚଳିକ ସ୍ତରରେ ଖୁବ୍‍ ପ୍ରସିଦ୍ଧି ପାଇଥିବା ଜଗନ୍ନାଙ୍କୁ ରାଜ୍ୟର ଆରାଧ୍ୟ ଦେବତା ବା ରାଷ୍ଟ୍ରୀୟ ଦେବତା କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମାଦଳାପାଞ୍ଜି ଅନୁଯାୟୀ, ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ବିଶାଳ ଜଗନ୍ନାଥ ମନ୍ଦିର ପୁରୀଠାରେ ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗମାନଙ୍କଦ୍ୱାରା ପ୍ରଦତ୍ତ ତାମ୍ର ଶାସନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଚୋଡ଼ଗଙ୍ଗଦେବଙ୍କ ସମୟରେ ହିଁ ମନ୍ଦିରର ନିର୍ମାଣ ହୋଇଥିଲା । ସମ୍ଭବତଃ ଚୋଡ଼ଗଙ୍ଗ ହିଁ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଯାହାହେଉ, ଗଙ୍ଗମାନଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଏତେ ଅଧିକ ପ୍ରାଧାନ୍ୟ ଦେବା ପଛରେ କିଛି ରାଜନୈତିକ କାରଣ ରହିଥିବ ବୋଲି ଅନୁମାନ କରାଯାଏ । ଆନ୍ଧ୍ର ଅଞ୍ଚଳରୁ ଆର୍ଥାତ୍ ଓଡ଼ିଶା ବାହାରୁ ଆସିଥିବା ଗଙ୍ଗମାନେ ଓଡ଼ିଶାରେ ସାମାଜିକ ସ୍ୱୀକୃତି ପାଇବାଲାଗି ଜଗନ୍ନାଥଙ୍କର ଉପଯୋଗ କରୁଥିଲେ । ଜଗନ୍ନାଥଙ୍କ ନାମରେ ଶାସନ କରିବାଦ୍ୱାରା ଗଙ୍ଗମାନଙ୍କୁ ପ୍ରଭୂତ କର୍ତ୍ତୃତ୍ୱ ହାସଲ ହେଲା । ପଡ଼ୋଶୀ ରାଜ୍ୟର ଆକ୍ରମଣର ସମ୍ମୁଖୀନ ହେବାପାଇଁ ଆବଶ୍ୟକ ଜନସର୍ମଥନ ପାଇବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଫଳରେ ଜଗନ୍ନାଥଙ୍କ ନାମକୁ ସେମାନେ ବିଧର୍ମୀ ଓ ବିଜାତୀୟ (ଅଣ-ଓଡ଼ିଆ) ଆକ୍ରମଣ ବିରୁଦ୍ଧରେ ଉପଯୋଗ କରିପାରିଲେ । ଏଥିପାଇଁ ସେମାନେ ଆବଶ୍ୟକ ମାତ୍ରାରେ ବ୍ରାହ୍ମଣମାନଙ୍କର ମଧ୍ୟ ପୃଷ୍ଠପୋଷକତା କଲେ । ବହିରାକ୍ରମଣରୁ ଲବ୍ଧ ଧନସଂପତ୍ତିର ଅନେକାଂଶ ବ୍ରାହ୍ମଣମାନଙ୍କ ହିତ ସାଧନରେ ଏବଂ ମନ୍ଦିର ନିର୍ମାଣରେ ବ୍ୟବହୃତ ହେଲା । ବ୍ୟୟ ବହୁଳ ମନ୍ଦିରମାନ ନିର୍ମାଣ କରି ଗଙ୍ଗମାନେ ସମଗ୍ର ଭାରତରେ ନିଜର ପ୍ରଭୁତ୍ୱ ପ୍ରଦର୍ଶନ କଲେ । ଚୋଡ଼ଗଙ୍ଗଦେବଙ୍କ ପରେ ମଧ୍ୟ ଏହି ନୀତିକୁ ଗଙ୍ଗମାନେ ଅବ୍ୟାହତ ରଖିଥିଲେ ।{{right|ଓଡ଼ିଶା ଇତିହାସ . ୭୧